୧୯୩୦ ଓ ୨୦୨୩ ଭିତରେ ବ୍ୟବଧାନ

କୁମାର ପ୍ରଶାନ୍ତ

ପଡ଼ିଆରେ ଏକଦମ୍‌ ମୁହାଁମୁହିଁ ସଂଗ୍ରାମ ଚାଲିଥାଏ। ଏହି ଯୁଦ୍ଧକ୍ଷେତ୍ରରୁ ମହାତ୍ମା ଗାନ୍ଧୀ ଦେଶ ଓ ଭାଇସରୟଙ୍କୁ ଦୁଇଟି କଥା କହିଥିଲେ। ସେ ଦେଶକୁ କହିଥିଲେ, ‘ମୁଁ ଦେଶର ସ୍ବାଧୀନତା ହାସଲ କଲା ପରେ ହିଁ ସାବରମତୀ ଆଶ୍ରମକୁ ଫେରିବି। କୁକୁର ପରି ମରିଯିବି ପଛକେ, ସ୍ବାଧୀନତା ବିନା ଆଶ୍ରମକୁ ଫେରିବିନି।’ ଅନ୍ୟପଟରେ ସେ ଭାଇସରୟଙ୍କୁ ଖୋଲା ଆହ୍ବାନ ଦେଇଥିଲେ କି ଆପଣଙ୍କୁ ନିଜର ଲବଣ ଆଇନ ରଦ୍ଦ କରିବାକୁ ପଡ଼ିବ। ନିଆଁ ତ ଦୁଇପଟେ ଲାଗିଯାଇଥିଲା ଏବଂ ଏଭଳି ପରିସ୍ଥିତିରେ କୌଣସି ଆମେରିକୀୟ ଖବରକାଗଜବାଲା (ଆଜିର ଗଣମାଧ୍ୟମବାଲା ଧ୍ୟାନ ଦିଅନ୍ତୁ) ପଚାରିଥିଲେ, ‘ଏହି ଲଢ଼େଇରେ ଆପଣ ଦୁନିଆକୁ କ’ଣ କହିବାକୁ ଚାହାନ୍ତି?’ ଗାନ୍ଧୀଜୀ ତୁରନ୍ତ ଏକ କାଗଜରେ ଲେଖି ଜଣେଇଲେ, ‘କ୍ଷମତାର ଅନ୍ଧ ଶାସନ ବନାମ ଜନତାଙ୍କ ଅଧିକାରର ଏଇ ଲଢ଼େଇରେ ମୁଁ ବିଶ୍ବର ସହାନୁଭୂତି ଆଶା କରୁଛି।’ ପତ୍ରକାର ଜଣକ ଭାରତର କୌଣସି ‘ରାହୁଳ ଗାନ୍ଧୀ’ ନଥିଲେ, ସିଧାସଳଖ ଆମେରିକାର ଥିଲେ; ସେହିପରି ଲଢ଼େଇ ନିର୍ବାଚନର ନଥିଲା, ସାମ୍ରାଜ୍ୟବାଦ ଅସ୍ତିତ୍ବର ଥିଲା; ମାତ୍ର ଭାରତର ଆଭ୍ୟନ୍ତରୀଣ ମାମଲାରେ ଗାନ୍ଧୀଜୀ ବିଦେଶୀ ହସ୍ତକ୍ଷେପ ଲୋଡୁଛନ୍ତି ବୋଲି ଦିଲ୍ଲୀରେ ଆସୀନ ଭାଇସରୟ ବା ଲଣ୍ଡନରେ ଉପବିଷ୍ଟ ତାଙ୍କର କୌଣସି ମାଲିକ କହିନଥିଲେ।

ଏପରି ଥରେ ଅଧେ ନୁହେଁ, ଭାରତର ସ୍ବାଧୀନତା ସଂଗ୍ରାମରେ ଦୁନିଆର ବିଭିନ୍ନ ନାଗରିକମାନଙ୍କୁ ନିଜର ଭୂମିକା ତୁଲାଇବା ପାଇଁ ଗାନ୍ଧୀଜୀ ଅନେକ ବାର ଆମନ୍ତ୍ରଣ କରିଥିଲେ। ସେ ସମସ୍ତ ବ୍ରିଟିସ ନାଗରିକ ଓ ଆମେରିକୀୟମାନଙ୍କୁ ଖୋଲା ଚିଠି ଲେଖି ସେମାନଙ୍କୁ ଭାରତର ସ୍ବାଧୀନତା ସଂଗ୍ରାମକୁ ଠିକ୍‌ରେ ବୁଝିବା ଲାଗି କହିଥିଲେ ଏବଂ ଏହି ସଂଘର୍ଷରେ ଆମକୁ ସମର୍ଥନ କରି ନିଜ ସରକାର ଉପରେ ଚାପ ପକାଇବା ଲାଗି ନିବେଦନ କରିଥିଲେ। କାରଣ ସତ୍ୟ ଓ ଅହିଂସାର ରାସ୍ତାରେ ଲଢ଼ାଯାଇଥିବା ଏହି ସଂଘର୍ଷ ସହିତ ବିଶ୍ବର ବ୍ୟାପକ ହିତ ଜଡ଼ିତ। ତେବେ ଆମ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ଲାଗି ଗାନ୍ଧୀଜୀ ବିଦେଶୀ ଶକ୍ତିକୁ ଆମନ୍ତ୍ରଣ କରିଥିଲେ ବୋଲି କେବେ କୌଣସି ଠାରେ ଏକଥା ଉଠିନଥିଲା।

ଏ କଥା ବି ନୁହେଁ ଯେ ଭାରତୀୟ ଜନତା ପାର୍ଟି ଏବଂ ଏହାର ସରକାର ସେ କଥା ଜାଣନ୍ତି ନାହିଁ। ମାତ୍ର ସେମାନେ ଏହା ମଧ୍ୟ ଜାଣିଛନ୍ତି ଯେ, ସେହି ଇତିହାସ ସୃଷ୍ଟି କରିବାରେ ତାଙ୍କର କୌଣସି ଭୂମିକା ନଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ତଳ ସ୍ତର ଯାଏ କେହି ଜଣେ ଏହି ଇତିହାସ ବିଷୟରେ ଉଲ୍ଲେଖ କରିନାହାନ୍ତି। ସେମାନେ ସେହି ଗୋଟିଏ ସ୍ବରକୁ ଲଗାତାର ଗାଇ ଚାଲିଛନ୍ତି ଯାହା ଆମକୁ ବାରମ୍ବାର ଜଣାଇ ଦେଉଛି କି, ଯାହାକୁ ସ୍ବର ଜଣା ନାହିଁ, ସେ କିପରି ବା ଗୀତ ଗାଇବ!

ରାହୁଳ ଗାନ୍ଧୀ ଲଣ୍ଡନରେ ଯାହା କିଛି କହିଥିଲେ, ସେଥିରେ କ୍ଷମା ମାଗିଲା ପରି କିଛି ନାହିଁ; ମାତ୍ର ସେ ଯଦି କ୍ଷମା ମାଗି ଦିଅନ୍ତି, ତେବେ ସେ ଜଣେ ଦୁର୍ବଳ ଓ ଫମ୍ପା ରାଜନେତା ବୋଲି ପ୍ରମାଣିତ ହୋଇଯିବେ; କାରଣ ସେଠାରେ ସେ ଭାରତୀୟ ଗଣତନ୍ତ୍ରର ଯେଉଁ ବୈଶ୍ବିକ ଦିଗ କଥା ଉଠାଇଥିଲେ, ତାହା ମୋ’ ପରି ଲୋକତନ୍ତ୍ରର ସିପାହିମାନଙ୍କୁ ପ୍ରଭାବିତ କରିଥିଲା ଯେ ରାହୁଳ ମଧ୍ୟ ଆମ ଗଣତନ୍ତ୍ରର ସେହି ଦିଗକୁ ହୃଦୟଙ୍ଗମ କରିଛନ୍ତି ଏବଂ ଏପରି ଅଭିବ୍ୟକ୍ତି ପ୍ରକାଶ କରିପାରୁଛନ୍ତି। ତାହା ତୁଚ୍ଛ ଦଳୀୟ ରାଜନୀତିର ମାମଲା ନଥିଲା, ତେଣୁ ଦଳୀୟ ଲୋକେ ତାହା ବୁଝିବେ ନାହିଁ କି ଅନ୍ୟକୁ ବୁଝାଇବାକୁ ଚାହିଁବେ ନାହିଁ। ଏହା ସିଧାସଳଖ ଗଣତନ୍ତ୍ରର ଅସ୍ମିତାର ମାମଲା। ଏହା ହେଉଛି ଭାରତୀୟ ଗଣତନ୍ତ୍ରର ସେହି ଦିଗ ଯାହା ସମ୍ପର୍କରେ ଜୟପ୍ରକାଶ ନାରାୟଣ ବାଂଲାଦେଶ ସଂଘର୍ଷ ବେଳେ ସମଗ୍ର ବିଶ୍ବକୁ କହିଥିଲେ: ଗଣତନ୍ତ୍ର କୌଣସି ଦେଶର ଆଭ୍ୟନ୍ତରୀଣ ମାମଲା ହୋଇନପାରେ। ତାହାର ଦମନ ସମଗ୍ର ବିଶ୍ବ ପାଇଁ ଚିନ୍ତାର ବିଷୟ ହେବା ଉଚିତ। ୧୯୭୫ରେ ଚଣ୍ଡୀଗଡ଼ରେ ରାଜନୈତିକ ନଜରବନ୍ଦୀ ଥିବା ଅବସରରେ ଜୟପ୍ରକାଶ ଚିଠି ଲେଖି ଇନ୍ଦିରା ଗାନ୍ଧୀଙ୍କୁ ତାହା ବୁଝାଇବାକୁ ଚାହିଁଥିଲେ। ମାତ୍ର ଇନ୍ଦିରା ତାହା ସେତେବେଳେ ବୁଝିପାରିନଥିଲେ। ତେବେ ସମ୍ପ୍ରତି ବିଶ୍ବର ସର୍ବଶକ୍ତିମାନ ଦେଶମାନେ ଏବେ ଗଣତନ୍ତ୍ରକୁ ବୁଝନ୍ତୁ ବୋଲି ରାହୁଳ ଚାହିଁଛନ୍ତି। ଲଣ୍ଡନରେ ତାଙ୍କ ଭାଷଣର ଏହା ହିଁ ଥିଲା ବାର୍ତ୍ତା।

ଭାରତ ସଂସଦୀୟ ଗଣତନ୍ତ୍ର ଆଦରିବାର ପ୍ରାୟ ୭୫ ବର୍ଷ ବିତିଯାଇଥିବା ବେଳେ ସେଇ ରାସ୍ତାରୁ ଦେଶ ବିଚ୍ୟୁତ ହୋଇନାହିଁ। ଭାରତ ସହିତ କିମ୍ବା ତାହା ପୂର୍ବରୁ ବା ପରେ ସ୍ବାଧୀନ ହୋଇଥିବା ଅଧିକାଂଶ ଦେଶ ଗଣତନ୍ତ୍ରର ରାସ୍ତା ଛାଡ଼ି ଅନ୍ୟ ପଥ ଧରିଛନ୍ତି। ଆମର ମଧ୍ୟ ଏଠାରେ ସାମୟିକ ବିଚ୍ୟୁତି ଘଟିଛି, କିନ୍ତୁ ଗାଡ଼ିଟି ଠିକଣା ସମୟରେ ଧାରଣାକୁ ଫେରି ଆସିଛି। ଆଜି ଆମ ଗଣତନ୍ତ୍ରର ଆନ୍ତର୍ଜାତିକ ପରିମାପ ହେଉଛି, ଯଦି ଏହା ଦୁର୍ବଳ ହୋଇଯାଏ କିମ୍ବା ସଂସଦୀୟ ସ୍ବରୂପକୁ ବଦଳାଇ କିଛି ନୂଆ ରୂପ ଧାରଣ କରେ, ତେବେ ସାରା ଦୁନିଆରେ ଗଣତନ୍ତ୍ର ଦିଗରେ ଜାରି ରହିଥିବା ଯାତ୍ରା ଅଟକିଯିବ କିମ୍ବା ଅନ୍ୟ କୌଣସି ରାସ୍ତାରେ ଚାଲିଯିବ। ସଂସଦୀୟ ଗଣତନ୍ତ୍ରରେ ଆମର ପରୀକ୍ଷଣ ବା ପ୍ରୟୋଗ ଏବେ ଏକ ଆନ୍ତର୍ଜାତିକ ସ୍ତରରେ ଉଦୟ ହେବାରେ ଲାଗିଛି। ଆମର ଏହି ପରୀକ୍ଷଣ ନୂତନ ଦେଶଗୁଡ଼ିକୁ ଗଣତନ୍ତ୍ର ଆଡ଼କୁ ଟାଣିବାର କାରଣ ପାଲଟିଛି। ଶାସନ କ୍ଷମତାର ଆଧିକ୍ୟ ଏବଂ ଶାସନଧାରୀଙ୍କ କ୍ଷମତା ଲାଳସା ବିରୋଧରେ ସମସ୍ତ ପ୍ରକାର ଜନଆନ୍ଦୋଳନର ପ୍ରତୀକ ଭାବେ ମହାତ୍ମା ଗାନ୍ଧୀ ହିଁ ଉଭା ହୋଇଛନ୍ତି, ତାହା ଅକାରଣ ନୁହେଁ। ଆମେ ଆମର ଗଣତନ୍ତ୍ରକୁ ସ୍ଥାପନ କରିଛୁ ଏବଂ ଏହାର ସଂଚାଳନରେ ଯେଉଁଠି ଗାନ୍ଧୀଜୀଙ୍କୁ ବହୁତ ଉପେକ୍ଷା କରିଛୁ, ସେଠି ଆମେ ଏବଂ ଦୁନିଆ ହୃଦୟଙ୍ଗମ କରିଛି ଯେ ଗାନ୍ଧୀ ହିଁ ଗଣତନ୍ତ୍ରର ପରିଚୟ।

ସମଗ୍ର ପୃଥିବୀରେ ଦକ୍ଷିଣପନ୍ଥୀ ଲହର ଉଠିଥିବା ଆମେ ଦେଖୁଛନ୍ତି। ବାମପନ୍ଥୀ କିମ୍ବା ସେପରି ମନୋଭାବ ପୋଷଣ କରୁଥିବା ଶକ୍ତିମାନେ ଗଣତନ୍ତ୍ରକୁ ବିକୃତ କରି କ୍ଷମତାକୁ ଜାବୁଡ଼ି ଧରିବା ଲାଗି ପ୍ରୟାସ କରୁଥିବା ବେଳେ ସେମାନଙ୍କ ସରକାର ଛିନ୍ନବିଚ୍ଛିନ୍ନ ହୋଇ ଯାଇଛନ୍ତି ଏବଂ ସାମ୍ପ୍ରଦାୟିକ, ଅଶିକ୍ଷିତ ଓ ରୁଢ଼ିବାଦୀ ତତ୍ତ୍ବମାନେ ଶାସନ କ୍ଷମତାକୁ ଦଖଲ କରି ଚାଲିଛନ୍ତି। ଏଭଳି ପରିସ୍ଥିତିରେ ଆମ ସଂସଦୀୟ ଗଣତନ୍ତ୍ର ଏକ ବତିଘର ସଦୃଶ ହୋଇଛି। ଏକମାତ୍ର ଆଶା ହେଉଛି, ଏହି ଲହର ଫେରିଗଲେ ସଂସଦୀୟ ଗଣତନ୍ତ୍ର କୂଳରେ ସ୍ଥିର ହୋଇପାରିବ।

ଲଣ୍ଡନରେ ରାହୁଳ ଏହାକୁ ଆମର ଗଣତନ୍ତ୍ରର ଆନ୍ତର୍ଜାତିକ ପ୍ରସଙ୍ଗ ବୋଲି ଦର୍ଶାଇ ପାଶ୍ଚାତ୍ୟ ରାଷ୍ଟ୍ରର ଗଣତାନ୍ତ୍ରିକ ଶକ୍ତିଙ୍କୁ ଅବଗତ କରିଛନ୍ତି କି, ଆମର ସଂସଦୀୟ ଗଣତନ୍ତ୍ରକୁ ବଞ୍ଚାଇବା ଲାଗି ଆମେ ଯେଉଁ ପ୍ରୟାସ କରୁଛୁ, ଆପଣମାନେ ତାହାକୁ ଠିକ୍‌ ଢଙ୍ଗରେ ବୁଝି ଠିକଣା ବାଟରେ ଛିଡ଼ା ହୁଅନ୍ତୁ। ଆଜି ସମସ୍ତେ ବଜାର ଆଗରେ ମୁଣ୍ଡ ନୁଆଁଇ ରହିଛନ୍ତି। ଦ୍ରୁତତମ ଅର୍ଥନୀତି ବା ୫ ଟ୍ରିଲିଅନ୍‌ ଡଲାର ଅର୍ଥବ୍ୟବସ୍ଥା ପରି କଥାରେ ରାଷ୍ଟ୍ରୀୟ ଗୌରବ ଦେଖାଉଥିବା ବ୍ୟକ୍ତି ଏକଥା ଲୁଚାଉଛନ୍ତି କି, ଏପରି କିଛି ହାସଲ କରିବା ପାଇଁ ସଂସଦୀୟ ଗଣତନ୍ତ୍ରର ମର୍ଯ୍ୟାଦା ଓ ପ୍ରକୃତି ବିନାଶର ଲକ୍ଷ୍ମଣରେଖା ଅତିକ୍ରମ କରିବାକୁ ହେବ। ଗଣତନ୍ତ୍ରର ମୃତ ଚେହେରାକୁ ଏତେ ଦଣ୍ଡ ଦେବା ଲାଗି ଆମେ କେମିତି କାହାକୁ ଅନୁମତି ଦେଇପାରିବା କି ତାହା ବଞ୍ଚି ରହିବାର ଭ୍ରମ ସୃଷ୍ଟି କରି ଚାଲିଥିବ? ଆମେ ମାନବ ଚେହେରା ବିଶିଷ୍ଟ ଏଭଳି ଏକ ଗଣତନ୍ତ୍ର ଗଢ଼ିବା ପାଇଁ ଚାହୁଁଛୁ ଯିଏ ନିଜର ପ୍ରତିଟି ଅଙ୍ଗକୁ ବଞ୍ଚିବା ପାଇଁ ସମାନ ସୁଯୋଗ ଓ ସମ୍ମାନ ପ୍ରଦାନ କରିବାକୁ ନିଜର ସାର୍ଥକତା ବୋଲି ମନେ କରୁଥିବ। ଏଠାରେ ଗତି ଶ୍ବାସରୁଦ୍ଧ କଲା ଭଳି ହେବନାହିଁ, ବରଂ ଏହା ପ୍ରକୃତି ଓ ଜୀବନ ମଧ୍ୟରେ ସମନ୍ବୟ ସୃଷ୍ଟି କରିବ!

ରାହୁଳ ଯାହା କହିଛନ୍ତି, ତାହାର କେବଳ ଦୁଇଟି ଉତ୍ତର ହୋଇପାରେ: ଭାରତ ସରକାର ଗଣତାନ୍ତ୍ରିକ ମାନଦଣ୍ଡକୁ ନତମସ୍ତକ କରି ନିଜକୁ ତାହା ସହ ସମାନ ବୋଲି ଛଳନା କରିବା ବନ୍ଦ କରନ୍ତୁ। ସରକାର ନିଜର ଗଣତାନ୍ତ୍ରିକ ଆଚରଣ ଓ ପ୍ରଦର୍ଶନ ଏପରି ଉଚ୍ଚ ମାନର କରନ୍ତୁ ଯଦ୍ଦ୍ବାରା ତାଙ୍କ ଗଣତାନ୍ତ୍ରିକ ଚରିତ୍ର ଫୁଟିଉଠିବ। ରାହୁଳଙ୍କୁ କୌଣସି ତୃତୀୟ ଉତ୍ତର ଦିଆଯାଇପାରିବ ନାହିଁ।

୧୯୩୦ ଓ ୨୦୨୩ ମଧ୍ୟରେ ଆମେ ଏତେ ବଡ଼ ବ୍ୟବଧାନ ସୃଷ୍ଟି କରିବା ଉଚିତ ହେବନାହିଁ।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ସମ୍ବନ୍ଧିତ ଖବର