ଜିମ୍ବାୱେ ବିପକ୍ଷ ଦିନିକିଆ ଶୃଙ୍ଖଳା ଜିତିଲା ଅଷ୍ଟ୍ରେଲିଆ

ଟାଉନ୍‌ସଭିଲ୍ଲେ: ଜିମ୍ବାୱେ ଗସ୍ତରେ ଥିବା ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଆଗୁଆ ଜିତିନେଇଛି। ପ୍ରଥମ ମ୍ୟାଚ୍‌କୁ ୫ ୱିକେଟ୍‌ରେ ଜିତିଥିବା ଭ୍ରମଣକାରୀ ଦଳ ବୁଧବାର ଦ୍ବିତୀୟ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତି ୨-୦ର ଅଗ୍ରଣୀ ସହ ଶେଷ ମ୍ୟାଚ୍‌ ପୂର୍ବରୁ ଶୃଙ୍ଖଳା କବ୍‌ଜା କରିନେଇଛି। ଦ୍ବିତୀୟ ମ୍ୟାଚ୍‌ରେ ଘରୋଇ ଦଳର ପ୍ରଥମ ତିନି ବ୍ୟାଟର୍‌ଙ୍କୁ ପାଭିଲିୟନ୍‌ ଫେରାଇ ଦେଇଥିବା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଟସ୍‌ ହାରି ବ୍ୟାଟିଂ ପାଇଥିବା ଜିମ୍ବାୱେ ମାତ୍ର ୨୭.୫ ଓଭରରେ ୯୬ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ସିନ୍‌ ୱିଲିୟମ୍‌ସ ସର୍ବାଧିକ ୨୯ ରନ୍‌ କରିଥିଲା ବେଳେ ମିଚେଲ ଷ୍ଟାର୍କ ଓ ଆଦାମ ଜାମ୍ପା ୩ ଲେଖାଏଁ ଏବଂ କାମେରନ ଗ୍ରିନ୍‌ ୨ ୱିକେଟ୍‌ ନେଇଥିଲେ। ଜୋସ୍‌ ହାଜେଲଉଡ୍‌ ଓ ଅଷ୍ଟନ ଅଗର ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ଷ୍ଟିଭନେ୍‌ ସ୍ମିଥ୍‌ (୪୭*) ଏବଂ ଆଲେକ୍ସ କାରି (୨୬*)ଙ୍କ ଅପରାଜିତ ପାଳି ସାଙ୍ଗକୁ ଅବିଭକ୍ତ ତୃତୀୟ ୱିକେଟ୍‌ରେ ୮୪ ରନ୍‌ର ଭାଗୀଦାରି ବଳରେ ଅଷ୍ଟ୍ରେଲିଆ ମାତ୍ର ୧୪.୪ ଓଭରରେ ୨ ୱିକେଟ୍‌ ହରାଇ ୧୦୦ ରନ୍‌ କରିନେଇଥିଲା। କେବଳ ଡେଭିଡ୍‌ ୱର୍ଣ୍ଣର (୧୩) ଓ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ (୧) ଆଉଟ୍‌ ହୋଇଥିଲେ। ଶନିବାର ଏହି ପଡ଼ିଆରେ ତୃତୀୟ ତଥା ଶେଷ ଦିନିକିଆ ଖେଳାଯିବ।

ସମ୍ବନ୍ଧିତ ଖବର