ଜଣେ ‘ସିରିଏଲ୍‌ କିଲର୍‌’ ସମ୍ପର୍କରେ

ମନ ପରିଭାଷା - ଡ. ଫକୀର ମୋହନ ସାହୁ

ଯୁକ୍ତରାଷ୍ଟ୍ର ଆମେରିକାର ଲୁଇଭିଲେଠରେ ଧରାପଡ଼ିଥିବା ୭୯ ବର୍ଷ ବୟସ୍କ ସାମୁଏଲ୍ ଲିଟଲକୁ ଆମେରିକା ଇତିହାସ‌ର ଜଘନ୍ୟତମ ‘ସିରିଏଲ୍‌ କିଲର’ ଭାବେ ଅଭିହିତ କରାଯାଉଛି। ୧୯୭୦ରୁ ୨୦୦୫ ମଧ୍ୟରେ ସେ ୯୩ ଜଣଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିଛି। ଏତିକି ବେଳେ ମନରେ ପ୍ରଶ୍ନ ଉଠେ ଯେ ଜଣେ ବ୍ୟକ୍ତି କାହିଁକି ‘ସିରିଏଲ୍‌ କିଲର୍‌’(କ୍ରମିକ ହତ୍ୟାକାରୀ) ହୁଏ? ଏପରି ପ୍ରଶ୍ନର ଉତ୍ତର ପାଇବା ଲାଗି ମପସ୍ତତ୍ତ୍ବବିତ୍‌ ମାନେ ସଂପୃକ୍ତ ବ୍ୟକ୍ତିର ଅତୀତ ଜୀବନକୁ ଯାଇଥାଆନ୍ତି।

ଏହି ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକାର ଆଉ ଜଣେ ଅତି ଜଘନ୍ୟ ‘ସିରିଏଲ୍‌ କିଲର୍‌’ ଟେଡ୍‌ ବଣ୍ତିକୁ ଅନୁଧ୍ୟାନ କରାଯାଇପାରେ। ଏହି କୁଖ୍ୟାତ ‘ସିରିଏଲ୍‌ କିଲର୍‌’ ୧୯୭୪ରୁ ୭୮ ଭିତରେ ଆମେରିକାର ସାତଟି ରାଜ୍ୟରେ ୩୦ଜଣ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା। ସେ ଦୁଇ ଦୁଇଥର ଜେଲ ଯାଇ ବାହାରିଥିଲା, ସେତେବେଳେ କେହି ଭାବି ନ ଥିଲେ ଯେ ଆମେରିକାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ‘ସିରିଏଲ୍‌ ମର୍ଡର’ଗୁଡ଼ିକ ପଛରେ ଥିବା ଅପନାୟକ ହେଉଛି ଟେଡ୍ ବଣ୍ଡି। ସେ କିନ୍ତୁ ଶେଷ‌େର ଧରା ପଡ଼ିଥିଲା ଓ ତା ଅପରାଧ ଲାଗି ୧୯୮୯ ମସିହାରେ ତାକୁ ପ୍ରାଣଦଣ୍ତ ଦିଆଯାଇଥିଲା।

ତାର ପିଲା ଦିନ ସ୍ବାଭାବିକ ନ ଥିଲା। ଟେଡ୍‌ ବଣ୍ଡି ଥିଲା ତା ବାପା-ମା’ଙ୍କର ପାଳିତ ପୁତ୍ର। ଶତ ଚେଷ୍ଟା କରି ମଧ୍ୟ ସେ ନିଜର ପ୍ରକୃତ ପିତାମାତାଙ୍କ ପରିଚୟ ଜାଣି ପାରି ନ ଥିଲା। ସେ ଥିଲା ଦେଖିବାକୁ ଅତ୍ୟନ୍ତ ସୁଦର୍ଶନ ଏବଂ ତାର ବ୍ୟବହାର ଥିଲା ମନ ମୋହି ନେଲା ଭଳି ଆକର୍ଷଣୀୟ। ସେ ଚାହିଁଥିଲା ଯେ ବୃତ୍ତି ଭାବେ ଓକିଲାତି କରିବ। କିନ୍ତୁୁ ତାର ସେ ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ। ଜଣେ ସମ୍ଭ୍ରାନ୍ତ ମହିଳାଙ୍କ ପ୍ରତି ତାର ପ୍ରଗାଢ଼ ପ୍ରେମ ମଧ୍ୟ ବିଫଳ ହେଲା। ଇତି ମଧ୍ୟରେ ଅଶ୍ଳୀଳ ସାହିତ୍ୟ ଏବଂ ଅଶ୍ଳୀଳ ଚିତ୍ର ଆଦି ପ୍ରତି ତାର ଦୁର୍ବଳତ‌ା ଏଭଳି ଦୁର୍ବାର ହୋଇଯାଇଥିଲା ଯେ ସେ ତହିଁରୁ ବାହାରି ପାରୁ ନ ଥିଲା। ଏହି ଭଳି ସ୍ଥିତିରେ ନାରୀମାନଙ୍କ ପ୍ରତି ତା’ର ମନରେ ଏକ ବିକୃତ ଭାବନାର ସୂତ୍ରପାତ ହୋଇଥିଲା।

ତା’ର ବ୍ୟକ୍ତିତ୍ବର ଅନୁଶୀଳନରୁ ଜଣାଯାଏ ଯେ ସେ ଥିଲା ଜଣେ ସାମାଜିକ ବିକୃତି ସମ୍ପନ୍ନ ବ୍ୟକ୍ତିତ୍ବ (Sociopath personality)। ପିଲା ଦିନେ କୁକୁର ଓ ବିଲେଇ ଭଳି ପଶୁଙ୍କୁ ନିର୍ଦ୍ଦୟ ଭାବେ ପିଟିବା ବା ଯାତନା ଦେବା ତା ଲାଗି ସାଧାରଣ ଥିଲା। ଅନ୍ୟ ପ୍ରତି ସହାନୁଭୂତି ଓ ସମାନାନୁଭୂତି (Empathy) ମଧ୍ୟ ତା ମନରେ ନ ଥିଲା। ଅଥଚ ସେ ଥିଲା ଅତ୍ୟନ୍ତ ଭଦ୍ର ଏବଂ ଅବିଶ୍ବସନୀୟ ଭାବେ ଶାନ୍ତ ସ୍ବଭାବର। ତେବେ ତାର ବ୍ୟବହାର ଯେ ଥିଲା ଛଳନାପୂର୍ଣ୍ଣ, ଏହା କହିବା ବାହୁଲ୍ୟ ମାତ୍ର।

ଜେଲ ଭିତରେ ଟେଡ୍‌ ବଣ୍ଡି ଦେଇଥିବା ଦୀର୍ଘ ସାକ୍ଷାତକାରର ଭିଡିଓ ୟୁ ଟ୍ୟୁବ୍‌ରେ ଆଜି ଉପଲବ୍‌ଧ। ସାକ୍ଷାତକାରରେ ସେ କହିଛି ‌େଯ ତାର ଏ ବିକୃତି ପଛରେ ଯାହା ଦାୟୀ, ତାହା ହେଉଛି ଅଶ୍ଳୀଳତା ପ୍ରତି ତା ମନରେ ରହିଥିବା ଦୁର୍ବାର ମୋହ। ସେ କହିଛି ଯେ ଅଶ୍ଳୀଳତା ପ୍ରତି ଏଭଳି ଦୁର୍ବଳତା ଜଣକୁ ‘ସିରିଏଲ୍ କିଲର’ରେ ପରିଣତ କରିଦେଇପାରେ।

ସବୁ ‘ସିରିଏଲ୍‌ କିଲର୍‌’ଙ୍କ ଜୀବନରେ କିଛି ନା କିଛି ଘଟଣା ଏମିତି ଘଟିଥାଏ, ଯାହା ସେମାନଙ୍କୁ ଏଭଳି ବିକୃତ ମସ୍ତିଷ୍କସଂପନ୍ନ ବ୍ୟକ୍ତିତ୍ବରେ ପରିଣତ କରିଥାଏ। ‘ସିରିଏଲ୍‌ କିଲର୍’ମାନଙ୍କ ସମ୍ବନ୍ଧରେ ଯାହା ପ୍ରାୟତଃ ଦେଖାଯାଏ, ତାହା ହେଲା ସେମାନେ ଏମିତି ଆଚରଣ ପ୍ରଦର୍ଶନ କରନ୍ତି ‌େଯ ସେମାନଙ୍କ ପାଖରେ କିଛି ବିକୃତି ଅଛି ବୋଲି ଜାଣି ହୋଇ ନ ଥାଏ। ତେଣୁ ସେମାନେ ଶିକାର ପାଇବାରେ ସହଜରେ ସମର୍ଥ ହୋଇଥାଆନ୍ତି ଏବଂ ଏଭଳି ହତ୍ୟାର ଧାରା ଅନେକ ଦିନ ପର୍ଯ୍ୟନ୍ତ ଚଳାଇ ରଖିପାରନ୍ତି। ତେଣୁ ଏମିତି ବି ‘ସିରିଏଲ୍‌ ମର୍ଡର’ ଘଟଣା ରହିଛି, ଯାହା ଏବେ ସୁଦ୍ଧା ଅସମାହିତ ଏବଂ ହତ୍ୟାକାରୀ ଧରା ପଡ଼ି ନାହାନ୍ତି। ସାମୁଏଲ୍‌ ଲିଟଲ ନିଜେ ସ୍ବୀକାର କରି ନ ଥିଲେ ହୁଏତ ଏତେ ଜଘନ୍ୟ ହତ୍ୟାକାରୀ ବୋଲି ଜଣାପଡ଼ି ନ ଥାଆନ୍ତା।

ରିସର୍ଚ୍ଚ ପ୍ରଫେସର
ଜାଭିଅର‌୍‌ ବିଶ୍ବବିଦ୍ୟାଳୟ
ଭୁବନେଶ୍ବର – ୧୩

ସମ୍ବନ୍ଧିତ ଖବର