ବିଡିଓଙ୍କ ନିର୍ଦ୍ଦେଶକୁ ବେଖାତିର, ଚିଠିରେ ସୀମିତ ୭ କୋଟି ଟଙ୍କାର ଅଗ୍ରୀମ ଭତ୍ତା

ଲେଫ୍ରିପଡ଼ା: ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍‌ରେ ମଧୁବାବୁ ପେନ୍‌ସନ୍‌ ଏବଂ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ପ୍ରାୟ ୪୦ରୁ ଅଧିକ କର୍ମଚାରୀଙ୍କ ନାମରେ ୭ କୋଟିରୁ ଅଧିକ ଟଙ୍କା ଅଗ୍ରୀମ ଗଡ଼ୁଛି। ବର୍ଷ ବର୍ଷ ଧରି ଆଡ୍‌ଜଷ୍ଟ କରାଯାଉନଥିବାରୁ ଏ ସଂପର୍କରେ ଗତ ୨୫ ତାରିଖ ‘ସମ୍ବାଦ’ରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ବିଡିଓ ରମେଶ ହାଁସଦା ସମସ୍ତ ଭତ୍ତା ପ୍ରଦାନକାରୀ ଅଧିକାରୀଙ୍କୁ ପତ୍ରସଂଖ୍ୟା ୧୪୩୫/୨୭-୧୦-୨୦୨୧ରେ ୭ ଦିନ ମଧ୍ୟରେ ସେମାନଙ୍କ ନାମରେ ଥିବା ଅଗ୍ରୀମ ରାଶି ଆଡ୍‌ଜଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ଦିଗରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚାଇ ଦେଇଥିଲେ। ମାତ୍ର ଆଜକୁ ପ୍ରାୟ ୨ ସପ୍ତାହ ବିତିଲାଣି ବିଡିଓଙ୍କ ନିର୍ଦ୍ଦେଶକୁ ବେଖାତିର କରି କୌଣସି କର୍ମଚାରୀ ଆଡ୍‌ଜଷ୍ଟ ପାଇଁ ତତ୍ପରତା ପ୍ରକାଶ କରୁ ନାହାନ୍ତି। ଫଳରେ ୭ କୋଟିର ଅଗ୍ରୀମ ଭତ୍ତା କେବଳ ଚିଠିରେ ସୀମିତ ରହିଯାଇଛି।

ସୂଚନାଯୋଗ୍ୟ ଯେ, ନିୟମିତ ପ୍ରତ୍ୟେକ ମାସରେ ଭତ୍ତା ଟଙ୍କା ବଣ୍ଟନ ହେଉଛି ସତ, ହେଲେ କର୍ମଚାରୀମାନେ ତା’ର ହିସାବକିତାବ ବ୍ଲକ୍‌କୁ ଦେଉ ନ ଥିବା ଏବଂ ବ୍ଲକ୍ କର୍ତ୍ତୃପକ୍ଷ ମଧ୍ୟ ନିରବ ରହି ସେମାନଙ୍କୁ ଅଗ୍ରୀମ ଉପରେ ଅଗ୍ରୀମ ଟଙ୍କା ଦେଇଚାଲିଥିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଏଭଳିକି ଭତ୍ତା ବଣ୍ଟନ ପରେ ବଳୁଥିବା ସରକାରୀ ଟଙ୍କାକୁ ଅନେକେ ଆତ୍ମସାତ୍‌ କରିଦେଇଥିବା ଭଳି ଗୁରୁତର ଅଭିଯୋଗ ହେଉଛି। ତନ୍ମଧ୍ୟରୁ ଅନେକ ଚୁକ୍ତିଭିତ୍ତିକ ତଥା ଅସ୍ଥାୟୀ କର୍ମଚାରୀ ହୋଇଥିବା ବେଳେ କେତେକ ଏଠାରୁ ବଦଳି ହୋଇ ଚାଲିଗଲେଣି। ପୁଣି କେତେକ ଅବସର ନେଇ ସାରିଥିବା ବେଳେ ଆଉ କେତେକଙ୍କ ମୃତ୍ୟୁ ହୋଇ ଯାଇଛି। ତେବେ ସରକାରୀ ନିୟମ ମୁତାବକ ନିୟମିତ କର୍ମଚାରୀଙ୍କୁ ହିଁ ଭତ୍ତା ଟଙ୍କା ପ୍ରଦାନ ସକାଶେ ଅଗ୍ରୀମ ଦିଆଯିବା ତଥା ତାଙ୍କ ନାମରେ ଅଗ୍ରୀମ ରହିଲେ ଅସୁଲିର ବ୍ୟବସ୍ଥା ରହିଛି।

ଏଠାରେ ଗ୍ରାମ ରୋଜଗାର ସେବକ, ଡାଟା ଏଣ୍ଟ୍ରି ଅପରେଟର ଭଳି ଅସ୍ଥାୟୀ କର୍ମଚାରୀଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ବକେୟା ପଡ଼ିରହିଛି। ନିୟମ ଅନୁଯାୟୀ ଜଣେ କର୍ମଚାରୀଙ୍କ ନାମରେ ୨ ଲକ୍ଷ ଟଙ୍କାରୁ ଅଧିକ ଅଗ୍ରୀମ ଅର୍ଥ ରହିଲେ ତାଙ୍କୁ ପରବର୍ତ୍ତୀ ଅଗ୍ରୀମ ଦିଆଯିବା କଥା ନୁହେଁ। କିନ୍ତୁ ଏଠାରେ କ୍ରମାଗତ ଭାବେ କର୍ମଚାରୀଙ୍କ ନାମରେ ଅଗ୍ରୀମ ଉପରେ ଅଗ୍ରୀମ ଦିଆଚାଲିଛି। ଏ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗ ବ୍ଲକ୍ ପ୍ରଶାସନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଏଭଳି ସୁଯୋଗ ଉପରେ ସୁଯୋଗ ଦେଇ ଚାଲିଥିବାରୁ ସରକାରୀ ଅର୍ଥ ତୋଷାରପାତ ହୋଇଥିବା ଆଶଙ୍କା କରାଯାଉଛି। ଆଡ୍‌ଜଷ୍ଟମେଣ୍ଟ ଏବଂ ଟଙ୍କା ଫେରସ୍ତ ନେଇ ବିଡିଓ ରମେଶ ହାଁସଦାଙ୍କ ପ୍ରତିକ୍ରିୟା ମଗାଯିବାରୁ ସେ କର୍ମଚାରୀଙ୍କୁ ଆଡ୍‌ଜଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ପ୍ରକ୍ରିୟା ଜାରି ରହିଛି ବୋଲି ପ୍ରକାଶ କରିଥିଲେ। ସେହିଭଳି ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଏସ୍.ଲାକ୍ରା ମଧ୍ୟ ଆଡ୍‌ଜଷ୍ଟମେଣ୍ଟ ଚାଲିଥିବା କହିଥିବା ବେଳେ ସରକାରୀ ନିୟମର ବିରୁଦ୍ଧାଚରଣ କରି କାହିଁକି ଅସ୍ଥାୟୀ କର୍ମଚାରୀଙ୍କୁ ଲକ୍ଷଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଉଛି ବୋଲି ପଚରାଯିବାରୁ ସେ ନିରବ ରହିଥିଲେ। ତେବେ ଏହି ଭତ୍ତା ଟଙ୍କାର କାଗଜପତ୍ର ତଥା ବିନିଯୋଗପତ୍ର ଦେବାରେ କର୍ମଚାରୀମାନେ ବିଳମ୍ବ କରିବା ଘଟଣାକୁ ନେଇ ଅର୍ଥ ଆତ୍ମସାତ୍‌ କରାଯାଇଥିବା ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି।

ସମ୍ବନ୍ଧିତ ଖବର