ଇଞ୍ଜିନରେ ତ୍ରୁଟି, ୩ ଘଣ୍ଟା ଅଟକିଲା ଟ୍ରେନ୍‌

ଘଟଗାଁ/ଢେଙ୍କିକୋଟ : ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ‌ଯୋଗୁଁ କେନ୍ଦୁଝର ଜିଲ୍ଲା ବସନ୍ତପୁର-ସୀତାବିଞ୍ଜ ଷ୍ଟେସନ ମଧ୍ୟରେ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ ମେମୁ ସ୍ପେଶାଲ ଟ୍ରେନ୍‌ ତିନିଘଣ୍ଟା ଧରି ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏକ ମାଲ୍‌ବାହୀ ଟ୍ରେନ୍‌ର ଇଞ୍ଜିନ ସାହାଯ୍ୟରେ ଟ୍ରେନ୍‌ଟି ଖୋର୍ଦ୍ଧାରୋଡ ଷ୍ଟେସନ ଅଭିମୁଖେ ଯାତ୍ରା କରିଛି।

ରବିବାର ଦିନ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ ମେମୁ ସ୍ପେଶାଲ ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ କେନ୍ଦୁଝରଗଡ଼ ଷ୍ଟେସନରୁ ଛାଡ଼ିଥିଲା। ବସନ୍ତପୁର-ସୀତାବିଞ୍ଜ ଷ୍ଟେସନ ମଧ୍ୟରେ ଟ୍ରେନ୍‌ଟି ଅଟକି ଯାଇଥିଲା। ଯାଞ୍ଚ ପରେ ଇଞ୍ଜନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ିଥିଲା। ଟ୍ରେନ୍‌ଟି ସେଠାରେ ବହୁ ସମୟ ଅଟକି ରହିବାରୁ କଟକ ଓ ଭୁବନେଶ୍ବରର ବିଭିନ୍ନ ଡାକ୍ତରଖାନାକୁ ଯାଉଥିବା ରୋଗୀଙ୍କ ସମେତ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଶେଷରେ ଏକ ମାଲ୍‌ଗାଡ଼ିର ଇଞ୍ଜିନ ସାହାଯ୍ୟରେ ଟ୍ରେନ୍‌ଟିକୁ ସୀତାବିଞ୍ଜ ଷ୍ଟେସନକୁ ଅଣାଯାଇଥିଲା। ସେଠାରୁ ତିନିଘଣ୍ଟା ବିଳମ୍ବରେ ଟ୍ରେନ୍‌ଟି ପୁଣି ଯାତ୍ରା ଆରମ୍ଭ କରିଥିଲା ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର