ନୂଆ ଫର୍ମାଟ୍‌ରେ ହେବ ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌

ଦୁବାଇ: ୱେଷ୍ଟ୍‌ଇଣ୍ଡିଜ୍‌ ଓ ଆମେରିକା ମିଳିତ ଭାବେ ଆଗାମୀ ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ କରିବେ। ହେଲେ ପୂର୍ବ ଦୁଇ ସଂସ୍କରଣ ତୁଳନାରେ ଏହି ବିଶ୍ବକପ୍‌ ନୂଆ ଫର୍ମାଟ୍‌ରେ ଖେଳାଯିବ। ପ୍ରଥମେ ୨୦ ଦଳକୁ ନେଇ ପ୍ରଥମ ରାଉଣ୍ଡ୍‌ ଖେଳାଯିବ। ଏଥିରେ ୫ ଲେଖାଏଁ ଦଳକୁ ନେଇ ୪ଟି ଗ୍ରୁପ୍‌ କରାଯିବ। ପ୍ରତି ଗ୍ରୁପ୍‌ରୁ ଶ୍ରେଷ୍ଠ ୨ ଲେଖାଏଁ ଦଳ ପରବର୍ତୀ ପର୍ଯ୍ୟାୟ ତଥା ସୁପର-୮କୁ ଉନ୍ନୀତ ହେବେ। ପରେ ସୁପର-୮ ପର୍ଯ୍ୟାୟରେ ୪ ଲେଖାଏଁ ଦଳକୁ ନେଇ ୨ଟି ଗ୍ରୁପ୍‌ କରାଯିବ। ଏହି ଦୁଇଟି ଗ୍ରୁପ୍‌ରୁ ଶ୍ରେଷ୍ଠ ୨ ଲେଖାଏଁ ଦଳ ସେମିଫାଇନାଲ୍‌କୁ ଯୋଗ୍ୟତା ହାସଲ କରିବେ। ଶେଷ‌ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଏପର୍ଯ୍ୟନ୍ତ ୧୨ ଦଳ ୨୦୨୪ ବିଶ୍ବକପ୍‌କୁ ଯୋଗ୍ୟତା ହାସଲ କରିସାରିଛନ୍ତି।

ୱେଷ୍ଟ୍‌ଇଣ୍ଡିଜ୍‌ ଓ ଆମେରିକା ଆୟୋଜକ ଦୃଷ୍ଟିରୁ ସିଧାସଳଖ ଯୋଗ୍ୟତା ହାତେଇଥିଲା ବେଳେ ଗତ ସଂସ୍କରଣ ବିଜେତା ଇଂଲଣ୍ଡ ଓ ଉପବିଜେତା ପାକିସ୍ତାନ ସାଙ୍ଗକୁ ଶୀର୍ଷ-୮ ମଧ୍ୟରେ ରହିଥିବା ଭାରତ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଏବଂ ନେଦରଲାଣ୍ଡ୍‌ସ ଯୋଗ୍ୟତା ହାସଲ କରିସାରିଛନ୍ତି। ପୁଣି ଚଳିତ ବର୍ଷ ନଭେମ୍ବର ୧୪ ତାରିଖ କଟ୍‌ ଅଫ୍‌ ତାରିଖ ସୁଦ୍ଧା ଆଇସିସି ମାନ୍ୟତାର ପରବର୍ତୀ ଶ୍ରେଷ୍ଠ ଦୁଇ ସ୍ଥାନରେ ରହିଥିବା ଆଫ୍‌ଗାନିସ୍ତାନ ଓ ବାଂଲାଦେଶ ମଧ୍ୟ ଯୋଗ୍ୟତା ଲାଭ କରିଛନ୍ତି। ଏହି ୧୨ ଦଳକୁ ଛାଡ଼ିଦେଲେ ଅବଶିଷ୍ଟ ୮ ଦଳ ଆଞ୍ଚଳିକ ଯୋଗ୍ୟତାପର୍ଯ୍ୟାୟ ଜରିଆରେ ବଛାହେବେ। ଆଫ୍ରିକା, ଏସିଆ ଏବଂ ୟୁରୋପ ପାଖରେ ୨ଟି ଲେଖାଏଁ ଯୋଗ୍ୟତା ସ୍ଥାନ ରହିଥିଲା ବେଳେ ଆମେରିକା ଓ ଇଷ୍ଟ ଏସିଆ ପାଇଁ ଗୋଟିଏ ଲେଖାଏଁ ଯୋଗ୍ୟତା ସ୍ଥାନ ରହିଛି।

ଏହା ପୂର୍ବ ଦୁଇ ସଂସ୍କରଣରେ ୪ଟି ଲେଖାଏଁ ଦଳକୁ ନେଇ ଦୁଇଟି ଗ୍ରୁପ୍‌ ପ୍ରଥମ ରାଉଣ୍ଡ ଖେଳିଥିଲେ। ଏଥିରୁ ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ୨ ଲେଖାଏଁ ଦଳ ମୁଖ୍ୟ ପ୍ରତିଯୋଗିତା ତଥା ସୁପର-୧୨ ପର୍ଯ୍ୟାୟକୁ ପ୍ରବେଶ କରୁଥିଲେ। ଆଇସିସି ମାନ୍ୟତା ଅନୁଯାୟୀ ଶ୍ରେଷ୍ଠ ୮ ଦଳ ସିଧାସଳଖ ଯୋଗ୍ୟତା ହାସଲ କରୁଥିଲା ବେଳେ ପ୍ରଥମ ରାଉଣ୍ଡରୁ ଉନ୍ନୀତ ୪ ଦଳ ନବମରୁ ଦ୍ବାଦଶ ସ୍ଥାନ ଅକ୍ତିଆର କରୁଥିଲେ।

ସମ୍ବନ୍ଧିତ ଖବର