ଓଏଲ୍ଏକ୍ସରେ ବାଇକ୍‌ ବିକ୍ରି ବିଜ୍ଞାପନ ଦେଇ ଠକେଇ: ଅଭିଯୁକ୍ତ ଗିରଫ, ବାଇକ୍‌ ଜବତ

ଭୁବନେଶ୍ବର: ଓଏଲ୍‌ଏକ୍ସରେ ବାଇକ୍ ବିକ୍ରି ବିଜ୍ଞାପନ ଦେଇ ଠକେଇ ଅଭିଯୋଗରେ ବଡ଼ଗଡ଼ ଥାନ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ପୁରୀ ଜିଲ୍ଲା ଡେଲାଙ୍ଗ ଦମପୁର ଅଞ୍ଚଳର ପ୍ରଶାନ୍ତ ପ୍ରଧାନ(୩୦)। ପୁଲିସ ତା’ଠାରୁ ଗୋଟିଏ ବାଇକ୍‌ ଜବତ କରିଛି। ସୂଚନା ମୁତାବକ, ଗତ ୨ତାରିଖରେ ଭଞ୍ଜନଗର ବେଲଗୁଣ୍ଠା ଅଞ୍ଚଳର ଡି. ବାସୁ ନାମକ ଜଣେ ଯୁବକ ସେକେଣ୍ଡ ହ୍ୟାଣ୍ଡ ବାଇକ୍‌ କିଣିବା ପାଇଁ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଖୁଥିଲେ। ସେହି ସମୟରେ ଭୁବନେଶ୍ବର କଳ୍ପନା ଛକ ଅଞ୍ଚଳର ପ୍ରଶାନ୍ତଙ୍କ ବିଜ୍ଞାପନ ତାଙ୍କ ନଜରକୁ ଆସିଥିଲା। ବାଇକ୍‌ କିଣିବା ପାଇଁ ସେ ପ୍ରଶାନ୍ତଙ୍କ ସହ ଯୋଗାଯୋଗ କରିଥିଲେ। ଭୁବନେଶ୍ବର ଆସି ବାଇକ୍‌ ଦେଖି ପସନ୍ଦ ହେବା ପରେ ମୂଲଚାଲ ହୋଇଥିଲା। ଗତ ୫ତାରିଖ ଦିନ ଗାଡ଼ି କାଗଜପତ୍ର କରାଇବା ପୂର୍ବରୁ ବାଇକ୍‌ ବାବଦକୁ ଥିବା ଋଣ ଟଙ୍କା ଶୁଝିବା ପାଇଁ ପ୍ରଶାନ୍ତ ବାସୁଙ୍କୁ କହିଥିଲା।

ବାଇକ୍‌ ବାବଦକୁ ଥିବା ଋଣ ୪୬ହଜାର ଟଙ୍କା ପାଇଁ ବାସୁ ଫୋନ୍‌ ପେ’ରେ ପ୍ରଶାନ୍ତଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏହାପରେ ସେମାନେ ପଟିଆସ୍ଥିତ ଆର୍‌ଟିଓ-୨କୁ ଯିବା ପାଇଁ ଉକ୍ତ ବାଇକ୍‌ରେ ବାହାରିଥିଲେ। ‌ଅଧାବାଟରେ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଯିବାକୁ କହି ବାସୁଙ୍କୁ ବାଇକ୍‌ରୁ ଓହ୍ଲାଇଦେଇ ‌ପ୍ରଶାନ୍ତ ଫେରାର୍‌ ହୋଇଯାଇଥିଲା। ଏନେଇ ବାସୁ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଅଭିଯୁକ୍ତ ଡେଲାଙ୍ଗ ଅଞ୍ଚଳରେ ଥିବା ଜଣାପଡ଼ିବା ପରେ ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ଦମପୁରସ୍ଥିତ ଘରେ ଚଢ଼ଉ କରି ତାକୁ ଗିରଫ କରିବା ସହ ବାଇକ୍‌କୁ ଜବତ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର