ମା’ ଆସୁଛନ୍ତି: ଟଙ୍କପାଣି ରୋଡରେ ଆକର୍ଷଣ ସାଜିବ ରାଷ୍ଟ୍ରପତି ଭବନ

ଭୁବନେଶ୍ବର: ବ୍ରହ୍ମେଶ୍ବର ପାଟଣାଠାରେ ଥିବା ‘ଟଙ୍କପାଣି ରୋଡ ଦୁର୍ଗାପୂଜା କମିଟି’ ୧୪ ବର୍ଷରେ ପଦାର୍ପଣ କରିଛି। ଗତ ବର୍ଷ ହାଇକୋର୍ଟ ତୋରଣ କରି ଚର୍ଚ୍ଚାରେ ଥିବା ଏହି ପୂଜା କମିଟି, ଚଳିତ ବର୍ଷ ରାଷ୍ଟ୍ରପତି ଭବନ ତୋରଣ ନିର୍ମାଣ କରୁଛି। ଟଙ୍କପାଣି-ରବି ଟକିଜ୍‌ ମୁଖ୍ୟରାସ୍ତାରେ ୮୦ ଫୁଟ ଉଚ୍ଚତାର ବିରାଟକାୟ ରାଷ୍ଟ୍ରପତି ଭବନ ତୋରଣ ନିର୍ମାଣରେ ଶତାଧିକ କାରିଗର ଲାଗିଛନ୍ତି। କମିଟିର ନିଜସ୍ବ ପୂଜା ମଣ୍ଡପରେ ୧୭ ଫୁଟ ଉଚ୍ଚତାର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ।

ସମ୍ପୂର୍ଣ୍ଣ ଅଞ୍ଚଳକୁ ଅତ୍ୟାଧୁନିକ ଆଲୋକରେ ସଜାଇବା ସହ ରାଜାରାଣୀ ମନ୍ଦିର ଓ ଜଗନ୍ନାଥ ଆଶ୍ରମ ନିକଟରେ ଦୁଇଟି ବଡ଼ ଲାଇଟ୍‌ ଗେଟ୍‌ ପୂଜାର ଶୋଭା ବଢ଼ାଇବ। ଏଥିପାଇଁ ପାଖାପାଖି ୨୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ନବମୀ ଦିନ ସ୍ବତନ୍ତ୍ର ଭାବେ ନବକୁମାରୀ ପୂଜା କରାଯିବ। ଶାନ୍ତି ଶୃଙ୍ଖଳାର ସହ ପୂଜା ଶେଷ କରିବାକୁ କମିଟି ପକ୍ଷରୁ ଶହେ ଜଣ ସଦସ୍ୟ ନିୟୋଜିତ ହେବେ। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି ଲାଗିବା ସହ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କମିସନରେଟ ପୁଲିସ ସହଯୋଗରେ ଟିମ୍‌ ଗଠନ କରାଯିବ। ସପ୍ତମୀ ଠାରୁ ନବମୀ ପର୍ଯ୍ୟନ୍ତ ସଂଧ୍ୟାରେ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ରାଷ୍ଟ୍ରପତିଙ୍କୁ ସମର୍ପିତ ତୋରଣ
ଏଥର ମୁଖ୍ୟ ଆକର୍ଷଣ ସାଜିବ ରାଷ୍ଟ୍ରପତି ଭବନ। ଆମ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ତାଙ୍କୁ ସମ୍ମାନ ଜଣାଇବାକୁ ଆମେ ରାଷ୍ଟ୍ରପତି ଭବନ ନିର୍ମାଣ କରୁଛୁ।

-ଗୋଲକ ଦାସ, ସଭାପତି

୫ ହଜାର ଲୋକଙ୍କୁ ଖେଚୁଡ଼ି ବଣ୍ଟନ
ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାକୁ ମା’ଙ୍କ ପୂଜା କରାଯାଉଛି। ଟଙ୍କପାଣି ରୋଡ ଠାରୁ ରବିଟକିଜ୍‌ ପର୍ଯ୍ୟନ୍ତ ସମସ୍ତେ ପୂଜା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଆମେ ଚଳିତ ବର୍ଷ ୫ ହଜାର ଲୋକଙ୍କ ପାଇଁ ଖେଚୁଡ଼ି ବଣ୍ଟନ କରିବାର ବ୍ୟବସ୍ଥା କରିଛୁ।

-ସନ୍ତୋଷ ସାହୁ, ସଂପାଦକ

ଭସାଣିରେ ଶହେ ଘଣ୍ଟୁଆ
ପାରମ୍ପରିକ ବାଦ୍ୟରେ ଏଥର ମା’ଙ୍କୁ ମେଲାଣି ଦେବାକୁ ନିଷ୍ପତ୍ତି ନେଇଛୁ। ଘୋଡ଼ାନାଚ, ସିଘଂବାଜା, ତେଲିଙ୍ଗି ବାଜା ସହ ଏଥର ଭସାଣିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହେ ଜଣ ଘଣ୍ଟୁଆ ସାମିଲ ହେବେ।

-ସିଲନ୍‌ ଦାସ, କୋଷାଧ୍ୟକ୍ଷ

ସମ୍ବନ୍ଧିତ ଖବର