ନିର୍ବାଣ ଲାଭ

କଥାଟିଏ - ଯାଯାବର

ଥରେ ଗୌତମ ବୁଦ୍ଧ କହିଲେ ଯେ ଯେକୌଣସି ବ୍ୟକ୍ତି ଚାହିଁଲେ ମୋକ୍ଷ ଲାଭ କରି ପାରିବେ।
ଏହା ଶୁଣି ଆନନ୍ଦ ବିସ୍ମିତ ହେଲେ। ସେ ମନେ ମନେ ଭାବିଲେ- ବୁଦ୍ଧ ନିର୍ବାଣ ପ୍ରାପ୍ତିିକୁ ଅତ୍ୟନ୍ତ ସହଜସାଧ୍ୟ କଥା ଭଳି କହି ଦେଲେ। କିନ୍ତୁ ସତରେ ତାହା କ’ଣ ସତ! କିନ୍ତୁ ବୁଦ୍ଧ ମଧ୍ୟ ଅନାବଶ୍ୟକ ଭାବେ କିଛି କହି ନ ଥାଆନ୍ତି!
ଏହା ଭାବି ଆନନ୍ଦ ଏ ସଂପର୍କରେ ବୁଦ୍ଧଙ୍କୁ ପଚାରିଲେ।
ବୁଦ୍ଧ କହିଲେ- ତେବେ ଆନନ୍ଦ, ତୁମେ ଗୋଟିଏ କାମ କର। ଆମେ ଏବେ ଯେଉଁ ଗ୍ରାମରେ ଅଛେ, ସେଠାରେ ପ୍ରତି ବ୍ୟକ୍ତିଙ୍କୁ ଯାଇ ପଚାରି ଆସ, ସେମାନେ ନିଜ ଜୀବନରେ ସବୁଠାରୁ ଅଧିକ କ’ଣ ଚାହାନ୍ତି!
ଆନନ୍ଦ ଗାଁରେ ବୁଲି ପ୍ରତ୍ୟେକ ଲୋକକୁ ଏ ବିଷୟରେ ପଚାରି ଏକ ତାଲିକା ତିଆରି କଲେ ଏବଂ ବୁଦ୍ଧଙ୍କୁ ତାହା ଦେଖାଇଲେ।
ବୁଦ୍ଧ କହିଲେ- ଆନନ୍ଦ ତୁମେ ନିଜେ ଦେଖ, ଏମାନଙ୍କ ମଧ୍ୟରୁ କେହି ନିର୍ବାଣ ବା ମୋକ୍ଷ ଲାଭ କରିବାକୁ ଇଚ୍ଛୁକ କି?
ଆନନ୍ଦ କହିଲେ – ନା, ତଥାଗତ, ଏମାନେ ସମସ୍ତେ ଆୟୁଷ, ଧନ, ଯଶ ଇତ୍ୟାଦି ଲାଭ କରିବାକୁ ଲାଳାୟିତ।
ବୁଦ୍ଧ କହିଲେ- ସେମାନେ ଯେଉଁଥି ଲାଗି ଲାଳାୟିତ, ତାହା ହାସଲ କରିବା ଦିଗରେ ସେମାନେ ଚେଷ୍ଟିତ। ମୋକ୍ଷ ଲାଭ କରିବାର ଆକାଂକ୍ଷା କାହାର ନାହିଁ। ତେଣୁ ଲାଭ କରିବେ କିପରି? କିନ୍ତୁ ଯିଏ ଏ ଦିଗରେ ଆକାଂକ୍ଷୀ ହେବ, ସେ ଅବଶ୍ୟ ନିର୍ବାଣ ଲାଭ କରିପାରିବ। ତେଣୁ ମୁଁ କହିଥିଲି ଯେ ସମସ୍ତେ ନିର୍ବାଣ ଲାଭ କରି ପାରି‌େବ।

ସମ୍ବନ୍ଧିତ ଖବର