ପୂର୍ବରୁ ଅନେକ ଥର ଓଡ଼ିଶା ଆସିଥିଲି, ଏଥର ସ୍ଥିତି ଅଲଗା ଦେଖାଯାଉଛି: ରାଜନାଥ ସିଂହ

ଭୁବନେଶ୍ବର/ରାୟଗଡ଼ା: ପୂର୍ବରୁ ଅନେକ ଥର ଓଡ଼ିଶା ଆସିଥିଲି। ଏଥର ମଧ୍ୟ ଓଡ଼ିଶା ଆସିଛି। କିନ୍ତୁ ଏଥର ସ୍ଥିତି ଅଲଗା ଦେଖାଯାଉଛି। ଭାରତୀୟ ଜନତା ପାର୍ଟି ଓଡ଼ିଶାର କେତୋଟି ଲୋକସଭା ଆସନରେ ବିଜୟ ହାସଲ କରିବ ବୋଲି ପଚରାଗଲେ, କିଛି ଲୋକେ କହୁଥିଲେ ୨। ସେହିଭଳି ଅନ୍ୟମାନେ କହୁଥିଲେ ୭ ଅଥବା ୮। ଏଥର କିନ୍ତୁ ଓଡ଼ିଶାବାସୀ କହୁଛନ୍ତି, ୨୧ରୁ ୨୧ ଲୋକସଭା ଆସନରେ ବିଜେପି ଜିତିବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ଏହା କହିଛନ୍ତି। ବିଜେପିର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଆପଣଙ୍କର ବିଜେପି ସାଂସଦ ପ୍ରାର୍ଥୀ ବିଜୟୀ ହେଲେ ସଂସଦରେ ଭଲ କାମ କରିପାରିବେ। ଆପଣଙ୍କର ସମସ୍ୟାକୁ ଉପସ୍ଥାପନ କରିବେ। ଦେଶକୁ ଏଭଳି ଯୁବ ସାଂସଦ ଦରକାର ଅଛି।

ଶ୍ରୀ ସିଂହ କହିଛନ୍ତି, କେନ୍ଦ୍ରରେ ବିଗତ ୧୦ ବର୍ଷ ହେଲା ମୋଦୀଙ୍କ ସରକାର ଜାରି ରହିଛି। ମୋଦୀଙ୍କ ସରକାର କେମିତି ଚାଲିଛି? ସ୍ବାଧୀନ ଭାରତରେ ଦୀର୍ଘ ଦିନ ଧରି କଂଗ୍ରେସ ସରକାର ରହିଛି। କିନ୍ତୁ ଏଠାରୁ ଗରିବୀ ହଟିନଥିଲା। କିନ୍ତୁ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଗରିବୀରୁ ଭଲ ସ୍ତରକୁ ଆସିଛନ୍ତି। ବିଶ୍ବର ଜନତା ଚାହୁଁଛନ୍ତି, ମୋଦୀ ଆଗକୁ ମଧ୍ୟ ସରକାର ଗଢ଼ନ୍ତୁ। ଏହି ଓଡ଼ିଶାରେ ବଡ଼ସଂଖ୍ୟାରେ ଗରିବୀ ଦେଖାଯାଉଥିଲା। କିନ୍ତୁ ପୂର୍ବ ତୁଳନାରେ ଏବେ ପରିବର୍ତ୍ତନ ଦେଖାଯାଉଛି। ସମସ୍ତଙ୍କୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ହେବାର ଅଛି। ସମସ୍ତଙ୍କୁ ଶୌଚାଳୟ ଓ ଗ୍ୟାସ ମଧ୍ୟ ଦରକାର ଅଛି।

ଓଡ଼ିଶାରେ ବିଜେପି ସରକାର ଆସିଲେ ଲୋକଙ୍କର ବହୁ ଅସୁବିଧା ଦୂର ହେବ। ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ପ୍ରତ୍ୟେକ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କାର ଲେଖାଏଁ ଚିକିତ୍ସା ସୁବିଧା ମିଳିବ। ସେହିଭଳି ସବୁ ବର୍ଗର ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ ୫ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଦେବାକୁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ରାଜନାଥ କହିଛିନ୍ତି, ଆମେ ଯାହା କହୁ, ତାହା କରୁ। ଏହା ଆମ ଚରିତ୍ର। ଆମେ ୩୭୦ ହଟାଇବୁ କହିଥିଲୁ, ହଟାଇଲୁ। ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ। ଆମ ସରକାର ଆସିବା ପରେ ଆତଙ୍କବାଦୀ ଆକ୍ରମଣ କମିଛି ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି। ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ସରକାର ଓ ୨୫ ବର୍ଷ ବିଜେଡି ସରକାର ଦେଖିଲେ। ଏଥର ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣନ୍ତୁ।

ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, ଏହା ହେଉଛି ଜଗନ୍ନାଥଙ୍କ ମାଟି। ମହାପ୍ରଭୁଙ୍କ ପ୍ରତି ପୂରା ବିଶ୍ବର ଜନତାଙ୍କ ଗଭୀର ଶ୍ରଦ୍ଧା ରହିଛି। ଏଭଳି ମାଟିର ଜନତା ମୋର ଭବ୍ୟ ସ୍ବାଗତ କରିଛନ୍ତି। ମୁଁ ମଧ୍ୟ ଆପଣଙ୍କୁ ମୁଣ୍ଡ ନୂଆଇଁ ସ୍ବାଗତ କରୁଛି।

ସମ୍ବନ୍ଧିତ ଖବର