ଦଳୀୟ ସ୍ୱାର୍ଥ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସରକାର ଧ୍ୱଂସ କରିଛନ୍ତି

ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର : ପଞ୍ଚାୟତିରାଜ ଦିବସରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନାରେ ବ୍ୟସ୍ତ ଥିଲା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ରଖିଛି ବିଜେପି। ନବୀନ ସରକାରଙ୍କ ଚକ୍ରାନ୍ତରେ ଗ୍ରାମାଞ୍ଚଳରେ ସ୍ଥାନୀୟ ଲୋକ ପ୍ରତିନିଧି ସମ୍ପୂର୍ଣ୍ଣ କ୍ଷମତାଶୂନ୍ୟ ହୋଇଯାଇଛନ୍ତି ବୋଲି ଆରୋପ ଲଗାଇଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। ଦେଶର ନିୟମ ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ଷମତା ପ୍ରଦାନ କରାଯାଇଥିଲା ବେଳେ ଓଡ଼ିଶାରେ ତାହା ସମ୍ଭବ ହୋଇପାରୁନି ବୋଲି ସେ କହିଛନ୍ତି।

ଆଜି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହଦେଓ କହିଲେ, ଦଳୀୟ ଦୃଷ୍ଟିକୋଣ ଯୋଗୁଁ ସାରା ରାଜ୍ୟରେ ପଲ୍ଲୀସଭା କଳିସଭାରେ ପରିଣତ ହୋଇଛି। ପଲ୍ଲୀସଭା ଓ ଗ୍ରାମସଭାର ନିଷ୍ପତ୍ତିକୁ ରାଜ୍ୟ ସରକାର ପ୍ରଶାସନିକ କଳର ବ୍ୟବହାରରେ ନିଜର ମର୍ଜି ମୁତାବକ ବଦଳାଇ ଦେଉଛନ୍ତି। ୨୦୧୯ ସୁଦ୍ଧା ରାଜ୍ୟରେ କେହି ବିନା ପକ୍କା ଘରରେ ରହିବେ ନାହିଁ ବୋଲି ନବୀନ ସରକାରଙ୍କ ପ୍ରତିଶ୍ରୁତିର କ୍ରିୟାନ୍ଵୟନ ଦାୟିତ୍ୱ ପଞ୍ଚାୟତିରାଜ ବିଭାଗର। ୨୦୧୮ ଜାନୁଆରି ସୁଦ୍ଧା ରାଜ୍ୟ ସରକାର ଘୋଷଣା କରିଥିବା ୧୪ ଲକ୍ଷ ୧୧ ହଜାର ଘର ଦୀର୍ଘ ୧୦ ବର୍ଷରେ ନିର୍ମାଣ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ୨୦୧୪-୧୫ରୁ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇଥିବାର ଭୁଲ୍‌ ତଥ୍ୟ ବାରମ୍ବାର ଦେଇ ଆସୁଛନ୍ତି। ସେହିପରି ପିଇବା ପାଣି ପରି ମୌଳିକ ସମସ୍ୟା ବି ସରକାର ସମାଧାନ କରିପାରି ନାହାନ୍ତି। ଗ୍ରାମାଞ୍ଚଳରେ ମାତ୍ର ଦୁଇ ପ୍ରତିଶତ ପାଇପ ଯୋଗେ ପାନୀୟ ଜଳ ପହଞ୍ଚିଥିଲା ବେଳେ ୭୫ ପ୍ରତିଶତ ଗାଁରେ ପାନୀୟ ଜଳ ଜନିତ ସମସ୍ୟାକୁ ସମାଧାନ କରିବାରେ ରାଜ୍ୟ ସରକାରଙ୍କ ବିଫଳ। ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଇ ଓ ବାପା ନେଉଛନ୍ତି ମହାତ୍ମା ଗାନ୍ଧି ନରେଗାରେ ଶ୍ରମିକଙ୍କ ପଇସା। ଏହା ହେଉଛି ବିଜେଡିର ସର୍ବଶ୍ରେଷ୍ଠ ପଞ୍ଚାୟତିରାଜ ବ୍ୟବସ୍ଥା ବୋଲି ଶ୍ରୀ ସିଂହଦେଓ କଟାକ୍ଷ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ମୁଖପାତ୍ର ସଜ୍ଜନ ଶର୍ମା, ସମ୍ପାଦକ ଦିଲ୍ଲୀପ ମଲ୍ଲିକ ଓ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ବିଜେଡିର ଜବାବ : ନିନ୍ଦିତ କରିବାକୁ ଅପଚେଷ୍ଟା

ଭୁବନେଶ୍ୱର : ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ବିଗାଡ଼ି ଦେଇଛନ୍ତି ବୋଲି ବିଜେପିର ଅଭିଯୋଗର ଜବାବ ରଖିଛି ବିଜେଡି। ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭ୍ରମାତ୍ମକ ଓ ରାଜ୍ୟ ସରକାରଙ୍କୁ ନିନ୍ଦିତ କରିବା ପାଇଁ ବିଜେପିର ଅପଚେଷ୍ଟା ବୋଲି କହିଛନ୍ତି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ।

ଶ୍ରୀ ନାୟକ କହିଛନ୍ତି, ବିଜେପିର ଅସହିଷ୍ଣୁ ମନୋଭାବ ଜଳ ଜଳ ହୋଇ ଦିଶୁଛି। କେବଳ ସମାଲୋଚନା କଲେ ସତ କେବେ ମିଛ ପାଲଟିଯିବ ନାହିଁ। ସଂଘୀୟ ବ୍ୟବସ୍ଥାରେ ଉଭୟ କେନ୍ଦ୍ର ଓ ରାଜ୍ୟ ନିଜ ନିଜ ଦାୟିତ୍ୱ ଠିକ୍‌ ଭାବେ ତୁଲାଇବା ଉଚିତ। ତାହା ନ କରି କେବଳ ସମାଲୋଚନା ପାଇଁ ରାଜ୍ୟ ସରକାରଙ୍କୁ ବିନା କାରଣରେ ସମାଲୋଚନା କରାଯାଉଛି। ଯୋଗ୍ୟ ହିତାଧିକାରୀ ଚୟନକୁ ଦଳୀୟ ଆଧାରରେ ସୀମିତ ରଖିବାକୁ ରାଜ୍ୟ ସରକାର ଅପଚେଷ୍ଟା ଚଳାଉଛନ୍ତି ବୋଲି ବିଜେପିର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ପାନୀୟ ଜଳଯୋଗାଣ କ୍ଷେତ୍ରରେ ରାଜ୍ୟରେ ବହୁ କାମ ହୋଇଛି। ୨୦୦୦ ମସିହାରେ ମାତ୍ର ୪୫୯ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଥିଲା ବେଳେ ଏବେ ଏହି ସଂଖ୍ୟା ୧୦ ହଜାରକୁ ଟପିଯାଇଛି ଓ ଆଗକୁ ଆହୁରି ବଢ଼ିବ। ସେହିପରି ଦୁଇ ବର୍ଷ ପୂର୍ବେ କରାଯାଇଥିବା ଆକଳନରୁ ପ୍ରକାଶ ଯେ ୧୦ ଲକ୍ଷ କଚ୍ଚା ଘରକୁ ପକ୍କା ଘର କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ କାର୍ଯ୍ୟକାରୀ କରି ୭୯.୫୯ ଲକ୍ଷ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍‌ କରାଯାଇଛି।

ସମ୍ବନ୍ଧିତ ଖବର