ଆମାଜନ, ଫ୍ୟୁଚର ଅଧିକାରୀଙ୍କୁ ଇଡିର ସମନ: ଚୁକ୍ତି ରଦ୍ଦ ପାଇଁ ସିସିଆଇକୁ ଆମାଜନର ଚିଠି

ନୂଆଦିଲ୍ଲୀ: ଆମାଜନ୍ ଏବଂ ଫ୍ୟୁଚର କୁପନ୍ସ ପ୍ରାଇଭେଟ୍ ଲିମିଟେଡ (ଏଫ୍‌ସିପିଏଲ୍‌) ମଧ୍ୟରେ ୨୦୧୯ ମସିହାରେ ହୋଇଥିବା ବାଣିଜ୍ୟିକ ରାଜିନାମାରେ ବିଦେଶୀ ନିବେଶ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ଦୁଇ କମ୍ପାନିର ବରିଷ୍ଠ ଅଧିକାରୀଙ୍କୁ ସମନ୍ କରିଛି। ଉକ୍ତ ଚୁକ୍ତିରେ ଆମାଜନ ଭାରତର ବିଦେଶୀ ମୁଦ୍ରା ବିନିମୟ ଓ ନିବେଶ ଆଇନକୁ ଉଲ୍ଲଂଘନ କରିଛି କି ନାହିଁ ତାହାର ଅନୁଧ୍ୟାନ ଇଡି କରୁଛି। ଉଲ୍ଲେଖଯୋଗ୍ୟ, ୨୦୧୯ ମସିହାରେ ଏଫସିପିଏଲ୍‌ର ୪୯ ପ୍ରତିଶତ ଅଂଶଧନ କିଣିବା ପାଇଁ ଆମାଜନ ୧୯୧ ନିୟୁତ ଡଲାର ବା ପ୍ରାୟ ୧୪୩୦୦ କୋଟି ଟଙ୍କା ନିବେଶ କରିଛି।

ଫ୍ୟୁଚର ରିଟେଲ ଲିମିଟେଡରେ ଏଫ୍‌ସିପିଏଲ୍‌ର ପ୍ରାୟ ୧୦ ପ୍ରତିଶତ ଅଂଶଧନ ରହିଛି। ଫ୍ୟୁଚର କୁପନ ହେଉଛି ଫ୍ୟୁଚର ଗ୍ରୁପର ଗିଫ୍ଟ ଭାଉଚର ୟୁନିଟ। ଫ୍ୟୁଚର ରିଟେଲ ଅଧୀନରେ ବିଗ୍ ବଜାର, ଫୁଡ୍ ବଜାର ଏବଂ ଇଜିଡେ ଚେନ୍ ‌ଭଳି ଏକାଧିକ ରିଟେଲ ଷ୍ଟୋର୍‌ ପରିଚାଳିତ ହେଉଛି। ଫ୍ୟୁଚର ଗ୍ରୁପ୍‌ର ଅତିକମ୍‌ରେ ଦୁଇଜଣ ବରିଷ୍ଠ ଅଧିକାରୀ ଆସନ୍ତାମାସ ପ୍ରଥମାର୍ଦ୍ଧରେ ହାଜର ହେବା ପାଇଁ ସମନରେ ଉଲ୍ଲେଖ ରହିଛି। ସେହିଭଳି ଆମାଜନ ଇଣ୍ଡିଆର ମଧ୍ୟ ଅତିକମ୍‌ରେ ଦୁଇଜଣ ଅଧିକାରୀଙ୍କୁ ହାଜର ହେବା ପାଇଁ କୁହାଯାଇଛି। ଇଡି ପକ୍ଷରୁ ଜାରି ହୋଇଥିବା ସମନ ଆମେ ପାଇଛୁ ବୋଲି ଆମାଜନର ପ୍ରବକ୍ତା କହିଛନ୍ତି। ଫ୍ୟୁଚର ଗ୍ରୁପ୍ ସହିତ ‌ହୋଇଥିବା ରାଜିନାମା ପ୍ରସଙ୍ଗରେ ଏହି ସମନ ହୋଇଛି। ଏହାର ପରୀକ୍ଷାନିରୀକ୍ଷା ଆମେ କରୁଛୁ ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏହାର ଉତ୍ତର ଦିଆଯିବ ବୋଲି ପ୍ରବକ୍ତା ଜଣକ କହିଛନ୍ତି। ଫ୍ୟୁଚର ରିଟେଲ ଚେନ୍‌କୁ ଏସିଆର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନି କରିଥିବା କ୍ରୟ ଚୁକ୍ତିକୁ ଅଟକାଇବା ପାଇଁ ଆମାଜନ ଯଥାସାଧ୍ୟ ଉଦ୍ୟମ ଚଳାଇଛି।

ଚୁକ୍ତି ରଦ୍ଦ ପାଇଁ ସିସିଆଇକୁ ଆମାଜନର ଚିଠି
ନୂଆଦିଲ୍ଲୀ: ଭାରତର ବର୍ଦ୍ଧିତ ରିଟେଲ ବଜାରକୁ ନିଜ ନିଜ କବ୍‌ଜାକୁ ନେବାପାଇଁ ବିଶ୍ବର ଦୁଇ ପ୍ରମୁଖ ଧନୀ ବ୍ୟକ୍ତି ଯଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ୍ ଏବଂ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି। ସେମାନଙ୍କ ମଧ୍ୟରେ ଏବେ ଆଇନଗତ ଲଢ଼େଇ ଚାଲିଛି। ଏଭଳି ସ୍ଥିତିରେ ରିଲାଏନ୍ସକୁ ଫ୍ୟୁଚର ରିଟେଲର ସଂପତ୍ତିକୁ ୩୪୦ କୋଟି ଡଲାରରେ ବିକ୍ରି ପାଇଁ ହୋଇଥିବା ଚୁକ୍ତିକୁ ଯେଉଁ ମଞ୍ଜୁରି ଦେଇଛି ତାହାକୁ ରଦ୍ଦ କରିବା ପାଇଁ ଆମାଜନ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ)କୁ ଚିଠି ଲେଖିଛି। ସିସିଆଇଠାରୁ ଉକ୍ତ ମଞ୍ଜୁରି ବେଆଇନ ଭାବେ ହାସଲ କରାଯାଇଛି ବୋଲି ଆମାଜନ ଅଭିଯୋଗ କରିଛି। ମଧ୍ୟସ୍ଥତାଙ୍କ ନିର୍ଦ୍ଦେଶ ବୈଧ ଥିବାବେଳେ ଆଇନଗତ ଦୃଷ୍ଟିରୁ ଏହି ଚୁକ୍ତିର କୌଣସି ମାନେ ନାହିଁ ବୋଲି ସିସିଆଇକୁ ଆମାଜନ ଲେଖିଥିବା ଚିଠିରେ ଦର୍ଶାଇଛି। ଉଲ୍ଲେଖଯୋଗ୍ୟ, ଆମାଜନ ଗତବର୍ଷ ସିଙ୍ଗାପୁରର ଆର୍ବିଟ୍ରେଟରଙ୍କ ନିକଟରୁ ଉକ୍ତ ରାଜିନାମା ଉପରେ ରହିତାଦେଶ ଆଣିଥିଲା। ଆମାଜନ ସହିତ ଫ୍ୟୁଚର ପୂର୍ବରୁ କରିଥିବା ରାଜିନାମାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ଏଭଳି ରହିତାଦେଶ ପାଇଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସିସିଆଇ ୨୦୧୯ରେ ଏହି ରାଜିନାମାକୁ ମଞ୍ଜୁରି ଦେଇଥିଲା। ଚୁକ୍ତି ସଂପର୍କରେ ଫ୍ୟୁଚର ସିସିଆଇକୁ ଭ୍ରମିତ କରିଛି ବୋଲି ଆମାଜନ ଏହାର ଚିଠିରେ ଦର୍ଶାଇଛି।

ସମ୍ବନ୍ଧିତ ଖବର