ସ୍ବଦେଶୀ ମେଳାରେ ଜମିଲା ଭିଡ଼

ଚନ୍ଦ୍ରଶେଖରପୁର: ସରି ଆସୁଛି ସ୍ବଦେଶୀ ମେଳା। ଚନ୍ଦ୍ରଶେଖରପୁର ଡମଣା ଛକ ନିକଟ କ୍ଲବ୍‌ ଟାଉନ୍‌ ପଡ଼ିଆଠାରେ ଗତ ୨୫ ତାରିଖଠାରୁ ଚାଲିଥିବା ଏହି ମେଳା ଆଉ ଗୋଟିଏ ଦିନ ବାକି ଥିବା ବେଳେ ଭିଡ଼ ଜମିବାରେ ଲାଗିଛି। ଆଜି ରବିବାର ଥିବାରୁ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ ଏହି ମେଳାରେ ଦେଖିବାକୁ ମିଳିଥିଲା। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ବଦେଶୀ ସାମଗ୍ରୀ କିଣିବା ପାଇଁ ଅପରାହ୍‌ଣରୁ ଭିଡ଼ ଜମାଇଥିଲେ। କିଏ ପିଲାଙ୍କ ଲାଗି ଖେଳଣା କିଣିଥିଲେ ତ ଆଉ କିଏ ଘରସଜ୍ଜା ସାମଗ୍ରୀ। କମ୍‌ ମୂଲ୍ୟରେ ଉନ୍ନତମାନର ସାମଗ୍ରୀ ଉପଲବ୍ଧ ହେଉଥିବାରୁ ସୁଯୋଗକୁ ହାତଛଡ଼ା କରିବାକୁ ଗ୍ରାହକ ଚାହୁନାହାନ୍ତି। ସ୍ବଦେଶୀ ମେଳାରେ ଏଥର ଆକର୍ଷଣ ପାଲଟିଛି ଘରକରଣା ସାମଗ୍ରୀ। ରୋଷେଇ ସାମଗ୍ରୀଠାରୁ ଆରମ୍ଭ କରି ସୋଫା ପର୍ଯ୍ୟନ୍ତ ସବୁ କିଛି ଏଠାରେ ଉପଲବ୍ଧ ହେଉଛି। ସାଧାରଣ ପରିବାରକୁ ସୁହାଇଲା ପରି ଦାମ ରହିଛି। ଗୋଟିଏ ସ୍ଥାନରେ ଘର ପାଇଁ ଆବଶ୍ୟକୀୟ ସମସ୍ତ ସାମଗ୍ରୀ ମିଳୁଥିବାରୁ ଏହାର ଭରପୂର୍‌ ଫାଇଦା ଉଠାଉଛନ୍ତି ଗ୍ରାହକ। ପରିବା କାଟିବା ଲାଗି ଅତ୍ୟାଧୁନିକ ସାମଗ୍ରୀର ମୂଲ୍ୟ ୨୦୦ ଟଙ୍କାରୁ ଆରମ୍ଭ କରି ୮୦୦ ଟଙ୍କା ମଧ୍ୟରେ ରହିଥିବା ବେଳେ ସୋଫାର ମୂଲ୍ୟ ୧୦ ହଜାର ଟଙ୍କାରୁ ଆରମ୍ଭ ହେଉଛି। ବ୍ୟବସାୟୀ ସୁନାକର ମହାନ୍ତି କୁହନ୍ତି, ଏଥର ଭଲ ବ୍ୟବସାୟ ହୋଇଛି। ଗତବର୍ଷ ତୁଳନାରେ ଏଥର ଗ୍ରାହକଙ୍କ ମଧ୍ୟରେ ଅଧିକ ଆଗ୍ରହ ପରିଲକ୍ଷିତ ହେଉଛି। ଛୁଟି ଦିନରେ ଅଧିକ ଗହଳି ହୋଇଛି। ଗତକାଲି ଓ ଆଜି ଭଲ ବ୍ୟବସାୟ ହୋଇଛି। ସୋମବାର ମେଳା ଶେଷ ହେଉଥିବାରୁ ଭଲ ବେପାର ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସ୍ବଦେଶୀ ବସ୍ତ୍ର ପରିଧାନ କରିବାକୁ ରାଜଧାନୀବାସୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି। ୨୦୦ ଟଙ୍କାରୁ ପୁରୁଷଙ୍କ ଲାଗି ସାର୍ଟ, କୁର୍ତା ମିଳୁଥିବା ବେଳେ ମହିଳା ଓ ଯୁବତୀଙ୍କ ପାଇଁ କୁର୍ତି, ଶାଢ଼ି, ସାଲ୍‌ଵାର ଆଦି ଉପଲବ୍ଧ ହେଉଛି। ଓଡ଼ିଶା ସମେତ ରାଜ୍ୟ ବାହାରର ବ୍ୟବସାୟୀମାନେ ମେଳାରେ ସାମିଲ ହୋଇ ସାମଗ୍ରୀ ବିକ୍ରିବଟା କରୁଛନ୍ତି।

ସମ୍ବନ୍ଧିତ ଖବର