ଆମେଥି ଛାଡ଼ିଦେବାରୁ ରାହୁଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା: ‘ଡରୋ ମତ୍‌… ଭାଗୋ ମତ୍‌’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ୨୦୧୯ ନିର୍ବାଚନରେ ଆମେଥିରୁ ପରାଜିତ ହୋଇଥିବାରୁ ଏଥର ଆମେଥି ଛାଡ଼ି ତାଙ୍କ ମା’ସୋନିଆ ଗାନ୍ଧିଙ୍କ ଦ୍ୱାରା ଖାଲି ହୋଇଥିବା ରାଏବରେଲି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଇଣ୍ଡି ମେଣ୍ଟର ନେତୃତ୍ବ ନେଉଥିବା ରାହୁଲଙ୍କ ଏଭଳି ପଦକ୍ଷେପକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ପରାଜୟ ଭୟରେ ଆମେଥିରୁ ପଳାଇଛନ୍ତି। ‘ଆଜି ମୁଁ ତାଙ୍କୁ ମଧ୍ୟ କହିବାକୁ ଚାହୁଛି, ଡରୋ ମତ୍‌ (ଭୟ କର ନାହିଁ), ଭାଗୋ ମତ୍ (ପଳାୟନ କରନାହିଁ)।

ସୂଚନାଯୋଗ୍ୟ, ବିଜେପି ସରକାର ସମାଲୋଚକ ଓ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଆତଙ୍କିତ କରିବା ପାଇଁ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ବ୍ୟବହାର କରୁଥିବା ଅଭିଯୋଗ କରି ରାହୁଲ ଗାନ୍ଧି ବାରମ୍ବାର ‘ଡରୋ ମତ’ ବୋଲି କହୁଥିବାରୁ ଆଜି ସେହି ସମାନ ଶବ୍ବରେ ହିଁ ପ୍ରଧାନମନ୍ତ୍ରୀ ରାହୁଲଙ୍କୁ ଜବାବ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ସୋନିଆ ଗାନ୍ଧୀଙ୍କୁ ବି ଛାଡ଼ି ନଥିଲେ ଏବଂ କହିଥିଲେ ଯେ ସେ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଯେ ଉଭୟ ମା’ ଏବଂ ପୁଅ ଭୟରେ ନିଜ ଆସନରୁ ନିର୍ବାଚନ ଲଢ଼ିବେ ନାହିଁ। ‘ମୁଁ କହିଥିଲି, ସେମାନଙ୍କର ସବୁଠାରୁ ବଡ଼ ନେତା ନିର୍ବାଚନ ଲଢ଼ିବାକୁ ସାହସ କରିବେ ନାହିଁ। ସେମାନେ ଭୟରେ ପଳାଇଯିବେ। ସେ (ସୋନିଆ)ରାଜସ୍ଥାନକୁ ଦୌଡ଼ିଥିଲେ ଏବଂ ସେଠାରୁ ରାଜ୍ୟସଭାରେ ପ୍ରବେଶ କରିଥିଲେ। ଏବେ ଆମେଥି କ୍ଷେତ୍ରରେ ମଧ୍ୟ ସେମିତି ହିଁ ଘଟିଲା’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୁଁ କହିଥିଲି ଯେ ସେ (ରାହୁଲ) ୱାୟନାଡ଼ରେ ହାରିଯିବା ଭୟରେ ଅଛନ୍ତି ଏବଂ ସେଠାରେ ଭୋଟ୍ ସରିବା କ୍ଷଣି ସେ ନିରାପଦ ଆସନ ଖୋଜିବା ଆରମ୍ଭ କରିବେ। ତାଙ୍କର ସମସ୍ତ ସମର୍ଥକଙ୍କ ଆଶ୍ବାସନା ସତ୍ତ୍ୱେ ସେ ଏତେ ଭୟଭୀତ ହୋଇଥିଲେ ଯେ ସେଠାରୁ ଦୌଡ଼ି ଆସି ଏବେ ରାୟବରେଲିରେ ପହଞ୍ଚିଛନ୍ତି। ଏହି ଲୋକମାନେ ଲୋକଙ୍କୁ ‘ଡରୋ ମତ୍‌’ କହି ବୁଲୁଛନ୍ତି। ଆଜି ମୁଁ ମଧ୍ୟ ସେମାନଙ୍କୁ କହିବି ଯେ ‘ଆରେ ଡରୋ ମତ୍‌… ଭାଗୋ ମତ୍‌ ।’ ଗତ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀଙ୍କ ଚକିତକାରୀ ବିଜୟ ପରେ ରାହୁଲ ଆଉ ଆମେଥି ପ୍ରତି ଗୁରୁତ୍ବ ଦେଇନଥିଲେ। ଏବେ ଆମେଥିରୁ ଲଢ଼ିବା ଏତେ ସହଜ ନଥିବାରୁ ସେ ତାଙ୍କ ମା’ଙ୍କ ଆସନ ରାୟବରେଲିରୁ ପ୍ରାର୍ଥୀ ହୋଇଛନ୍ତି ଏବଂ ଏହା କଂଗ୍ରେସର ଏକ ପଳାୟନପନ୍ଥୀ ପଦକ୍ଷେପ ବୋଲି ଅନେକ ସମାଲୋଚନା କରିଛନ୍ତି। ଏବେ ରାୟବରେଲିରେ ରାହୁଲଙ୍କ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ବିଜେପିର ଦୀନେଶ ପ୍ରତାପ ସିଂହ, ଯିଏ କି ୨୦୧୯ ନିର୍ବାଚନରେ ସୋନିଆ ଗାନ୍ଧୀଙ୍କଠାରୁ ୧.୬୭ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ ଗାନ୍ଧି ପରିବାର ଭୟଭୀତ ହୋଇ ଆମେଥିରୁ ଓହରିଯିବା ଅଭିଯୋଗକୁ କଂଗ୍ରେସ ନେତାମାନେ ଖଣ୍ଡନ କରିଛନ୍ତି। ରାହୁଲ ଗାନ୍ଧୀ ସମଗ୍ର ଦେଶ ପାଇଁ ଲଢ଼ୁଛନ୍ତି ବୋଲି ସେମାନେ କହିଛନ୍ତି। ଆସନ୍ତା ୨୦ ତାରିଖରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଉଭୟ ଆସନରେ ମତଦାନ ହେବ।

ସମ୍ବନ୍ଧିତ ଖବର