ଦିନମଜୁରିଆ ପାଲଟିଲେ ପଦ୍ମଶ୍ରୀ ଦର୍ଶନମ୍ ମୋଗୁଲାୟା

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ସାଧାରଣ ଗରିବ ପରିବାରରେ ଜନ୍ମ ହୋଇଥିଲେ ଦର୍ଶନମ୍‌ ମୋଗୁଲାୟା। ‘କିନ୍ନେରା’ ନାମକ ଏକ ପୁରାତନ ତଥା ବିଲୁପ୍ତପ୍ରାୟ ବାଦ୍ୟଯନ୍ତ୍ରର ପୁନରୁଦ୍ଧାର କରି ସମଗ୍ର ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ଚର୍ଚ୍ଚାକୁ ଆସିଥିଲେ। ଦର୍ଶନମ୍‌ଙ୍କ ଏହି କଳାକୁ ସମ୍ମାନ ଜଣାଇ ୨ ବର୍ଷ ପୂର୍ବେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନ ପରେ ଦର୍ଶନମ୍‌ଙ୍କ ନିକଟକୁ ସତେ ଯେପରି ଭାଗ୍ୟଲକ୍ଷ୍ମୀ ଚାଲିଆସିଥିଲେ। ବିଭିନ୍ନ ସ୍ଥାନରୁ ଅନେକ ସମ୍ମାନ ସହ ଆର୍ଥିକ ସହାୟତାର ସୂଅ ଛୁଟିଥିଲା। ତେଲେଙ୍ଗାନା ସରକାର ମଧ୍ୟ ୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଅନେକ ଭାବୁଥିବେ ଏହା‌ପରେ ଦର୍ଶନମ୍‌ଙ୍କ ଭାଗ୍ୟ ସବୁଦିନ ପାଇଁ ବଦଳିଯାଇଥିବ, କିନ୍ତୁ ୨ ବର୍ଷ ମଧ୍ୟରେ ଦର୍ଶନମ୍‌ ଯେଉଁ ସ୍ଥିତିରୁ ଯାଇଥିଲେ ସେଇ ସ୍ଥିତିକୁ ପହଞ୍ଚିଯାଇଛନ୍ତି। ଆଜି ତାଙ୍କୁ ଘରୋଇ ନିର୍ମାଣସ୍ଥଳରେ ଏକ ଦିନ ମଜୁରିଆ ଭାବେ କାମ କରୁଥିବା ଦେଖିବାକୁ ମିଳିଛି।

ହାଇଦ୍ରାବାଦର ତୁର୍କାୟାମଜାଲ ଠାରେ ଏକ କୋଠା ନିର୍ମାଣସ୍ଥଳରେ ‘କିନ୍ନେରା ମୋଗୁଲାୟା’ଙ୍କୁ ଏକ ଦିନ ମଜୁରିଆ ଭାବେ କାମ କରୁଥିବା ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସୁଅ ସେଠାକୁ ‌ଛୁଟିଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ଏଭଳି ଅବସ୍ଥା ସମ୍ପର୍କରେ ପ୍ରତିକ୍ରିୟା ଦେଇ ୭୩ ବର୍ଷୀୟ ଦର୍ଶନମ୍‌ କହିଛନ୍ତି ଯେ ତାଙ୍କର ଜଣେ ପୁଅ ମୂର୍ଚ୍ଛାରୋଗରେ ପୀଡ଼ିତ। ପୁଅର ଚିକିତ୍ସା ଖର୍ଚ୍ଚ ଓ ନିଜର ଖାଇବା ପାଇଁ ମାସକୁ ଅତିକମ୍‌ରେ ୭ହଜାର ଟଙ୍କା ଆବଶ୍ୟକ। ଏହାପରେ ଅନ୍ୟାନ୍ୟ ଖର୍ଚ୍ଚ ରହିଛି। ତାଙ୍କର ୯ ସନ୍ତାନଙ୍କ ମଧ୍ୟରୁ ତିନିଜଣଙ୍କ ବହୁ ପୂର୍ବରୁ ମୃତ୍ୟ ଘଟିସାରିଛି। ଅନ୍ୟ ତିନିଜଣ ବିବାହିତ। ତିନିଜଣ ପାଠ ପଢ଼ୁଛନ୍ତି ଓ ସେମାନେ ତାଙ୍କ ଉପରେ ନିର୍ଭରଶୀଳ।

ତାଙ୍କୁ ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ୧ କୋଟି ଟଙ୍କା ଓ ଅନ୍ୟ ଆର୍ଥିକ ସହାୟତା କ’ଣ ହେଲା (?) ସେ ସମ୍ପର୍କରେ ଦର୍ଶନମ୍‌ କହିଛନ୍ତି ଯେ ସେହି ଟଙ୍କାରୁ ଅଧିକାଂଶ ତାଙ୍କର ତିନି ସନ୍ତାନଙ୍କ ବିବାହରେ ଖର୍ଚ୍ଚ କରିଦେଲେ। ବଳକା ଟଙ୍କାରେ ତୁର୍କାୟାମଜାଲରେ ଏକ ଜାଗା କିଣିଛନ୍ତି। ଏହି ସ୍ଥାନରେ ତାଙ୍କର ସ୍ବପ୍ନର ଘର ନିର୍ମାଣ କରିବା ଆରମ୍ଭ କରିଥିଲେ। କିନ୍ତୁ ଆର୍ଥିକ ସମସ୍ୟା ପାଇଁ ଏହାକୁ ସେ ଅଧାରୁ ବନ୍ଦ କରିଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମାସକୁ ୧୦ହଜାର ଟଙ୍କା ଭତ୍ତା ବନ୍ଦ ହୋଇଯିବା ପରେ ପରିସ୍ଥିତି ଆହୁରି ଦୟନୀୟ ହୋଇଯାଇଛି। ଏହାପରେ ସେ ଅନେକ ମାନ୍ୟଗଣ୍ୟ ଲୋକ ଓ ଅନେକ ସଂସ୍ଥା ନିକଟକୁ ନିଯୁକ୍ତି ଆଶାରେ ଯାଇଛନ୍ତି। କିନ୍ତୁ ସମସ୍ତେ ସମବେଦନା ଜଣାଇ ଫେରାଇ ଦେଇଛନ୍ତି। ରାଜ୍ୟ ସରକାର ତାଙ୍କୁ ରାଙ୍ଗାରେଡ୍ଡି ଜିଲ୍ଲାରେ ପ୍ରାୟ ୬ଶହ ବର୍ଗ ମିଟର ଏକ ଜାଗା ଦେବା ପାଇଁ ଘୋଷଣା କରିଥିଲେ। ଏଥିପାଇଁ ସେ ତିନିଥର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରିଛନ୍ତି। ପ୍ରତିଥର ଜିଲ୍ଲାପାଳ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ କାର୍ଯ୍ୟକାରୀ ହୋଇପାରିନାହିଁ। ଶେଷରେ ‌ସେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଓ ଉପ ମୁଖ୍ୟମନ୍ତ୍ରୀ ମାଲୁ ଭଟ୍ଟି ବିକ୍ରମାର୍କଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ସହ ସାକ୍ଷାତ କରିବାକୁ ପରାମର୍ଶ ଦେଇ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏଭଳି କଷ୍ଟ ମଧ୍ୟରେ ସେ ଟିଏସ୍‌ଆର୍‌ଟିସିର ପରିଚାଳନା ନିର୍ଦ୍ଦେଶକ ଭିସି ସଜ୍ଜନାରଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ (ସଜ୍ଜନାର) ତାଙ୍କ ନିମନ୍ତେ ଏକ ବସ୍‌ପାସ୍‌ର ବ୍ୟବସ୍ଥା କରିଦେଇଛନ୍ତି। ଏହାଦ୍ବାରା ସେ ମାଗଣାରେ ବସ୍‌ଯାତ୍ରା କରିପାରୁଛନ୍ତି। ନଚେତ୍‌ ସେ ଏହି ଦିନ ମଜୁରିଆ କାମ ମଧ୍ୟ ପାଇପାରିନଥାନ୍ତେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର