କପିଳ ସର୍ବକାଳୀନ ଏକ ନମ୍ବର: ଗାଭାସ୍କର

ମୁମ୍ବାଇ: ବିଶ୍ବସ୍ତରରେ ନାମ କମାଇଥିବା ତଥା ଦମ୍‌ଦାର ପ୍ରଦର୍ଶନ ଜରିଆରେ ଛାପ ଛାଡ଼ି ଯାଇଥିବା କେତେକ ମହାନ୍‌ କ୍ରିକେଟର୍‌ଙ୍କୁ ନେଇ ଭାରତ ଗର୍ବ ଅନୁଭବ କରିଥାଏ। ଯେଉଁଥି ପାଇଁ ସେହି ମହାନ୍‌ଙ୍କ ମଧ୍ୟରୁ ଏକ ସର୍ବକାଳୀନ ଭାରତ ଏକାଦଶ ବାଛିବା ଅତ୍ୟନ୍ତ କଷ୍ଟକର ପ୍ରସଙ୍ଗ‌ ହୋଇପଡେ। କିନ୍ତୁ ସବୁଠୁ ମହାନ୍‌ ଭାରତୀୟ କ୍ରିକେଟର୍‌ ବାଛିବା ସହଜ। କିଂବଦନ୍ତି ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ସୁନିଲ ଗାଭାସ୍କରଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ କ୍ରିକେଟର୍‌ଙ୍କ ନାମ କହିବାକୁ ପଚରା ଯାଇଥିଲା। ଗାଭାସ୍କର ମନରେ କୌଣସି ଦ୍ବିଧା ନରଖି ସିଧାସଳଖ ୧୯୮୩ ବିଶ୍ବକପ୍‌ ବିଜେତା ଅଧିନାୟକ କପିଳ ଦେବଙ୍କ ନାମ ନେଇଥିଲେ। ମୋ ମତରେ କପିଳ ସବୁବେଳେ ଭାରତର ସର୍ବକାଳୀନ ଏକ ନମ୍ବର କ୍ରିକେଟର୍‌ ହୋଇରହିବେ ବୋଲି କହିଥିଲେ ଗାଭାସ୍କର। ପ୍ରତ୍ୟେକର ଶୀର୍ଷ ହେଉଛନ୍ତି କପିଳ ଦେବ। ସେ ହିଁ ଏକନମ୍ବର ହେବେ। ମୋ ପାଇଁ ସେ ସର୍ବଶ୍ରେଷ୍ଠ ବୋଲି କହିଛନ୍ତି ଗାଭାସ୍କର। କପିଳ ଦେବଙ୍କ ଅଲ୍‌ରାଉଣ୍ଡ ସାମର୍ଥ୍ୟକୁ ପ୍ରଶଂସା କରି ତାଙ୍କୁ ଜଣେ ‘‘ପୂର୍ଣ୍ଣାଙ୍ଗ କ୍ରିକେଟର୍‌’’ ଭାବେ ବର୍ଣ୍ଣନା‌ କରିଛନ୍ତି ଗାଭାସ୍କର। ଏହି ପୂର୍ବତନ ଅଧିନାୟକ ଉଭୟ ବଲ୍‌ ଓ ବ୍ୟାଟ୍‌ ଜରିଆରେ ମ୍ୟାଚ୍‌ ଜିତାଇ ପାରୁଥିଲେ। ‌ସେ ୱିକେଟ୍‌ ଦଖଲ କରିପାରୁଥିଲେ ଏବଂ ଦଳକୁ ମ୍ୟାଚ୍‌ ବିଜୟ ମଧ୍ୟ ଦେଉଥି‌ଲେ। ସେ ବ୍ୟାଟିଂରେ ଶତକ ହେଉ ବା ଦ୍ରୁତ ୮୦/୯୦ ରନ୍‌ କରି ମ୍ୟାଚ୍‌ର ଗତି ବଦଳାଇ ଦେଇପାରୁଥିଲେ। ଜଣେ ଅଲ୍‌ରାଉଣ୍ଡର ଭାବେ ଊଭୟ ଦ୍ରୁତ ବୋଲିଂ ସାଙ୍ଗକୁ ବ୍ୟାଟିଂରେ ମଧ୍ୟ ପ୍ରଭାବ ବିସ୍ତାର କରୁଥିଲେ। କେବଳ ସେତିକି ନୁହେଁ ସେ ତାଙ୍କ ଆନ୍ତର୍ଜାତିକ ଜୀବନକାଳରେ ଧରିଥିବା କ୍ୟାଚ୍‌ଗୁଡ଼ିକୁ ମଧ୍ୟ ଭୂଲିଯାଇ ପାରିବାନି। ବୋଲିଂ, ବ୍ୟାଟିଂ ଓ କ୍ଷେତ୍ରରକ୍ଷଣ ଦୃଷ୍ଟିରୁ ହିଁ ସେ ଜଣେ ପୂର୍ଣ୍ଣାଙ୍ଗ କ୍ରିକେଟର୍‌ ଥିଲେ ବୋଲି ଗାଭାସ୍କର ଜୋର୍‌ ଦେଇ କହିଛନ୍ତି।

୧୯୭୮ରୁ ୧୯୮୭ ଏହି ୧୦ ବର୍ଷ ମଧ୍ୟରେ ଉଭୟ ଗାଭାସ୍କର ଓ କପିଳ ଦେବ ଏକାଠି ଭାରତ ପାଇଁ ଖେଳିଥିଲେ। ଦୁହେଁ ମଧ୍ୟ ୮୭ ଟେଷ୍ଟ୍‌ ଓ ୯୮ ଦିନିକିଆ ଆନ୍ତର୍ଜାତିକରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଉଭୟେ ମଧ୍ୟ ୮୦ ଦଶକରେ ଭାରତର ସଫଳତା ଦିଗରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଖାସ୍‌ ସେମାନଙ୍କ ପ୍ରଦର୍ଶନ ବଳରେ ଦୁହେଁ ମଧ୍ୟ ଭାରତକୁ ଅନେକ ମ୍ୟାଚ୍‌ରେ ଜିତାଇଥିଲେ। ସେମାନଙ୍କ ଆନ୍ତର୍ଜାତିକ ଜୀବନର ସବୁଠୁ ବଡ଼ ସଫଳତା ଥିଲା ୧୯୮୩ ବିଶ୍ବକପ୍‌ ବିଜୟ। ଇଂଲଣ୍ଡର ଐତିହାସିକ ଲର୍ଡସ୍‌ ପଡ଼ିଆରେ ଫାଇନାଲ୍‌ରେ ଦୁର୍ଦର୍ଷ ୱେଷ୍ଟଇଣ୍ଡିଜ୍‌ ଦଳକୁ ପରାସ୍ତ କରି ଭାରତକୁ ଭେଟି ଦେଇଥିଲେ ପ୍ରଥମ ଥର ବିଶ୍ବକପ୍‌। କପିଳ ଦେବ ଥିଲେ ସେହି ବିଶ୍ବକପ୍‌ ବିଜେତା ଦଳର ଅଧିନାୟକ। ବିଶ୍ବ ସାରା ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ସେ ହିଁ ଦୁର୍ବଳ ଭାରତୀୟ କ୍ରିକେଟ୍‌ର ରୂପ ବଦଳାଇ ଦେଇଥିଲେ। ପରବର୍ତୀ ପିଢ଼ି ପାଇଁ ନୂଆ ଉତ୍ସାହ ଏବଂ ମନୋବଳ ଭରିଦେଇଥିଲେ ବୋଲି ଦାବି କରିଛନ୍ତି ଗାଭାସ୍କର।

‘ହରିଆନା ହରିକେନ୍‌’ ଭାବେ ପରିଗଣିତ କପିଳ ଦେବ ୧୯୯୪ରେ ଅବସର ଘୋଷଣା କରିଦେଇଥିଲେ। ସେତେବେଳକୁ ସେ ୧୩୧ ଟେଷ୍ଟ୍‌ ଏବଂ ୨୨୫ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ତାଙ୍କ ନାମରେ ୫୨୪୮ ଟେ‌ଷ୍ଟ୍‌ ରନ୍‌ ଏବଂ ୩୭୮୩ ଦିନିକିଆ ରନ୍‌ ରହିଥିଲା ବେଳେ ଟେଷ୍ଟ୍‌ରେ ୪୩୪ ଓ ଦିନିକିଆରେ ୨୫୩ ୱିକେଟ୍‌ ଅକ୍ତିଆର କରିଛନ୍ତି। ପୂର୍ବତନ ଅଧିନାୟକ କପିଳଙ୍କ ସହ ନିକଟରେ ଅବସର ଘୋଷଣା କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କର ସାମଞ୍ଜସ୍ୟ ରହିଥିବା କହିଛନ୍ତି ଗାଭାସ୍କର। ଉଭୟ କପିଳ ଓ ଧୋନି ଖୁବ୍‌ ଏକାଭଳି। କ୍ରିକେଟ୍‌ ପ୍ରତି ଉଭୟଙ୍କ ଆଭିମୁଖ୍ୟ ପ୍ରାୟ ସମାନ। ଦୁହେଁ କ୍ରିକେଟ୍‌କୁ ଖୁବ୍‌ ଭଲ ପାଆନ୍ତି। ଉଭୟେ ମଧ୍ୟ ଆକର୍ଷଣର କେନ୍ଦ୍ରରେ ରହିବାକୁ ଭଲ ପାଆନ୍ତି ଏବଂ ନିଜ ଦଳ ପାଇଁ ସବୁବେଳେ ବଡ଼ ସଫଳତା ହାତେଇବାକୁ ଚାହାଁନ୍ତି। ସେହି ଦୃଷ୍ଟିରୁ ଉଭୟଙ୍କ ମଧ୍ୟରେ ଖୁବ୍‌ ସାମଞ୍ଜସ୍ୟ ରହିବା କଥା ବୋଲି କହିଛନ୍ତି ଗାଭାସ୍କର। ଗାଭାସ୍କରଙ୍କ କହିବା କଥା ହେଲା, ପଡ଼ିଆରେ କ୍ୟାଚ୍‌ ଖସିବା କିମ୍ବା ନିମ୍ନମାନର କ୍ଷେତ୍ରରକ୍ଷଣ ବେଳେ ଯଦି ଜଣେ ଅଧିନାୟକ କିଛିଟା ବିରକ୍ତ ଭାବ ପ୍ରକଟ କରନ୍ତି ତାହା ଖେଳାଳିମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ସେ କ୍ଷେତ୍ରରେ ଉଭୟ କପିଳ ଓ ଧୋନି ବ୍ୟତିକ୍ରମ ଥିଲେ। ‌କେବେ ବି ଏଭଳି କ୍ଷେତ୍ରରେ ବିରକ୍ତ ହୋଇନଥା’ନ୍ତି। ବରଂ ନିଜ ନିଜର ଭାବନାକୁ ନିୟଂତ୍ରଣରେ ରଖି ଖେଳାଳିଙ୍କୁ ଜାଣିବାକୁ ଦେଇନଥା’ନ୍ତି। ସେଥିପାଇଁ ସାଥୀ ଖେଳାଳିମାନେ ମୁକ୍ତ ଭାବେ ସେମାନଙ୍କ ଖେଳ ଖେଳିପାରିଥା’ନ୍ତି। ଏଭଳି କାରଣ ପାଇଁ ମଧ୍ୟ ଉଭୟ କପିଳ ଓ ଧୋନି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରି ଥିଲେ ବୋଲି କହିଛନ୍ତି ଗାଭାସ୍କର।

ସମ୍ବନ୍ଧିତ ଖବର