ଜାମିନ ପରେ ବି ଜେଲ୍‌ରେ ବନ୍ଦୀ ମାମଲା: ୯ ଦିନରେ ମୁକୁଳିଲେ ୭୫; ତଥାପି ଅଛନ୍ତି ୩୬୯

ସମୟ ଲୋଡ଼ିଲେ ସରକାର; ପୁଣି ଆଜି ଶୁଣାଣି

କଟକ: ଅଦାଲତ ଜାମିନ ମଞ୍ଜୁର କରିବା ସତ୍ବେ ସର୍ତ୍ତପୂରଣ କରି ନ ପାରି ଏବେ ବି ୩୬୯ଜଣ ବିଚାରାଧୀନ ବନ୍ଦୀ ରାଜ୍ୟର ବିଭିନ୍ନ ଜେଲରେ ଅଛନ୍ତି। ଜେଲ ସଂସ୍କାର ସଂପର୍କିତ ମାମଲାରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ‌‌ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଥିଲା। ହାଇକୋର୍ଟଙ୍କ ୨୦୨୪, ଏପ୍ରିଲ ୧୨ର ନିର୍ଦ୍ଦେଶ ପାଳନ କରି ସମସ୍ତ ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସ)ର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଓ ସଚିବଙ୍କ ଏକ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଏହି ପ୍ରସଂଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ତଥା ଏସଓପି ପାଳନ କରିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଗତ ୧୨ ତାରିଖରେ ଶୁଣାଣି ସମୟରେ ଅଦାଲତ ଜାମିନ ମଞ୍ଜୁର କରିବା ପରେ ମଧ୍ୟ ୪୪୪ ଜଣ ବନ୍ଦୀ ବିଭିନ୍ନ କାରଣରୁ ଜେଲରୁ ମୁକୁଳି ପାରି ନଥିବା ଜଣା ପଡିଥିଲା। ଗଲା ୯ ଦିନରେ ସେମାନଙ୍କ ମଧ୍ୟରୁ ୭୫ଜଣ ବିଚାରାଧୀନ ବନ୍ଦୀ ଜେଲରୁ ମୁକୁଳି ସାରିଛନ୍ତି ବୋଲି ଆଜି ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।

ଅବଶିଷ୍ଟ ବିଚାରାଧୀନ ବନ୍ଦୀଙ୍କ ଜାମିନ ସର୍ତ୍ତ କୋହଳ ପ୍ରସଙ୍ଗରେ ଆଇନସେବା ପ୍ରାଧିକରଣ ପକ୍ଷରୁ ନିୟୋଜିତ ଆଇନଜୀବୀ ଓ ପାରାଲିଗାଲ ସ୍ବେଚ୍ଛାସେବୀମାନେ ପଦକ୍ଷେପ ନେଉଛନ୍ତି। ଏଭଳି ବନ୍ଦୀଙ୍କ ସାମାଜିକ-ଅର୍ଥନୈତିକ ସ୍ଥିତି ସଂପର୍କିତ ରିପୋର୍ଟ ପ୍ରସ୍ତୁତ କରାଯାଇ ସଂପୃକ୍ତ ଅଦାଲତରେ ଉପସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଛି। ଯେଉଁ ବନ୍ଦୀଙ୍କ ପାଇଁ ଡିଏଲଏସ ତରଫରୁ ଆଇନଜୀବୀ ନିୟୋଜିତ କରାଯାଥିଲା ସେମାନଙ୍କ ଜାମିନ ସର୍ତ୍ତ କୋହଳ ପାଇଁ ପଦକ୍ଷେପ ନିଆଯାଇଛି। କିନ୍ତୁ ଏଭଳି ୩୩୩ ବିଚାରାଧିନ ବନ୍ଦୀ ରହିଛନ୍ତି ଯେଉଁମାନେ ନିଜ ତରଫରୁ ଆଇନଜୀବୀ ନିୟୋଜିତ କରିଛନ୍ତି। ଏହି ୩୩୩ ଜଣ ବନ୍ଦୀଙ୍କ ଆଇନଜୀବୀଙ୍କୁ ଜାମିନ ସର୍ତ୍ତାବଳୀ କୋହଳ ପ୍ରସଂଗରେ ପଦକ୍ଷେପ ନେବାକୁ ଆଇନସେବା ପ୍ରାଧିକରଣ ତରଫରୁ ଅନୁରୋଧ କରାଯାଇଛି। ଜାମିନ ମଞ୍ଜୁର ପରେ ମଧ୍ୟ ମୁକୁଳି ପାରି ନଥିବା ବିଚାରାଧୀନ ବନ୍ଦୀଙ୍କ ମଧରୁ ୧୯୭ଜଣଙ୍କ ବିରୋଧରେ ଏକାଧିକ ମାମଲା ରହିଛି ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।

ଶୁଣାଣି ସମୟରେ ଆମିକସ୍ କ୍ୟୁରି ଦର୍ଶାଇଥିଲେ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ ଏସଓପି ଅନୁସାରେ ଯଦି ଜଣେ ବିଚାରାଧୀନ ବନ୍ଦୀଙ୍କୁ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯିବା ସତ୍ବେ ସେ ଏକ ମାସ ଭିତରେ ଜେଲରୁ ନ ମୁକୁଳନ୍ତି ତେବେ ଅଦାଲତ ଏହି ପ୍ରସଂଗରେ ନିଜ ଆଡ଼ୁ ଶୁଣାଣି କରିବା କଥା। ଜାମିନ ସର୍ତ୍ତ କୋହଳ ବା ସଂଶୋଧନ ଆବଶ୍ୟକ ସେ ନେଇ ଅଦାଲତ ନିଜ ଆଡ଼ୁ ବିଚାର କରିବେ। ଏଥି ସହିତ ଅଦାଲତଙ୍କ ଜାମିନ ମଞ୍ଜୁର ପରେ ମଧ୍ୟ ଯଦି ୭ ଦିନ ଭିତରେ ବନ୍ଦୀ ଜେଲରୁ ନ ମୁକୁଳନ୍ତି ତେବେ ଏ ନେଇ ସଂପୃକ୍ତ ଜେଲର ଅଧୀକ୍ଷକ ଡିଏଲଏସକୁ ଅବଗତ କରିବେ। ଏହି ପ୍ରସଂଗରେ ଜେଲ ବିଭାଗ ତରଫରୁ ଇ-ମେଲ ମାଧ୍ୟମରେ ଡିଏଲଏସକୁ ସୂଚନା ମିଳିବା କଥା ବୋଲି ଆମିକସ୍ କ୍ୟୁରି ଦର୍ଶାଇଥିଲେ। ଏହି ପ୍ରସଂଗରେ କଣ ବ୍ୟବସ୍ଥା ରହିଛି ସେ ନେଇ ଅବଗତ କରିବାକୁ ସରକାରଙ୍କ ତରଫରୁ ସମୟ ଲୋଡ଼ା ଯାଇଥିଲା। ହାଇକୋର୍ଟ ଏ ସଂପର୍କିତ କୃଷ୍ଣପ୍ରସାଦ ସାହୁଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ମଙ୍ଗଳବାରକୁ ଧାର୍ଯ୍ୟ କରିଛନ୍ତି। ଆମିକସ କ୍ୟୁରି ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର