ପୁରୁଣାକୋଟ ପୋଖରୀରୁ ମଗର ଉଦ୍ଧାର ; ଗୋଟିଏ ଗଲା, ଆଉ ଗୋଟିଏ ରହିଲା

ବନ୍ତଳା : ଅନୁଗୁଳ ବ୍ଲକ୍ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପୁରୁଣାକୋଟ ଗାଁ ପୋଖରୀରୁ ଆଜି ଏକ ମଗର କୁମ୍ଭୀର ବନ ବିଭାଗ ଉଦ୍ଧାର କରିଛି। ଏହି କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ଶନିବାର ବନକର୍ମଚାରୀ ଉଦ୍ୟମ କରିଥିଲେ। ମାତ୍ର ଏଥି​ରେ ସଫଳ ହୋଇପାରିନଥିଲେ। ଆଜି ବନ କର୍ମଚାରୀ ଓ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହଯୋଗରେ ଏହାକୁ ଉଦ୍ଧାର କରି ସୁରକ୍ଷିତ ଭାବେ ମହାନଦୀରେ ଛାଡ଼ିଦିଆଯାଇଛି।

ସୂଚନା ମୁତାବକ, ଗତବର୍ଷ ଅଗଷ୍ଟ ମାସରେ ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ଦେଇ ପ୍ରବାହିତ ମହାନଦୀରେ ବନ୍ୟା ହୋଇଥିଲା। ଏହି ସମୟରେ ବନ୍ୟାପାଣିରେ ଏକ ମଧ୍ୟବୟସ୍କ ମଗର କୁମ୍ଭୀର ଚାଲିଆସି ଟିକରପଡ଼ାଠାରୁ ୧୦ କିଲୋମିଟର ଦୂର ପୁରୁଣାକୋଟ ଗାଁ ପୋଖରୀ​ରେ ରହିଯାଇଥିଲା। ଗ୍ରାମବାସୀ ପୋଖରୀରେ ଗାଧୁଆପାଧୁଆ କରୁଛନ୍ତି। ଏଠାରେ କୁମ୍ଭୀର ଥିବାରୁ ସେମାନଙ୍କ ପାଇଁ ବିପଦ ଆଶଙ୍କା ରହିଥିଲା। ଏହି କୁମ୍ଭୀରକୁ ପୋଖରୀରୁ ନେବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରୁଥିଲେ। ମାତ୍ର ବନ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁନଥିଲା। ‘ସମ୍ବାଦରେ ଏହି ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଥିଲା। କୁମ୍ଭୀର ଉଦ୍ଧାର କରିବା ପାଇଁ ଶନିବାର ବନ ବିଭାଗ କର୍ମଚାରୀ ପୋଖରୀରେ ଜାଲ ପକାଇଥିଲେ। ମାତ୍ର ଜାଲ ଛୋଟ ଥିବାରୁ କୁମ୍ଭୀର ଧରାପଡ଼ିନଥିଲା। ଏହାପରେ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ଯୋଗାଯୋଗ ପରେ ଭିତରକନିକାରୁ ଏକ ଟିମ୍‌ ଆଜି ପୁରୁଣାକୋଟ ଆସୁଥିଲେ। ତେବେ ପୁରୁଣାକୋଟ ରେଞ୍ଜର ଜୟନ୍ତ ପଟ୍ଟନାୟକଙ୍କ ନେତୃତ୍ବରେ ବନ କର୍ମଚାରୀ, ସ୍ଥାନୀୟ ମତ୍ସ୍ୟଜୀବୀ ଓ ଗ୍ରାମବାସୀ ମିଶି କୁମ୍ଭୀର ଉଦ୍ଧାର କରିଥିଲେ। ପ୍ରାୟ ୪୫ ମିନିଟ୍‌ କସରତ ପରେ କୁମ୍ଭୀରଟିଜାଲରେ ପଡ଼ିଥିଲା। ପରେ ତାକୁ ମହାନଦୀରେ ଛାଡ଼ି ଦିଆଯାଇଛି।

ଖବର ପାଇ ଭିତରକନିକା ଟିମ୍ ଅଧାରାସ୍ତାରୁ ଫେରିଯାଇଥିବା ଜଣାପଡ଼ିଛି। ଉଦ୍ଧାର ମଗରଟିର ଲମ୍ବ ପ୍ରାୟ ୭ ଫୁଟ ହେବ। ଏହି ପୋଖରୀରେ ଆଉ ଏକ ଛୁଆ ମଗର କୁମ୍ଭୀର ଥିବା ଗ୍ରାମବାସୀ କହିଛନ୍ତି। କେତେକ ଗ୍ରାମବାସୀ ଛୁଆ କୁମ୍ଭୀରକୁ ପୋଖରୀରେ ଦେଖିଛନ୍ତି। ଆଜି ପକାଯାଇଥିବା ଜାଲରେ ମଗର ଛୁଆ ଧରାପଡ଼ିନଥିବା ବନ ବିଭାଗ ପ୍ରକାଶ କରିଛି। ଛୁଆ କୁମ୍ଭୀରକୁ ଧରିବା ପାଇଁ ଆଉଥରେ ଚେଷ୍ଟା କରାଯିବ ବୋଲି ରେଞ୍ଜର ଶ୍ରୀ ପଟ୍ଟନାୟକ କହିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର