ଗୋ ଚାଲାଣ ବେଳେ ମାଡ଼ିବସିଲା ପୁଲିସ, ୬ ପିକ୍‌ଅପ୍‌ ସହ ବୋଲେରୋ ଜବତ

କର୍ମଚାରୀଙ୍କ ଉପରକୁ ଗାଡ଼ି ଚଢ଼ାଇବାକୁ ଉଦ୍ୟମ, ପୁଲିସ ଫୋର୍ସ ମୁତୟନ

ବେତନଟୀ: ଗୋ ଚାଲାଣ ବେଳେ ପୁଲିସ ଏବଂ ମାଫିଆ ତଥା ଗୋଚାଲାଣକାରୀ ମୁହାଁମୁହିଁ ହୋଇଛନ୍ତି। ଚାଲାଣରେ ବ୍ୟବହୃତ ୭ଟି ଗାଡ଼ି ଜବତ ହୋଇଥିବା ‌ବେଳେ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ସେହିପରି ୪ ଅଭିଯୁକ୍ତ ଧରାପଡ଼ିଛନ୍ତି ଏବଂ ୧୦ ଜଣ ଫେରାର୍‌ ହୋଇଯାଇଥିବା‌ ଜଣାପଡ଼ିଛି।

ଆଜି ଭୋର୍‌ରେ ପିକ୍‌ଅପ୍‌ ଦ୍ବାରା ବେଆଇନ ଗୋ ଗୋଚାଲାଣ ହେଉଥିବା ଖବର ମିଳିଥିଲା। ଫଳରେ ବେତନଟୀ ଥାନା ଆଇଆଇସି ରେଣୁବାଳା ସାହୁଙ୍କ ସହ ଏସ୍‌ଆଇ ବଳରାମ ମହାରଣା, ଏସ୍‌ଆଇ ଲିଲି ବେହେରା ଓ ଅନ୍ୟ କର୍ମଚାରୀମାନେ ଶଂଶାରାଉତରା ନିକଟ ରାସ୍ତାରେ ଜଗି ରହିଥିଲେ। ସେଠାରେ ଓଡି-୦୧-ଏ-୦୨୯୬, ଓଡି-୧୧-ପି-୬୩୧୫, ଓଡି-୦୧-ଇ-୧୫୨୫, ଓଡି-୦୧-ଏମ୍‌-୫୯୭୪, ଓଡି-୦୧-ଏଜେ-୫୨୭୦, ଓଆର୍‌-୦୧-ୟୁ-୨୨୩୯ ନମ୍ବରର ୬ଟି ପିକ୍‌ଅପ୍‌ ସହ ଓଆର୍‌-୦୨-ଏଏକ୍ସ-୬୮୩୨ ନମ୍ବରର ଏକ ବୋଲେରୋ ପହଞ୍ଚିଥିଲା। ସଂଗେ ସଂଗେ ପୁଲିସ କର୍ମଚାରୀମାନେ ଘେରିଯାଇ ଗାଡ଼ିଗୁଡ଼ିକୁ ଅଟକ ରଖିଥିଲେ। ବୋଲେରୋରେ ଥିବା ମାଫିଆମାନେ ପୁଲିସ ସହ ଯୁକ୍ତିତର୍କ କରିବା ସହ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଗ୍ରାମବାସୀମାନେ ପହଞ୍ଚିଯିବାରୁ ମାଫିଆଙ୍କ ସହ ଗୋଚାଲାଣକାରୀ ମୋଟ ୧୦ ଜଣ ଖସିପଳାଇଥିବା ବେଳେ ୪ ଜଣ ଧରାପଡ଼ିଥିଲେ।

ଉଦ୍ଧାର ୧୨୦ରୁ ୧୪ ଗୋରୁ ମୃତ

ମାଫିଆଙ୍କ ସହ ଚମ୍ପଟ ମାରିଲେ ୧୦ ଜଣ

ଗ୍ରାମବାସୀ ଧରାପଡ଼ିଥିବା ଗୋ ଚାଲାଣକାରୀଙ୍କୁ ଉତ୍ତମମଧ୍ୟମ ଦେଇଥିଲେ। ପୁଲିସ ସମସ୍ତ ପିକ୍‌ଅପ୍‌ ଓ ବୋଲେରୋ ଜବତ କରିଥିବା ବେଳେ ୧୨୦ଟି ଗୋରୁ ଉଦ୍ଧାର ହୋଇଥିଲେ। ସେଥିରୁ ୧୪ଟି ଗୋରୁ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ ଏବଂ ଅନ୍ୟ ୨୧ ଗୋରୁ ଗୁରୁତର ଥିଲେ। ବ୍ଲକ୍‌ ପଶୁ ଚିକିତ୍ସା ଅଧିକାରୀ ଡା. ଭବନାଥ ପ୍ରସାଦ ବସ୍ତିଆ, ଡା. ସ୍ବୟଂପ୍ରକାଶ ନାୟକ, ଖଗେନ୍ଦ୍ର ସାହୁ, ସୁରେଶ ଚନ୍ଦ୍ର ସାହୁ, ରଣଜିତ ନାୟକ, ବିଶ୍ବରଞ୍ଜନ ମହାନ୍ତ, କିରଣମୟୀ ମହାନ୍ତ, ବିଦ୍ୟାଭାରତୀ ପଣ୍ତା ପ୍ରମୁଖ ଅସୁସ୍ଥ ଗୋରୁଗୁଡ଼ିକର ଚିକିତ୍ସା କରିଥିଲେ। ପରେ ବେତନଟୀ ନୀଳମାଧମ ଏଣ୍ଟରପ୍ରାଇଜେସ୍‌ର ମାଲିକ ରାମେଶ୍ବର ମିଶ୍ରଙ୍କ ସହାୟତାରେ ଗୋରୁଗୁଡ଼ିକୁ ବାଲେଶ୍ବର ବାମପଦାରେ ଥିବା ଗୋଶାଳାକୁ ନିଆଯାଇଥିଲା। ପରିସ୍ଥିତିକୁ ଦେଖି ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଏସ୍‌ଆଇ ଲିଲି ବେହେରାଙ୍କ ଲିଖିତ ଅଭିଯୋଗ ମୂଳେ ବିଭିନ୍ନ ଦଫାରେ ୨୬୪/୨୨ ନମ୍ବରର ଏକ ମାମଲା ରୁଜୁ ହୋଇଛି।

ଏସ୍‌ଆଇ ବଳରାମ ମହାରଣାଙ୍କୁ ତଦନ୍ତ ଭାର ପ୍ରଦାନ କରାଯାଇଛି। ଧରାପଡ଼ିଥିବା ଗୋ ଚାଲାଣକାରୀ ବାଲେଶ୍ବର ସଦର ଥାନା ଅଧୀନ ଜଙ୍ଖରାଇର ଶେଖ ମମତାଜ, ବୈଶିଙ୍ଗା ଥାନା ଅଧୀନ ଗୋବିନ୍ଦରାୟପୁରର ଶେଖ ଉମରଉଲ୍ଲା ଓ ଶେଖ ନିଜାମୁଦ୍ଦିନ, ବସ୍ତା ଥାନା ବହଳଦା ବସ୍ତିର ଅରପନ କୋର୍ଟ ଚାଲାଣ ହୋଇଛନ୍ତି। ଅନ୍ୟପଟେ ଫେରାର୍‌ ହୋଇଯାଇଥିବା‌ ପିକ୍‌ଅପ୍‌ ଓ ବୋଲେରୋ ମାଲିକଙ୍କ ସହ ମାଫିଆ ଶେଖ ପରବାସିଆ, ଶେଖ ଇମତାଜ ଏବଂ ଶେଖ ମଲ୍ଲିକ ଅବଦୁଲଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର