ସେକ୍ସ ଟେପ୍ କେଳେଙ୍କାରୀ: ପ୍ରଜ୍ୱଳଙ୍କ ବିରୋଧରେ ନୂଆ ଅପହରଣ ଓ ଦୁଷ୍କର୍ମ ମାମଲା

ବେଙ୍ଗାଲୁରୁ: ସେକ୍ସ କେଳେଙ୍କାରୀରେ ଜେଡିଏସ୍ ସାଂସଦ ପ୍ରଜ୍ୱଳ ରେବନ୍ନା ଏବଂ ତାଙ୍କ ପିତା ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚ୍‌ଡି ରେବନ୍ନାଙ୍କ ବିରୋଧରେ ଦୁଷ୍କର୍ମ ଓ ଅପହରଣ ମାମଲା ରୁଜୁ ହୋଇଛି। ଏହା ହେଉଛି ବାପ-ପୁଅଙ୍କ ନାଁରେ ରୁଜୁ ହୋଇଥିବା ଦୁଇଟି ନୂଆ ମାମଲା। କର୍ଣ୍ଣାଟକ ପୁଲିସର ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଏହି ଦୁଷ୍କର୍ମ ମାମଲା ରୁଜୁ କରିଛି। ଆଇପିସିର ଧାରା ୩୭୬ ଅନୁଯାୟୀ ଏହାକୁ ଦାୟର କରାଯାଇଛି। ଏଥିରେ ଧାରା ୩୭୬(୨) (ଏନ୍) (ବାରମ୍ବାର ଦୁଷ୍କର୍ମ), ୫୦୬ (ଆପରାଧିକ ଧମକ), ୩୫୪ଏ(୧)(୨) (ଯୌନ ଅନୁଗ୍ରହ ଦାବି), ୩୫୪(ବି) (ମହିଳାଙ୍କୁ ନିର୍ବସ୍ତ୍ର କରିବା ଉଦ୍ଦେଶ୍ୟରେ ଆକ୍ରମଣ କିମ୍ବା ଆପରାଧିକ ବଳ ପ୍ରୟୋଗ) ଏବଂ ୩୫୪(ସି) (ନଗ୍ନ କିମ୍ବା ଅର୍ଦ୍ଧ-ନଗ୍ନ ଫଟୋ ଅପଲୋଡ୍) ଏବଂ ଆଇଟି ଆକ୍ଟ ଅନୁଯାୟୀ ମାମଲା ତାଲିକାଭୁକ୍ତ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ମୁଖ୍ୟ ଏଚ୍‌ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ୱଳ ରେବନ୍ନାଙ୍କୁ ଏତଲାରେ ଏକମାତ୍ର ଅଭିଯୁକ୍ତ ଭାବେ ନାମିତ କରାଯାଇଛି। ଏସ୍‌ଆଇଟି ଅଧିକାରୀମାନେ ଗୁରୁବାର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଏଫ୍‌ଆଇଆର ଦାଖଲ କରିଛନ୍ତି।

ଏହାବ୍ୟତୀତ ରାଜୁ ଏଚ୍‌ଡି ନାମକ ଜଣେ ବ୍ୟକ୍ତି କର୍ଣ୍ଣାଟକ ସାଂସଦଙ୍କ ବିରୋଧରେ ଆଇପିସିର ଧାରା ୩୬୪ଏ (ଅପହରଣ) ଏବଂ ୩୬୫ (କୌଣସି ବ୍ୟକ୍ତିଙ୍କୁ ଗୁପ୍ତ ଭାବରେ ବନ୍ଦୀ କରିବା ଉଦ୍ଦେଶ୍ୟରେ ଅପହରଣ) ଅନୁଯାୟୀ ମାମଲା ରୁଜୁ କରିଛନ୍ତି। ଅଭିଯୋଗକାରୀ ଦାବି କରିଛନ୍ତି ଯେ ଏପ୍ରିଲ ୨୯ ତାରିଖରେ ତାଙ୍କ ମା’ଙ୍କୁ ଜୋରଜବରଦସ୍ତ ଉଠାଇ ନିଆଯାଇଥିଲା ଏବଂ ପରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରାଜୁ ଅଭିଯୋଗ କରିଛନ୍ତି ଯେ ସେ ଓ ତାଙ୍କ ମା’ ୬ ବର୍ଷ ଧରି ରେବନ୍ନାଙ୍କ ଘର ଓ ଫାର୍ମହାଉସରେ କାମ କରୁଥିଲେ ଏବଂ ସେମାନେ କାମ ଛାଡ଼ିବାର ତିନି ବର୍ଷ ବିତିଗଲାଣି। ଲୋକସଭା ନିର୍ବାଚନ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ସତୀଶ ନାମକ ଜଣେ ବ୍ୟକ୍ତି ତାଙ୍କ ଘରକୁ ଯାଇ ତାଙ୍କ ମା’ଙ୍କୁ ଅନ୍ୟ ଏକ ଅଞ୍ଚଳକୁ ନେଇଯାଇଥିଲେ। ନିର୍ବାଚନ ଦିନ ସତୀଶ ତାଙ୍କ ମା’ଙ୍କୁ ଘରକୁ ଫେରାଇ ଆଣିଥିଲେ। ଏପ୍ରିଲ ୨୯ ତାରିଖ ରାତି ପ୍ରାୟ ୯ଟା ବେଳେ ସତୀଶ ପୁଣି ଥରେ ରାଜୁଙ୍କ ଘରକୁ ଯାଇ ତାଙ୍କ ମା’ଙ୍କୁ ଜୋରଜବରଦସ୍ତ ନେଇଯାଇଥିଲେ ଏବଂ କହିଥିଲେ ଏଚ୍‌ଡି ରେବନ୍ନା ତାଙ୍କୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମେ ୧ ତାରିଖରେ ରାଜୁ ତାଙ୍କ ସାଙ୍ଗମାନଙ୍କଠାରୁ ଜାଣିବାକୁ ପାଇଥିଲେ ଯେ ତାଙ୍କ ମା’ଙ୍କ ଯୌନ ନିର୍ଯାତନାର ଭିଡିଓ ଭାଇରାଲ ହୋଇଛି।

ପରେ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ କହିଥିଲେ ଯେ ଭିଡିଓରେ ତାଙ୍କ ମା’ଙ୍କ ଗୋଡ଼ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ମୋ ମା’ଙ୍କୁ କେଉଁଠିକି ନିଆଯାଇଛି ମୁଁ ଜାଣେ ନାହିଁ। ମୁଁ ତାଙ୍କ ଜୀବନକୁ ନେଇ ଭୟ କରୁଛି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋ ମା’ଙ୍କୁ ଖୋଜିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ବୋଲି ରାଜୁ ଅଭିଯୋଗରେ ଲେଖିଛନ୍ତି। ଏହା ପୂର୍ବରୁ ପ୍ରଜ୍ୱଳ ରେବନ୍ନା ଓ ଏଚ୍‌ଡି ରେବନ୍ନାଙ୍କ ବିରୋଧରେ ସେମାନଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର