ଲୋକଙ୍କୁ ଶୀଘ୍ର ନ୍ୟାୟ ମିଳିବା ଆବଶ୍ୟକ: ଜଷ୍ଟିସ୍ ଏସ୍‌. ମୁରଲୀଧର

ଜୁଡିସିଆଲ କମ୍ପ୍ଲେକ୍ସ ଶୀଘ୍ର ସାରିବା ଉପରେ ଗୁରୁତ୍ୱାରୋପ

ପୁରୁଣା ଭୁବନେଶ୍ୱର: ସାଧାରଣ ଲୋକ ଶୀଘ୍ର ନ୍ୟାୟ ପାଇବା ଦରକାର। ଏଥିପାଇଁ ଆଇନଜୀବୀମାନେ କେସ୍ ଗୁଡ଼ିକ ଇ-ଫାଇଲିଂ କରିବା ଆବଶ୍ୟକ। ଏହାର ବ୍ୟବହାର ସଭିଏଁ ଜାଣିବା ଉଚିତ୍ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର କହିଛନ୍ତି। ଆଜି ଭୁବନେଶ୍ୱର କୋର୍ଟ ପରିସରରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ବିଚାରପତି ଡ. ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଲୋକଙ୍କୁ ନ୍ୟାୟ ଶୀଘ୍ର ଦେବା ପାଇଁ ଇ-ସର୍ଭିସେସ୍ ଜାଣିବା ସହ ଅଧିକ ବିଲ୍ଡିଂ ଓ ଅଧୁନିକ ଉପକରଣର ଆବଶ୍ୟକତା ରହିଛି। ଏଥିସହ ଇ-ଫାଇଲିଂ ସମ୍ପର୍କରେ ଆଇନଜୀବୀମାନଙ୍କୁ ବୁଝାଇଥିଲେ।

ସଂଘର ସଭାପତି ନିର୍ମଳ କିଶୋର ରଥ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କୋର୍ଟର ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଉପସ୍ଥାପନା କରିଥିଲେ। ସେ କହିଥିଲେ ଭୁବନେଶ୍ୱର କୋର୍ଟରେ ମୁଖ୍ୟ ସମସ୍ୟା ରହିଛି ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣ। ଭୁବନେଶ୍ୱରରେ ରାଜ୍ୟର ସବୁଠାରୁ ଅଧିକ କେସ୍‌ ହେଉଥିବାରୁ ଆଉ ଗୋଟିଏ ଫ୍ୟାମିଲି କୋର୍ଟ, ୨ଟି ସିଭିଲ୍ ଜଜ୍‌ ସିନିୟର ଡିଭିଜନ୍ କୋର୍ଟ, ଗୋଟିଏ ସିଭିଲ୍ ଜଜ୍‌ ଜୁନିୟର ଡିଭିଜନ୍ କୋର୍ଟ, ୧୦ଟି ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ କୋର୍ଟ ଖୋଲିବାକୁ ଦାବି ରଖିଥିଲେ। ମୁଖ୍ୟ ବିଚାରପତି ଡ. ମୁରଲୀଧର ଏହି ସବୁ ନୂତନ କୋର୍ଟ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ସଂଘର ବରିଷ୍ଠ ସଦସ୍ୟ ଶିବାନନ୍ଦ ରାୟ, ବାର୍ କାଉନ୍‌ସିଲ୍‌ର ପୂର୍ବତନ ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠୀ, ପ୍ରଭାସ ପୂଜାରୀ ପରିଡ଼ା ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଓକିଲ ସଂଘର ସମ୍ପାଦକ ରାଜକିଶୋର ଦାସ ସ୍ୱାଗତ ଭାଷଣ ଦେବା ସହ ନିର୍ମାଣ ଚାଲିଥିବା ଜୁଡିସିଆଲ କମ୍ପ୍ଲେକ୍ସ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ସଂଘ ପକ୍ଷରୁ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଥିଲେ। ଉପ ସଭାପତି ଦେବୀଦତ୍ତ ବାରିକ ସଭା ସଂଯୋଜନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା ଧନ୍ୟବାଦ ଦେଇଥିଲେ।

ସହ ସମ୍ପାଦକ ଶିବ ନାରାୟଣ ସାହୁ, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ବରିଷ୍ଠ ଆଇନଜୀବୀ ନିର୍ମଳ ପଟ୍ଟନାୟକ, ଅରୂପ ଚାନ୍ଦ, ସୁଦାମ ଦାସ, ପ୍ରମୋଦ ପଟ୍ଟନାୟକ, ସୁରେଶ ଦାସ, ଅଭିଜିତ୍ ମିଶ୍ର, ଅସିତ ମହାପାତ୍ର, ନାରାୟଣ ଜେନା, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଅମରେଶ ସ୍ୱାଇଁ, ଅମୂଲ୍ୟ ପ୍ରସାଦ ନାୟକ, ଲିନା ପଟ୍ଟନାୟକ, ପ୍ରମିଳା ଜାଲି ପ୍ରମୁଖ ଉପସ୍ଥିତ ଥିଲେ। ସଭା ଆରମ୍ଭ ପୂର୍ବରୁ ମୁଖ୍ୟ ବିଚାରପତି ଡ. ମୁରଲୀଧର ଅପରାହ୍ନରେ ହାଇକୋର୍ଟର ରେଜିଷ୍ଟ୍ରାର, ଭୁବନେଶ୍ୱର ଜିଲ୍ଲା ଜଜ୍‌ ରାମଶଙ୍କର ହୋତା, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ନିର୍ମାଣ ବିଭାଗ ଅଧିକାରୀ ଓ ଜୁଡିସିଆଲ ଅଫିସର ପ୍ରମୁଖଙ୍କୁ ଡାକି ଜୁଡିସିଆଲ କମ୍ପ୍ଲେକ୍ସ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ପୂର୍ବାହ୍ନରେ ସଂଘ ପକ୍ଷରୁ ଅନୁଷ୍ଠିତ ଇ-ଫାଇଲିଂ ସମ୍ପର୍କିତ ଏକ ଭର୍ଚୁଆଲ ସେମିନାରକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର