ଶାସ୍ତ୍ରୀନଗର ଶୁଭଶ୍ରୀ ହତ୍ୟା ମାମଲା: ନୟାଗଡ଼ରୁ ଧରାପଡ଼ିଛି ହତ୍ୟାକାରୀ!

ପ୍ରଚ୍ଛଦପଟରେ ପ୍ରେମ କାହାଣୀ

ଭୁବନେଶ୍ୱର: ଖାରବେଳନଗର ଥାନା ଶାସ୍ତ୍ରୀନଗର‌ରେ ଘଟିଥିବା ଶୁଭଶ୍ରୀ ମହାପାତ୍ର ହତ୍ୟା ମାମଲାରେ ପୁଲିସ ହତ୍ୟାକାରୀକୁ ଆପାତତଃ ଠାବ କରିସାରିଛି। ମାତ୍ର ତଦନ୍ତ ସରିନଥିବା କାରଣରୁ ପୁଲିସ ଅଟକ ରଖିଥିବା ସନ୍ଦିଗ୍ଧକୁ ହତ୍ୟାକାରୀ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିନାହିଁ।

ଗତକାଲି ରାତିରେ ତାକୁ ନୟାଗଡ଼ରୁ ଉଠାଯାଇଛି ଓ ଥାନାରେ ଘନଘନ ଜେରା ଚାଲିଛି। ପ୍ରେମଜନିତ ବିବାଦ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସ ହାତରେ ଯଥେଷ୍ଟ ପ୍ରମାଣ ଲାଗିଛି। ଖୋଦ୍‌ ଡିସିପି, ଏସିପି ଓ ଆଇଆଇସି ତାକୁ ଜେରା କରୁଥିବା ବେଳେ ଅନ୍ୟ ଏକ ଟିମ୍‌ ଅଭିଯୁକ୍ତର ମୋବାଇଲ୍‌ ଫୋନ୍‌ରୁ ତଥ୍ୟ ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି। ତେଣୁ ଖୁବ୍‌ ଶୀଘ୍ର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ସନ୍ଦେହର କାରଣ ୪୫ ମିନିଟ୍‌ରେ ୭ଥର କଲ୍‌

ଶୁଭଶ୍ରୀଙ୍କ ଫୋନ୍‌ ଯାଞ୍ଚ କରୁଥିବା ପୁଲିସ ଟିମ୍‌ ହାତରେ ଲାଗିଛି ସନ୍ଦେହର ବଡ଼ କାରଣ। ଘଟଣାଦିନ ସନ୍ଧ୍ୟା ସମୟରେ ସନ୍ଦିଗ୍ଧ ଯୁବକଙ୍କୁ ଶୁଭଶ୍ରୀ ବାରମ୍ବାର କଲ୍‌ କରିଥିବା ଜଣାପଡ଼ିଛି। ୪୫ ମିନିଟ୍‌ରେ ସେ ପ୍ରାୟ ୭ ଥର କଲ୍‌ କରିଛନ୍ତି। ସନ୍ଧ୍ୟା ୬ଟାରୁ ୬.୪୫ ମିନିଟ୍‌‌ ଭିତରେ ଶୁଭଶ୍ରୀ ତାକୁ ୭ ଥର ଫୋନ୍‌ କରିଥିବା ସିଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି। ଶେଷ କଲ୍‌ରେ ସେ ସନ୍ଦିଗ୍ଧ ସହ ପ୍ରାୟ ୨୭ ସେକେଣ୍ଡ ପାଇଁ କଥା ହୋଇଛନ୍ତି। ଏହା ବାଦ୍‌ ପୁଲିସ ଅନନ୍ତଙ୍କୁ ପଚରାଉଚରା କଲା ବେଳେ ଶୁଭଶ୍ରୀ ଓ ଉକ୍ତ ସନ୍ଦିଗ୍ଧ ବାବଦରେ ବି ସମ୍ୟକ୍‌ ସୂଚନା ପାଇଥିବା ଜଣାପଡ଼ିଛି।

ଏମିତିକି ଶୁଭଶ୍ରୀଙ୍କ ବାପା ମା’, ମାମୁ ଓ ମାଇଁଙ୍କୁ ହୋଇଥିବା ପଚରାଉଚରାରୁ ମଧ୍ୟ ପୁଲିସକୁ ସନ୍ଦିଗ୍ଧ ବାବଦରେ କିଛି ସୂଚନା ମିଳିଥିଲା। ଏନେଇ ପୁଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଶୁଭଶ୍ରୀଙ୍କ କଲ୍‌ ରେକର୍ଡରୁ ସନ୍ଦିଗ୍ଧର ମୋବାଇଲ୍‌ ନମ୍ବର ମିଳିଥିଲା ଓ ପୁଲିସ ଟ୍ରାକ୍‌ କରି ନୟାଗଡ଼ରେ ପହଞ୍ଚିଥିଲା। ତାକୁ ନୟାଗଡ଼ରୁ ଉଠାଇବା ପରେ ପୁଲିସ ତା’ ମୋବାଇଲ୍‌ ଫୋନ୍‌ ଜବତ କରି ଯାଞ୍ଚ କରିଥିଲା। ଘଟଣାଦିନ ସେ ଭୁବନେଶ୍ବରରେ ସତ୍ୟନଗରରେ ଥିବା ଜଣାପଡ଼ିଛି। ରାତି ପ୍ରାୟ ୮ଟା ପରେ ସେ ଭୁବନେଶ୍ବର ଛାଡ଼ି ନୟାଗଡ଼ ଚାଲିଯାଇଥିବା ତା ମୋବାଇଲ୍‌ର ଲୋକେସନ୍‌ ରେକର୍ଡରୁ ଜଣାପଡ଼ିଛି।

ପ୍ରେମ ଫେସ୍‌ବୁକ୍‌ରୁ ନା ପୁରୁଣା?

ସୂଚନାନୁସାରେ ଶୁଭଶ୍ରୀ ଓ ସନ୍ଦିଗ୍ଧର ଘର ନୟାଗଡ଼ ଜିଲ୍ଲାରେ। ଫେସ୍‌ବୁକ୍‌ରୁ ସେମାନଙ୍କର ବନ୍ଧୁତା ହୋଇଥିଲା। ଘନିଷ୍ଠତା ବଢ଼ିବଢ଼ି ମେସେଞ୍ଜରରେ ଚାଟିଂ ଯାଏ କଥା ଯାଇଥିଲା ଓ ଫୋନ୍‌ ନମ୍ବର ଦିଆନିଆ ହୋଇ ଘଣ୍ଟା ଘଣ୍ଟା କଥାବାର୍ତ୍ତା ଚାଲିଥିଲା। କଥା ଏତିକିରେ ଅଟକିନଥିଲା। ସେମାନେ ମଝିରେ ମଝିରେ ପରସ୍ପରକୁ ଭେଟୁଥିଲେ। ସେତେବେଳେ ଶୁଭଶ୍ରୀ ତାଙ୍କ ସ୍ବାମୀ ଅନନ୍ତ ନାରାୟଣ ନାଥଙ୍କ ସହ ପଟିଆରେ ରହୁଥଲେ। ସେମାନଙ୍କ ଲୁଚାଛପା ପ୍ରେମ କିନ୍ତୁ ବେଶି ଦିନ ଅଛପା ରହିନଥିଲା। ଅନନ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ଘରେ ପାଟିତୁଣ୍ଡ ହୋଇଥିଲା। ଏମିତିକି ମାରପିଟ୍‌ ପର୍ଯ୍ୟନ୍ତ କଥା ବଢ଼ିଥିଲା।

ତେବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ଓ ଶୁଭଶ୍ରୀ ଉକ୍ତ ଯୁବକ ସହ ଆଉ କୌଣସି ସମ୍ପର୍କ ରଖିବେ ନାହିଁ ବୋଲି ସ୍ବାମୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଅନନ୍ତ ଗତ ଫେବ୍ରୁଆରି ମାସରେ ପଟିଆରୁ ଭଡ଼ା ଘର ଛାଡ଼ି ଶାସ୍ତ୍ରୀନଗରକୁ ଚାଲିଆସିଥିଲେ। କିନ୍ତୁ ଯାହା ଜଣାପଡ଼ିଛି ଶୁଭଶ୍ରୀ ଓ ଉକ୍ତ ସନ୍ଦିଗ୍ଧ ଭିତରେ ସମ୍ପର୍କ ପୂର୍ବ ଭଳି ଅତୁଟ ଥିଲା। ତେଣୁ ଯୁବକ ଜଣକ ମଧ୍ୟ ଦୁଇ ମାସ ହେଲା ସତ୍ୟନଗରରେ ଘର ଭଡ଼ା ନେଇ ରହିଥିଲା ବୋଲି ଜଣାପଡ଼ିଛି। ବଡ଼ କଥା ହେଉଛି ସେମାନଙ୍କ ପ୍ରେମ ନୂଆ କି ପୁରୁଣା ତାହାକୁ ନେଇ ଖୋଳତାଡ୍‌ ଚାଲିଛି। ଦୁଇଜଣଙ୍କ ଘର ନୟାଗଡ଼ରେ ହୋଇଥିବାରୁ ସେମାନେ ପୂର୍ବରୁ ପରିଚିତ ଥିବା ନେଇ ସନ୍ଦେହ କରାଯାଉଛି। ଏଣେ ଶୁଭଶ୍ରୀ ଓ ଅନନ୍ତ ମଧ୍ୟ ଭଲ ପାଇ ବିବାହ କରିଥିଲେ। ତେଣୁ ଏସବୁ ପଛରେ ତ୍ରିକୋଣୀୟ ପ୍ରେମର କରୁଣ ପରିଣତି ଥିବା ମଧ୍ୟ ଅନୁମାନ କରାଯାଉଛି।

ମିଛଧରା ପରୀକ୍ଷା ହେବ!

ଗତକାଲି ରାତିରୁ ସନ୍ଦିଗ୍ଧକୁ ଉଠାଯାଇଥିଲେ ବି ଆଜି ସକାଳୁ ତାକୁ ଜେରା କରାଯାଇଛି। କିନ୍ତୁ ପ୍ରଥମରୁ ସେ ପୁଲିସକୁ ଗାଲୁ ମାରିଚାଲିଛି। ମୋବାଇଲ୍‌ କଲ୍‌ ରେକର୍ଡକୁ ବି ମାନିବାକୁ ପ୍ରସ୍ତୁତ ହୋଇନାହିଁ। ସତ୍ୟନଗରରେ କ’ଣ ପାଇଁ ରହୁଥିଲା, ସତ୍ୟନଗରରେ ରହଣି ଭିତରେ ସେ ଶୁଭଶ୍ରୀଙ୍କୁ କେତେଥର ଭେଟୁଥିଲା, ସେମାନଙ୍କ ମଧ୍ୟରେ ଫେସ୍‌ବୁକ୍‌ ସମ୍ପର୍କରୁ ଅଧିକ କିଛି ଥିଲା କି ନାହିଁ, ଏଭଳି ବହୁ ପ୍ରଶ୍ନକୁ ସେ ବଡ଼ ଚତୁରତାର ସହ ଏଡ଼ାଇ ଚାଲିଥିଲା। ତେଣୁ ପୁଲିସ ତାକୁ ମିଛଧରା ପରୀକ୍ଷାର ସମ୍ମୁଖୀନ କରାଇବାକୁ ଯୋଜନା କରିଛି। ତେବେ ବିଳମ୍ବିତ ରାତି ସୁଦ୍ଧା ସେ ବହୁ କଥାକୁ ମାନିଯାଇଥିବା ଜଣାପଡ଼ିଛି।

ପ୍ରକାଶ ଥାଉ କି ମଙ୍ଗଳବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। ଶାସ୍ତ୍ରୀନଗରସ୍ଥିତ ଭଡ଼ା ଘରୁ ଶୁଭଶ୍ରୀଙ୍କୁ ମୁମୂର୍ଷୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାମୀ ଅନନ୍ତ ତାଙ୍କୁ କାର୍‌ ଯୋଗେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ହେଁ ସେତେବେଳକୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା। କେହି ତାଙ୍କ ବେକରେ ରଶି ବାନ୍ଧି ଚାପି ଦେବାରୁ ତାଙ୍କ ମୃତ୍ୟୁ ହୋଇଥିଲା। ଖଟ ଉପରେ ତାଙ୍କ ମୃତଦେହ ପଡ଼ିଥିବା ବେଳେ ପୁଅ ଓ ଟ୍ୟୁସନ୍‌ ଶିକ୍ଷୟିତ୍ରୀ ଏହା ଦେଖି ଅନନ୍ତଙ୍କୁ ଜଣାଇଥିଲେ। ଘର ଭିତରେ ଲୁଟ୍‌ପାଟର ଚିହ୍ନବର୍ଣ୍ଣ ନଥିବାରୁ କେହି ଟାର୍ଗେଟ୍‌ କରି ଶୁଭଶ୍ରୀଙ୍କୁ ହତ୍ୟା କରିଛି ବୋଲି ପ୍ରଥମରୁ ଅନୁମାନ କରାଯାଉଥିଲା।

ସମ୍ବନ୍ଧିତ ଖବର