ପୁରୀ: ଜଗା ଯେଉଁଠି, ଜନ ସେଇଠି । କାଳିଆ ଯେଉଁଠି କୋଳାହଳ ସେଇଠି.. ମହାପ୍ରଭୁଙ୍କ ପାଇଁ ପୁରୀରେ ପ୍ରବଳ ଭିଡ । ଭକ୍ତଙ୍କ ସମାଗମ ଦେଖି ଏମିତି ଲାଗୁଛି ସତେ ଯେମିତି ଜଗା ପାଇଁ ଜନଜୁଆର ବଡଦାଣ୍ଡରେ ଲହଡି ପିଟୁଛି । ଭକ୍ତିର ବଡଦାଣ୍ଡରେ ଭକ୍ତର ଭାବର ଜୁଆର ମହାପ୍ରଭୁଙ୍କ ଆଡକୁ ମାଡି ଯାଉଛି । କିଲୋମିଟର କିଲୋମିଟର ଯାଏଁ ଭିଡ । ଯୁଆଡେ ଚାହିଁଲେ ମାଳମାଳ ମୁଣ୍ଡ । କିଏ ଜଗା ପାଇଁ ଅପେକ୍ଷା କରିଛି ତ କିଏ ଜଗା ପାଇଁ ନାଚୁଛି । ପୁଣି କିଏ ରଥ ଦଉଡି ଛୁଇଁ ପୂଣ୍ୟ ଅର୍ଜିବ ବୋଲି ଅପେକ୍ଷା କରିଛି । ଶ୍ରୀମନ୍ଦିର ଆଗରେ, ତିନି ରଥ ସାମ୍ନାରେ ଏତେ ଭିଡ ଜନଜୁଆର ସୃଷ୍ଟି କରିଛି ।
ଏପଟେ ଆରମ୍ଭ ହୋଇଯାଇଛି ଶ୍ରୀଜିଉଙ୍କ ପହଣ୍ଡି । ଧାଡି ପହଣ୍ଡିରେ ପ୍ରଥମ ପ୍ରଭୁ ସୁଦର୍ଶନ ରଥରେ ବିରାଜମାନ କରିଛନ୍ତି । ପରେ ପରେ ପ୍ରଭୁ ବଡ ଠାକୁରଙ୍କ ପହଞ୍ଚି ବିଜେ ଚାଲିଛି । ପଛକୁ ପଛ ମାଆ ସୁଭଦ୍ରା ଏବଂ ଶେଷରେ ମହାବାହୁ ଆସିବେ ଏବଂ ରଥରେ ବିଜାରିବେ । ଏଥିପାଇଁ ଖାଲି ନନ୍ଦିଘୋଷ ନୁହେଁ କୋଟି କୋଟି ଭକ୍ତ ଅପେକ୍ଷାରତ ।
#WATCH | Puri, Odisha: A sea of devotees gather and rejoice outside the Shri Jagannath Temple to witness the world-famous annual Rath Yatra of Lord Jagannath and his two siblings. pic.twitter.com/qvi7QhSaJE
— ANI (@ANI) June 27, 2025
ଜଞ୍ଜାଳୀ ମଣିଷଟିଏ ଭାବେ ଜଗା ପାଖକୁ ଗଲେ, ମୋ ସୁଖ ଦୁଃଖ କଥା କହିବି । ହେଲେ ଥରେ ତାର ଆଖିରେ ଆଖି ମିଶିଗଲେ, ତା’ ମୁହଁକୁ ଚାହିଁଦେଲେ ଆଉ କିଛି ମନେପଡ଼େନି । ସବୁ ଜଞ୍ଜାଳ କଥା ସେ ଭୁଲିଯାଏ । ଏଇ ତ ମହାପ୍ରଭୁଙ୍କ ମାୟା । କିନ୍ତୁ ଏକଥା ବି ସତ , ଯିଏ ନିଜ ଜଞ୍ଜାଳ ଦୁଃଖକୁ ତାଙ୍କ ପାଖରେ ବାଢ଼ିଦିଏ ସେ ତାର ଦୁଃଖକୁ ଲାଘବ କରିବାକୁ ବିଳମ୍ବ କରନ୍ତି ନାହିଁ । ତେଣୁ ଭକ୍ତ ଏକମୁହାଁ ହୋଇ ମହାପ୍ରଭୁଙ୍କ ଆସିବା ବାଟକୁ ଅନେଇ ରହିଛନ୍ତି ।