୧୭୫ କୋଟିର ସୁନା ବିକ୍ରି: କିଣିଲେ ନେକ୍‌ଲେସ୍‌, ଚୁଡ଼ି, ଚେନ୍, କାନଫୁଲ

ଭୁବନେଶ୍ବର: ଦିନ ବେଳା ଖଚାଖଚ୍‌ ଭିଡ଼। ଉପରବେଳା ସମ୍ପୂର୍ଣ୍ଣ ବନ୍ଦ। ଅକ୍ଷୟ ତୃତୀୟାରେ ଶୁକ୍ରବାର ଭୁବନେଶ୍ବର ଜନପଥରେ ଥିବା ଗହଣା ଦୋକାନଗୁଡ଼ିକରେ କିଛି ଏଭଳି ଦୃଶ୍ୟ ଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୢାଲି ପାଇଁ ଅପରାହ୍ନରେ ଜନପଥକୁ ବନ୍ଦ କରିଦିଆଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିବାରୁ ଗ୍ରାହକମାନେ ସକାଳୁ ସକାଳୁ ସୁନା ‌ଦୋକାନଗୁଡ଼ିକରେ ଭିଡ଼ ଲଗାଇଥିଲେ। ସବୁ ସୋ’ରୁମ୍‌ରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସେମାନେ ସୁନା ହାରଠାରୁ ଆରମ୍ଭ କରି ଚୁଡ଼ି, ଚେନ୍, ମୁଦି, କାନଫୁଲ ଆଦି କିଣି ଘରକୁ ନେଇଥିଲେ। ଆଜି ଗୋଟିଏ ଦିନରେ ପ୍ରାୟ ଅଢ଼େଇ କ୍ବିଣ୍ଟାଲ ସୁନା ବିକ୍ରି ହୋଇଛି ଯାହାର ମୂଲ୍ୟ ୧୭୫ କୋଟି ଟଙ୍କାରୁ ଅଧିକ। ଉପରବେଳାର କାରବାର ପ୍ରଭାବିତ ହେବା ସତ୍ତ୍ବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଅଧିକ ସୁନା ବିକ୍ରି ହୋଇଛି। ଗତବର୍ଷ ଅକ୍ଷୟ ତୃତୀୟାରେ ୧୫୦ କୋଟି ଟଙ୍କାର କାରବାର ହୋଇଥିଲା।
ଅକ୍ଷୟ ତୃତୀୟା କାରବାର ସମ୍ପର୍କରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି ଯେ ଜନପଥ ଷ୍ଟୋର୍‌‌ରେ ଅଧାଦିନ କାରବାର ହୋଇଥିଲେ ମଧ୍ୟ ଗତବର୍ଷ ଭଳି ବେପାର ହୋଇଛି। ସବୁ ଅଞ୍ଚଳକୁ ବିଚାରକୁ ନେଲେ  ବିକ୍ରିରେ ୨୦ ପ୍ରତିଶତ  ବୃଦ୍ଧି ହୋଇଥିବା ଆଶା କରାଯାଉଛି। ଆଜି ଲୋକମାନେ ବିବାହ ଲାଗି ଆବଶ୍ୟକ ହାର, କାନଫୁଲ, ଚୁଡ଼ି ଓ ଚେନ୍ ଆଦି ଅଧିକ କିଣିଛନ୍ତି। ସୋ’ରୁମ୍‌ରେ ପ୍ରବେଶ କରିଥିବା ଗ୍ରାହକଙ୍କ ମଧ୍ୟରୁ ୬୦ ପ୍ରତିଶତ ‌ଅନ୍‌-ସ୍ପଟ୍ ସୁନା କିଣିଥିବା ବେଳେ ୪୦ ପ୍ରତିଶତ ଗ୍ରାହକ ଅଗ୍ରିମ ବୁକିଂ କରିଥିଲେ। ସେମାନେ ନିଜ ଗହଣା ନେବାକୁ ଆସିଥିଲେ। ଆଜି ବିକ୍ରି ହୋଇଥିବା ଗହଣାଗୁଡ଼ିକ ମଧ୍ୟରୁ ୯୦ ପ୍ରତିଶତ ସୁନା ହୋଇଥିବା ବେଳେ ୧୦ ପ୍ରତିଶତ ହେଉଛି ହୀରା ଓ ଅନ୍ୟାନ୍ୟ ଗହଣା। ହୀରାରେ ଗ୍ରାହକମାନେ ନେକ୍‌ଲେସ୍‌, କାନଫୁଲ ଓ ମୁଦି ଆଦି କିଣିଛନ୍ତି ବୋଲି ସେ କହିଛନ୍ତି। ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି ଯେ ଦରବୃଦ୍ଧି ସତ୍ତ୍ବେ ଅକ୍ଷୟ ତୃତୀୟାରେ ସୁନା କିଣିବା ଲାଗି ଲୋକମାନଙ୍କ ଭିତରେ ଉତ୍ସାହ ରହିଥିଲା। ହୀରା ଓ ରୁପା ସାମଗ୍ରୀର ମଧ୍ୟ ବେଶ୍‌ ଚାହିଦା ରହିଛି। ସୁନା ଅଧିକ ଲାଭ ପ୍ରଦାନ କରୁଥିବାରୁ ଗ୍ରାହକମାନେ ଓଜନିଆ ଗହଣା କିଣିବାକୁ ପସନ୍ଦ କରିଛନ୍ତି। ଗତବର୍ଷ ଯେଉଁମାନେ ସୁନାରେ ନିବେଶ କରିଥିଲେ ସେମାନେ ୨୦-୨୫ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ପାଇଛନ୍ତି। ଆଜି ସକାଳୁ ଖିମ୍‌ଜୀର ବିଭିନ୍ନ ଷ୍ଟୋର୍‌ରେ ଅଧିକ ଗ୍ରାହକ ପ୍ରବେଶ କରିବା ସହ କିଣାକିଣି କରିଥିଲେ। ଗତବର୍ଷ ତୁଳନାରେ ବିକ୍ରି ୧୨-୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବା ନେଇ ଆମେ ଆଶା କରୁଛୁ। ଆଜି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ଗତକାଲି ତୁଳନାରେ ପ୍ରାୟ ୮୫୦ ଟଙ୍କା ବୃଦ୍ଧି ପାଇ ୬୭ ହଜାର ଟଙ୍କା ରହିଛି। ଗତବର୍ଷ ଅକ୍ଷୟ ତୃତୀୟ ଦିନ ସୁନା ଦାମ୍ ୫୫ ହଜାର ୭୦୦ ଟଙ୍କା ଥିଲା। ବର୍ଷକ ଭିତରେ ସୁନା ଦାମ୍‌ରେ ୧୦ ହଜାର ଟଙ୍କାର ବୃଦ୍ଧି ହୋଇଥିଲେ ମଧ୍ୟ କିଣାକିଣିକୁ ତାହା ବିଶେଷ ପ୍ରଭାବିତ କରିପାରିନାହିଁ।  ଗ୍ରାହକମାନେ ସୁନା ମୁଦି, ଚେନ୍, କାନଫୁଲ, ଚୁଡ଼ି, ମଙ୍ଗଳସୂତ୍ର ଆଦି କିଣିଛନ୍ତି। ପୁରୁଷ ଗହଣାରେ ଚେନ୍, ମୁଦି ଓ ବ୍ରେସ୍‌ଲେଟ୍‌ ଅଧିକ ବିକ୍ରି ହୋଇଛି। ଗ୍ରାହକମାନେ ଆଜି ୫୦ ହଜାର ଟଙ୍କାରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ସୁନା କିଣିଛନ୍ତି।
ତନିସ୍କର ଏବିଏମ୍ ଅରିନ୍ଦମ ପ୍ରାମାଣିକ କହିଛନ୍ତି,  ଗତବର୍ଷ ତୁଳନାରେ ଏବର୍ଷ ‌ଢେର୍‌ ଅଧିକ ଗ୍ରାହକ ଆସି କିଣାକିଣି କରିଛନ୍ତି। ସୁନା ଗହଣା ଅଧିକ ବିକ୍ରି ହୋଇଛି। କଟକଣା ପାଇଁ ଅପରାହ୍ଣରେ କାରବାର ପ୍ରଭାବିତ ହୋଇଛି ବୋଲି ସେ ମତ ଦେଇଛନ୍ତି। ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ମାର୍କେଟିଂ ମୁଖ୍ୟ ସିଦ୍ଧେଶ୍ବର ରଥ କହିଛନ୍ତି ଯେ ଅଧାଦିନ କାରବାର ହୋଇଥିଲେ ମଧ୍ୟ ସେହି ସମୟ ଭିତରେ ଗତବର୍ଷର ୮୦ ପ୍ରତିଶତ କାରବାର ହୋଇଛି। ସନ୍ଧ୍ୟା ସମୟ ସୋ’ରୁମ୍‌ ଖୋଲାଥିଲେ ଆହୁରି ଅଧିକ ବେପାର ହୋଇଥାନ୍ତା। ମୋଟ ଉପରେ ବହୁତ ଭଲ କାରବାର ହୋଇଛି। ସେହିପରି ଜୟଆଲୁକ୍କାସର ଶାଖା ମୁଖ୍ୟ ସୁଭାଷ ଏମ୍ କହିଛନ୍ତି ଯେ ଦିନ ବେଳା ଭଲ କାରବାର ହୋଇଛି। ଗତବର୍ଷ ଅକ୍ଷୟ ତୃତୀୟାଠାରୁ ଭଲ କାରବାର ହୋଇଛି।  ଆସନ୍ତା ଦୁଇଦିନ ଶନିବାର ଓ ରବିବାର ପଡ଼ୁଥିବା ବେଳେ ଅଫରର ଅବଧି ରହୁଥିବାରୁ ଗ୍ରାହକମାନେ ସେହି ଦୁଇଦିନ ମଧ୍ୟ କିଣାକିଣି କରିବେ ବୋଲି ସୁନା ବ୍ୟବସାୟୀମାନେ ଆଶା ପ୍ରକଟ କରିଛନ୍ତି।
ସମ୍ବନ୍ଧିତ ଖବର