ଜାତିସଂଘରେ ପାକ୍‌କୁ କଡ଼ା ଜବାବ: ସବୁ କ୍ଷେତ୍ରରେ ପାକିସ୍ତାନର ସନ୍ଦେହଜନକ ଟ୍ରାକ୍ ରେକର୍ଡ ରହିଛି

ଜାତିସଂଘ: ଜାତିସଂଘ ସାଧାରଣ ପରିଷଦ (ୟୁଏନ୍‌ଜିଏ)ରେ ଇସଲାମାବାଦର ରାଷ୍ଟ୍ରଦୂତଙ୍କ ‘ବିନାଶକାରୀ ଓ ମାରାତ୍ମକ’ ମନ୍ତବ୍ୟକୁ ସମାଲୋଚନା କରି ଭାରତ କହିଛି ଯେ ପାକିସ୍ତାନର ସବୁ କ୍ଷେତ୍ରରେ ସନ୍ଦେହଜନକ ଟ୍ରାକ୍ ରେକର୍ଡ ରହିଛି। ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ କହିଛନ୍ତି, ଏହି ସଭାରେ, ଯେତେବେଳେ ଆମେ ଏକ ଆହ୍ୱାନପୂର୍ଣ୍ଣ ସମୟରେ ଶାନ୍ତିର ସଂସ୍କୃତି ବିକଶିତ କରିବାକୁ ଚେଷ୍ଟା କରୁଛୁ, ଆମର ଧ୍ୟାନ ଗଠନମୂଳକ ଆଲୋଚନା ଉପରେ ଦୃଢ଼ ରହିଛି। ତେଣୁ ଆମେ ଏକ ନିର୍ଦ୍ଦିଷ୍ଟ ପ୍ରତିନିଧିଙ୍କ ମନ୍ତବ୍ୟକୁ ବାଦ୍ ଦେବାକୁ ପସନ୍ଦ କରୁଛୁ, ଯେଉଁଥିରେ କେବଳ ଶୃଙ୍ଖଳାର ଅଭାବ ନାହିଁ ବରଂ ତାଙ୍କର ‘ବିନାଶକାରୀ ଓ ମାରାତ୍ମକ’ ପ୍ରକୃତି କାରଣରୁ ଆମର ସାମୂହିକ ପ୍ରୟାସକୁ ଭିନ୍ନ ଆଡ଼କୁ ନେଉଛି। ସେମାନଙ୍କର ସମସ୍ତ ଦିଗରେ ସନ୍ଦେହଜନକ ଟ୍ରାକ୍ ରେକର୍ଡ ରହିଛି।

‘ଶାନ୍ତିର ସଂସ୍କୃତି’ ଉପରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଆଲୋଚନା ଚାଲିଥିବା ବେଳେ ପାକିସ୍ତାନର ଜାତିସଂଘ ରାଷ୍ଟ୍ରଦୂତ ମୁନିର ଆକ୍ରମ କାଶ୍ମୀର, ନାଗରିକତା ସଂଶୋଧନ ଆଇନ ଏବଂ ଅଯୋଧ୍ୟାର ରାମମନ୍ଦିର ପ୍ରସଙ୍ଗ ଉତ୍ଥାପନ ସମେତ ଭାରତ ବିରୋଧରେ ମନ୍ତବ୍ୟ ଦେବା ପରେ କାମ୍ବୋଜ ଏହି ବୟାନ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଆତଙ୍କବାଦ ଶାନ୍ତି ସଂସ୍କୃତି ଓ ସମସ୍ତ ଧର୍ମର ମୂଳ ଶିକ୍ଷାର ସିଧାସଳଖ ବିରୋଧ କରୁଛି। ଭୂ-ରାଜନୈତିକ ଉତ୍ତେଜନା ଏବଂ ଅସମାନ ବିକାଶ ଦ୍ୱାରା ବିଶ୍ୱ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହେଉଛି। ଧର୍ମ ଓ ବିଶ୍ୱାସ ଆଧାରରେ ବଢୁଥିବା ଅସହିଷ୍ଣୁତା, ଭେଦଭାବ ଓ ହିଂସା ପ୍ରକୃତରେ ଆମର ତୁରନ୍ତ ଧ୍ୟାନ ଆବଶ୍ୟକ କରୁଛି ବୋଲି ସେ କହିଛନ୍ତି। ଚର୍ଚ୍ଚ, ମଠ, ଗୁରୁଦ୍ୱାରା, ମସଜିଦ, ମନ୍ଦିର ଏବଂ ସିନାଗଗ (ଇହୁଦୀ ମନ୍ଦିର) ସମେତ ପବିତ୍ର ସ୍ଥଳ ଉପରେ ବଢୁଥିବା ଆକ୍ରମଣକୁ ନେଇ ଆମେ ବିଶେଷ ଭାବରେ ଚିନ୍ତିତ। ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସମର୍ଥିତ ଅହିଂସା ନୀତି ଶାନ୍ତି ପ୍ରତି ଭାରତର ପ୍ରତିବଦ୍ଧତାର ଆଧାର ହୋଇ ରହିଛି ବୋଲି କମ୍ବୋଜ ୟୁଏନ୍‌ଜିଏ ବୈଠକରେ କହିଥିଲେ।

ସମ୍ବନ୍ଧିତ ଖବର