ଠିକା ନିଯୁକ୍ତି ଉଚ୍ଛେଦରୁ ବଞ୍ଚିତ ୧୪ ହଜାର ଶିକ୍ଷକ ଶିକ୍ଷୟିତ୍ରୀ: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେଣି ୪ହଜାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ମାଟିରୁ ଠିକା ନିଯୁକ୍ତିପ୍ରଥା ଉଚ୍ଛେଦ ହେଲା। ୨୦୧୩ ଠିକା ନିଯୁକ୍ତି ନିୟମ ଅନୁଯାୟୀ, ନିୟମିତ ହୋଇଥିବା ଠିକା କର୍ମଚାରୀଙ୍କୁ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ (ମୂଳ ନିଯୁକ୍ତିଠାରୁ) ଦିଆଗଲା। ମାତ୍ର ପରିତାପର ବିଷୟ ଯେ ରାଜ୍ୟ ସରକାରଙ୍କ ଆର୍ଥିକ ଅନାଟନ ସମୟରେ ୨୦୦୪ରୁ ୨୦୧୩ ମଧ୍ୟରେ ଠିକା ଭିତ୍ତିରେ ଏବଂ ମାସିକ ସ୍ୱଳ୍ପ ପାରିଶ୍ରମିକ ପାଇ ସରକାରୀ ମାଧ୍ୟମିକ ଶିକ୍ଷାର ମେରୁଦଣ୍ଡ ସାଜିଥିବା ଠିକା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ଦିଆ ଯାଇ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ଓ ପାତରଅନ୍ତର ହୋଇଥିବା ଦର୍ଶାଇ ୪ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

୨୦୦୪ରୁ ୨୦୧୩ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦିଷ୍ଟ ନିଯୁକ୍ତି ପ୍ରକ୍ରିୟା, ଅର୍ଥ ବିଭାଗର ଅନୁମୋଦନ ଏବଂ ଓଆରଭି ନିୟମ ପାଳନ କରି ଏହି ଠିକା ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିଲେ। ୬ ବର୍ଷ ନିରବଚ୍ଛିନ୍ନ ଓ ସନ୍ତୋଷଜନକ ଠିକା ଭିତ୍ତିରେ କାର୍ଯ୍ୟ କଲା ପରେ ନିୟମିତ ହୋଇଥିଲେ। କିନ୍ତୁ ସେମାନଙ୍କୁ ଅତି ଚଞ୍ଚକତାର ସହ ରାଜ୍ୟ ସରକାର ୬ଟି ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନରୁ ବଞ୍ଚିତ କରିଛନ୍ତି। ଏଭଳି ଏକ ଅଗଣତାନ୍ତ୍ରିକ ନିୟମ ବିରୋଧରେ ୩୦ ଜିଲ୍ଲାର ପ୍ରାୟ ୪ ହଜାର ମାଧ୍ୟମିକ ଶିକ୍ଷକ/ଶିକ୍ଷୟିତ୍ରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଜଣାପଡିଛି ଯେ, ଠିକା ଉଚ୍ଛେଦ ନେଇ ନିକଟରେ ଏସ୍‌ଓପି ବାହାରିବା ପରେ ବିଭିନ୍ନ ଜିଲ୍ଲାରୁ ଧୀରେ ଧୀରେ କେସ୍‌ ସଂଖ୍ୟା ବଢିବାରେ ଲାଗିଛି। ସମସ୍ତ କେସ୍‌ର ଶୁଣାଣି ଜୁନ ୨୨ରେ ଥିଲା। ତେବେ ରାଜ୍ୟ ସରକାର କୌଣସି କାଉଣ୍ଟର ଆଫିଡେଟିଭ ନଦେବାରୁ ଏହି ସମସ୍ତ କେସ୍‌ର ଶୁଣାଣି ଆସନ୍ତା ଜୁଲାଇରେ କରାଯିବ। ସେହି ଦିନ ହିଁ କାଉଣ୍ଟର ଆଫିଡେଟିଭ୍‌ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ନହେଲେ ସେହିଦିନ ହିଁ କିଛି ଗୋଟିଏ ଫଇସଲା ହେବ।

ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ, ମହାସଚିବ ବିଶ୍ବଜିତ ବିଶ୍ୱାଳ କହିଛନ୍ତି ଯେ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଠିକା କର୍ମଚାରୀଙ୍କୁ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କଲେ ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ମାତ୍ର ୧୭୫ କୋଟି ଟଙ୍କା ଆବଶ୍ୟକ। ଯାହାକି ବର୍ତମାନ ସ୍ଥିତିରେ ଆର୍ଥିକ ସ୍ୱଚ୍ଛଳ ଥିବା ଓଡ଼ିଶା ସରକାରଙ୍କ ପାଇଁ ଅତି ନଗଣ୍ୟ। ତେଣୁ ରାଜ୍ୟ ସରକାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ବାର୍ଥକୁ ନଜରରେ ରଖି ମୂଳ ନିଯୁକ୍ତଠାରୁ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କରନ୍ତୁ। ନହେଲେ ଆଗାମୀ ଦିନରେ ପ୍ରାୟ ୧୪ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଅଦାଲତର ଆଶ୍ରୟ ନେବେ।

ସମ୍ବନ୍ଧିତ ଖବର