ରାଜ୍ୟ ବିଦ୍ୟୁତ୍‌ କର୍ମଚାରୀ ସଂଘର ଚେତାବନୀ: ଦାବି ପୂରଣ ନ ହେଲେ ବିଲ୍‌ ଆଦାୟ ବନ୍ଦ

ଭୁବନେଶ୍ବର : ଟାଟା ପାୱାର ଦାୟିତ୍ବ ନେବା ପରେ କର୍ମଚାରୀମାନଙ୍କୁ ଗଧ ପରି ଖଟାଉଛି। ଡିଭିଜନ, ସର୍କଲ, ଇଞ୍ଜିନିୟରମାନଙ୍କର କ୍ଷମତା କାଢ଼ି ନେଇଥିବା ବେଳେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପଦୋନ୍ନତିରେ ବିଳମ୍ବ ଯୋଗୁଁ ଅଶାନ୍ତି ସୃଷ୍ଟି ହୋଇଛି। ଓପିଟିସିଏଲ୍‌ର ସର୍ଭିସ୍ ନିୟମକୁ ନମାନି ବେଆଇନ ପଦୋନ୍ନତି ଦିଆଯାଉଥିବାରୁ ମଧ୍ୟ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। ଯେଉଁ ‘ବିଏ’ କର୍ମଚାରୀମାନଙ୍କର ‘ଏଚଟି’ ଲାଇସେନ୍ସ ଅଛି, ସେମାନଙ୍କୁ ତୁରନ୍ତ ‘ହାଇ ସ୍କିଲ୍ଡ’ ଦରମା ଦେବା, ଇନ‌ସେନ୍‌ଟିଭ ଦେବା ପାଇଁ ସିସିଆର ମାଗିବା ବନ୍ଦ କରିବା, ଓପିଟିସିଏଲ ଓ କନସୋଲେସନ୍‌ ଅଫିସର ଓ ଏକତା ମଞ୍ଚ ସହ ହୋଇଥିବା ତ୍ରିପାକ୍ଷିକ ରାଜିନାମାର ସମୟ ଶେ‌ଷ ହୋଇଯିବାରୁ ସୃଷ୍ଟି ହୋଇଥିବା ଟେକ୍ନିକାଲ କର୍ମଚାରୀଙ୍କ ଦରମା ତାରତମ୍ୟ ହଟାଇ ନୂତନ ମଜୁରି ନିର୍ଧାରଣ କରିବାକୁ ଦାବି କରାଯାଇଛି। ଦାବିଗୁଡ଼ିକ ପୂରଣ କରା ନଗଲେ, ଆଗାମୀ ଦିନରେ ବିଲ୍‌ ଆଦାୟ‌ରେ ସଂପୂର୍ଣ୍ଣ ଅସହଯୋଗ କରାଯିବ ବୋଲି ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ କର୍ମଚାରୀ ସଂଘ ଚେତାବନୀ ଦେଇଛି। ଆଜି ବସିଥିବା ସଂଘର ଜରୁରୀ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ରାଜ୍ୟର ୩୩ଟି ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସଂଘର ସ୍ଥାୟୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଲୀପ ସାହୁ, ସଞ୍ଜୀବ ବେହେରା, ବିପିନ୍ ସେଠୀ, ନରେଶ ତ୍ରିପାଠୀ, ଦିନବନ୍ଧୁ ମହାନ୍ତି, ପ୍ରଫୁଲ୍ଲ ମହାପାତ୍ର, ପ୍ରଫୁଲ୍ଲ ପଟ୍ଟନାୟକ, କୈଳାସ ମହନ୍ତ, ବୁନୁ ପଣ୍ଡା ପ୍ରମୁଖ ଟାଟା ପାୱାର୍‌ର ବିଭିନ୍ନ ବେଆଇନ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ। ଦିଲ୍ଲୀପ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର