ପ୍ରଦୀପ ମହାରଥୀଙ୍କ ୩୫ ବର୍ଷର ରାଜନୈତିକ ଜୀବନ

ଭୁବନେଶ୍ବର:  ପୁରୀ ଜିଲ୍ଲା ପିପିଲିର ଖୋରପଦା ଗାଁରେ ୧୯୫୫ ମସିହା ଜୁଲାଇ ୪ ତାରିଖରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ ମହାରଥୀ ତାଙ୍କ ରାଜନୈତିକ ଜୀବନରେ ବହୁ ଉତ୍‌ଥାନ ପତନ ଦେଇ ଗତି କରିଛନ୍ତି।

ପୁରୀ ସାମନ୍ତ ଚନ୍ଦ୍ର ଶେଖର କଲେଜରେ ଛାତ୍ର ରାଜନୀତିରେ ଯୋଗ ଦେଇ ସେ ପ୍ରଥମେ ଛାତ୍ରସଂସଦର ସମ୍ପାଦକ ଏବଂ ପରବର୍ଷ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଛାତ୍ର ରାଜନୀତିରେ ବେଶ୍‌ ସକ୍ରିୟ ଥିବା ଶ୍ରୀ ମହାରଥୀ ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ମିସାରେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଥିଲେ। ‌ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ସକ୍ରିୟ ରହିଥିଲେ ଏବଂ ୧୯୮୫ ମସିହାରେ ପ୍ରଥମ ଥର ଦଳୀୟ ରାଜନୀତିକୁ ଆସି ଜନତା ପାର୍ଟି ଟିକେଟ୍‌ରେ ପିପିଲି ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ୧୯୯୦ ମସିହାରେ ସେ ଜନତା ଦଳ ଟିକେଟ୍‌ରୁ ସେହି ପିପିଲି ଆସନରୁ ବିଜୟୀ ହୋଇଥିଲେ।

ତେବେ ୧୯୯୫ ନିର୍ବାଚନରେ ଶ୍ରୀ ମହାରଥୀ ପ୍ରଥମ ଓ ଶେଷ ଥର ପାଇଁ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କଠାରୁ ପରାସ୍ତ ହୋଇଥିଲେ। ତା ପରଠାରୁ ସେ ଆଉ କେବେ ପରାଜୟର ମୁହଁ ଦେଖି ନାହାନ୍ତି। ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ସେ ବିଜୁ ଜନତା ଦଳ ଟିକେଟ୍‌ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏମିତି ଭାବେ ‌ସେ ମୋଟ ୭ ଥର ପିପିଲି ବିଧାନସଭା ଆସନରୁ ବିଜୟୀ ହୋଇଥିବାବେଳେ ଗତ ୨୦ ବର୍ଷ ଧରି ଲଗାତର ପିପିଲି ଆସନରୁ ପ୍ରତିନିଧିତ୍ବ କରି ଆସୁଥିଲେ। ୧୯୯୦ରେ ସରକାରୀ ଦଳର ଉପ ମୁଖ୍ୟସଚେତକ ରହିଥିଲେ। ପରେ ୨୦୦୦ ମସିହାରେ ମୁଖ୍ୟ ସଚେତକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ପରେ ଶ୍ରୀ ମହାରଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଦୁଇ ଦୁଇ ଥର ମନ୍ତ୍ରୀ ହୋଇଥିଲେ। ମାତ୍ର ଦୁଇଥରଯାକ ତାଙ୍କୁ ବିବାଦୀୟ ପରିସ୍ଥିତିରେ ଇସ୍ତଫା ଦେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର