ଉପନ୍ୟାସ ‘ପରାଗ’ର ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ: ଘଟଣାବହୁଳ ମଣିଷ ଜୀବନରୁ ଉପନ୍ୟାସର ସୃଷ୍ଟି

ଭୁବନେଶ୍ୱର: ଇଡିକଲ୍‌ ଅଡିଟୋରିୟମ୍‌ରେ ଆଜି ବିଶିଷ୍ଟ କଥାଶିଳ୍ପୀ ଶରତ ଚନ୍ଦ୍ର ବସନ୍ତିଆଙ୍କ ଉପନ୍ୟାସ ‘ପରାଗ’ର ଦ୍ବିତୀୟ ସଂସ୍କରଣ ଲୋକାର୍ପିତ ହୋଇଯାଇଛି। ସାରଳା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସଦର ସଭାପତି ପ୍ରଭାକର ସ୍ୱାଇଁ ସଭାପତିତ୍ବ କରିଥିଲେ। ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୂସୁଦନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଔପନ୍ୟାସିକ ଶ୍ରୀ ବସନ୍ତିଆଙ୍କ ଏହି ଉପନ୍ୟାସଟି ସ୍ବାଧୀନତା ସମୟର ସାମାଜିକ ଚାଲିଚଳଣି ଉପରେ ପର୍ଯ୍ୟବସିତ। ସେ ସମୟରେ ବିଧବା ବିବାହକୁ ସମାଜ ଗ୍ରହଣ କରୁ ନଥିଲା। କିନ୍ତୁ ଉପନ୍ୟାସର ମୁଖ୍ୟ ଚରିତ୍ର ସାମାଜିକ ବାଧାବନ୍ଧନକୁ ଭାଙ୍ଗି ଜଣେ ବିଧବାର ହାତ ଧରିଛନ୍ତି। ଅତ୍ୟନ୍ତ ସରଳ ଭାଷାରେ ରଚିତ ଏହି ଉପନ୍ୟାସଟି ପାଠକାଦୃତି ପାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ବିଶିଷ୍ଟ ସାହିତ୍ୟିକ ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ‌ଦେଇ କହିଥିଲେ ଯେ ଘଟଣା ବହୁଳ ମଣିଷ ଜୀବନରୁ ହିଁ ଉପନ୍ୟାସର ସୃଷ୍ଟି। ଶେଷରେ ଲେଖକ ଶ୍ରୀ ବସନ୍ତିଆ ଉପନ୍ୟାସ ଲେଖା ସମୟରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ସଭାପତି ଶ୍ରୀ ସ୍ବାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ କ୍ଷୀରୋଦ ଦାସ ଧନ୍ୟବାଦ ଦେଇଥିଲେ। କମଲ କିରଣ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର