ଗାଡ଼ି କିସ୍ତି ଆଦାୟକୁ ନେଇ ଗାଡ଼ି ମାଲିକଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର

ଜୟପୁର: ଗାଡ଼ି କିସ୍ତିକୁ ନେଇ କୋରାପୁଟ ଜିଲ୍ଲା ଜୟପୁରରେ ହୋଇଛି ହତ୍ୟା। ମାତ୍ର ୨ଟି କିସ୍ତି ବକେୟା ରଖିଥିବା ଗାଡ଼ି ମାଲିକ ବିପିନ ବାହାଦୁରଙ୍କ ସହ କିସ୍ତି ଆଦାୟ କରୁଥିବା କଂପାନୀ ପ୍ରାଧିକୃତ ଆଦାୟକାରୀ ପ୍ରତ୍ୟୁଷ ଦାସଙ୍କ ମଧ୍ୟରେ ହୋଇଥିଲା ଉଚ୍ଚବାଚ୍ଚ। ପରବର୍ତ୍ତୀ ସମୟରେ ଏହାକୁ ନେଇ ଆଦାୟକାରୀ ପ୍ରତ୍ୟୁଷ ଗାଡ଼ି ମାଲିକ ବିପିନଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ। ସଂକଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଥିବା ଗାଡ଼ି ମାଲିକଙ୍କର ମୃତ୍ୟୁ ବିଶାଖାପାଟଣାର ଏକ ଘରୋଇ ନର୍ସିଂ ହୋମରେ ଆଜି ହୋଇଛି। ପୁଲିସ ହତ୍ୟା ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ପ୍ରତ୍ୟୁଷ ଫେରାର ଥିବା କହିଛନ୍ତି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର। ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ଟାଉନଥାନା ଅର୍ନ୍ତଗତ ଭେଟନାରୀ କଲୋନୀର ବିପିନ ବାହାଦୁର ସ୍ଥାନୀୟ ଲଙ୍କେଶ୍ବରୀ ମୋଟରର୍ସରୁ ଆଲଟ୍ରଜ କାର ଟାଟା ଫାଇନାନ୍ସରେ ଋଣରେ ମାସିକିଆ କିସ୍ତି ପୈଠ କରିବା ପ୍ରକ୍ରିୟାରେ ନେଇଥିଲେ। ସେ ଋଣ ପରିଶୋଧ କରି ଆସୁଥିବା ବେଳେ ଗତ ୨ଟି କିସ୍ତି ସେ ଜମା କରି ନଥିଲେ। ଟାଟା ଫାଇନାନ୍ସ ଫରଚ୍ୟୁନ୍ ନାମକ କଂପାନୀକୁ କିସ୍ତି ଆଦାୟ କରିବାକୁ ପ୍ରାଧିକୃତ କରିଛି।

ଏହି ଫରଚ୍ୟୁନ୍ ସଂସ୍ଥାର ଆଦାୟକାରୀ ପ୍ରତ୍ୟୁଷ ଦାସଙ୍କ ସହ ଗତକାଲି ସକାଳୁ ମୃତ ବିନୋଦଙ୍କ ଉଚ୍ଚବାଚ୍ଚ ହୋଇଥିଲା। ସଂଧ୍ୟାରେ ବିନୋଦ କାମ କରୁଥିବା ସ୍ପିଡ୍ ମାର୍ଟକୁ ଯାଉଥିବା ବେଳେ ପାୱାରହାଉସ କଲୋନୀ ନିକଟରେ ପ୍ରତ୍ୟୁଷ ସହ ବିନୋଦ ମୁହାଁମୁହିଁ ହୋଇଥିଲେ। ପୁଣି ଉଭୟଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହେବା ପରେ ଅଭିଯୁକ୍ତ ପ୍ରତ୍ୟୁଷ ଧାରୁଆ ଅସ୍ତ୍ରରେ ବିନୋଦଙ୍କୁ ଆକ୍ରମଣ କରି ଦେହର ବିଭିନ୍ନ ସ୍ଥାନରେ ମାଡ଼ ମାରିଥିଲେ। ରକ୍ତାକ୍ତ ଅବସ୍ଥାରେ ବିନୋଦ ତାଙ୍କ ଭାଇକୁ ଫୋନ କରିବା ପରେ ଭାଇ ଆସି ବିନୋଦକୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇଥିଲେ। ବିନୋଦର ଅବସ୍ଥା ସଂକଟାପନ୍ନ ରହିଥିବା ଏବଂ ବିଭିନ୍ନ ସ୍ଥାନରେ ଧାରୁଆ ଅସ୍ତ୍ରର ଚୋଟରେ କଟି ଯାଇଥିବାରୁ ଅଧିକ ଚିକିତ୍ସା ପାଇଁ ବାହାରକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାରବର୍ଗ ତୁରନ୍ତ ବିନୋଦକୁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଇଥିଲେ। ଆଜି ସକାଳୁ ବିନୋଦଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର। ତାଙ୍କ ଭାଇ ଅଭିଯୁକ୍ତ ପ୍ରତ୍ୟୁଷ ସହ ଆଉକିଛି ଜଣ ମିଶି ତାଙ୍କ ଭାଇ ବିନୋଦକୁ ମାରଣାତ୍ସରେ ଆକ୍ରମଣ କରିଥିବା ଏତଲାରେ ଦର୍ଶାଇଛନ୍ତି। ତେବେ ପୁଲିସ ମୃତ ବିନୋଦ ଚିକିତ୍ସାଧୀନ ଥିବା ସମୟରେ ନେଇଥିବା ବୟାନ ଅନୁଯାୟୀ, ଜଣେ ପ୍ରତ୍ୟୁଷ ହିଁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି କହିଛନ୍ତି ଟାଉନଥାନା ଅଧିକାରୀ।

ସମ୍ବନ୍ଧିତ ଖବର