ବିକାଶକୁ ଉପହାସ କରୁଛି ‘ବକୁଳବନ’: ଜଙ୍ଗଲ ପାଲଟିଲାଣି ବିସ୍ତୃତ ରଙ୍ଗମଞ୍ଚ

ପୁରୀ: ରାଜ୍ୟ ସରକାର ପୁରୀକୁ ବିଶ୍ବସ୍ତରୀୟ ତଥା ବିଶ୍ବର ଅନନ୍ୟ ସହର କରି ଗଢ଼ି ତୋଳିବାର ସ୍ବପ୍ନ ଦେଖୁଛନ୍ତି। ଏଥିପାଇଁ ପୁରୀର ଶ୍ରୀବୃଦ୍ଧିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ମଠ, ମନ୍ଦିର, ଐତିହାସିକସ୍ଥଳର ବିକାଶକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। କିନ୍ତୁ ଐତିହ୍ୟସଂପନ୍ନ ‘ବକୁଳବନ’ର ସ୍ଥିତି ଏସବୁକୁ ଉପହାସ କରୁଛି। ରଣକ୍ଷାବେକ୍ଷଣ ତଥା ପ୍ରଶାସନିକ ଦୂରଦୃଷ୍ଟି ଅଭାବରୁ ଅତୀତର ଏହି ମଣିଷ ତିଆରି କାରଖାନା ଆଜି ସ୍ମୃତିଗର୍ଭରେ ହଜିଯିବାକୁ ବସିଛି। ବିସ୍ତୃତ ରଙ୍ଗମଞ୍ଚ ଜଙ୍ଗଲ ପାଲଟିଛି। ଦିନଦ୍ବିପ୍ରହରରେ ବି ଏଠାରେ ନିଶାଗ୍ରସ୍ତ, ଅସାମାଜିକ ବ୍ୟକ୍ତିଙ୍କ ଭିଡ଼ ଜମୁଛି। ବ୍ରାଉନ୍‌ସୁଗାର୍‌ଠାରୁ ଆରମ୍ଭ କରି ଗଞ୍ଜେଇ, ମଦର ଆସର ଦୈନିକ ଲାଗୁଛି। ପରିସ୍ଥିତି ଏପରି ଯେ ଓଡ଼ିଶା ଜାତିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ‘ବକୁଳବନ’କୁ ଯିବାକୁ ଲୋକେ ଡରିଲେଣି।

ଓଡ଼ିଶାର ପଞ୍ଚସଖା ଉତ୍କଳମଣି ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଉଦ୍ୟମରେ ୧୯୦୯ ମସିହାରେ ପୁରୀ ଜିଲ୍ଲା ସତ୍ୟବାଦୀରେ ସ୍ଥାପିତ ହୋଇଥିଲା ‘ବକୁଳବନ’। ଏହା କେବଳ ଓଡ଼ିଆ ଭାଷା ଶିକ୍ଷାଦାନର ଅନ୍ତୁଡ଼ିଶାଳ ନଥିଲା, ବରଂ ଚରିତ୍ର ଗଠନ ସହ ଉତ୍ତମ ନାଗରିକ ହେବାର ବାଟ ଦେଖାଉଥିଲା। ରାଜ୍ୟ ସରକାର ବି ଏହାକୁ ପର୍ଯ୍ୟଟନ ମାନ୍ୟତା ଦେଇ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୦୫ ମସିହାରେ ୧ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟରେ ଏହାର ଉନ୍ନତୀକରଣ କରାଯାଇଥିଲା। ଚତୁଃପାର୍ଶ୍ବ ଆଲୋକୀକରଣ ସହ କିଛି କୋଠରି ନିର୍ମିତ ହୋଇଥିଲା। ମୁକ୍ତାକାଶ ରଙ୍ଗମଞ୍ଚର ବିକାଶ ସହ ରାସ୍ତାରେ ପେଭର ବ୍ଲକ୍‌ ବିଛା, ପର୍ଯ୍ୟଟକଙ୍କ ବସିବା ସେଡ୍‌ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ କରାଯାଇଥିଲା। ବକୁଳ ବନ ଭିତରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ଓ ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। କିନ୍ତୁ ବିକାଶ କାର୍ଯ୍ୟର ରକ୍ଷଣାବେକ୍ଷଣ ତ ଦୂରର କଥା ଏହି ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତିର ବି ଯତ୍ନ ନେଇପାରୁନାହିଁ ଜିଲ୍ଲା ପ୍ରଶାସନ।

କେବଳ ସେତିକି ନୁହେଁ ୨୦୧୮ ମସିହାରେ ବି ବକୁଳବନର ପୁନରୁଦ୍ଧାର ପାଇଁ ପ୍ରାୟ ୭ କୋଟି ଟଙ୍କା ବ୍ୟୟବରାଦ ହେଲା। ୨୦୧୯ ମସିହାରେ ୧ ହଜାର ବଉଳ ଗଛ ଲଗାଇବାକୁ ନିଷ୍ପତ୍ତି ନିଆଗଲା। ତାହା ବି ହୋଇପାରିଲା ନାହିଁ। ଗତବର୍ଷ ଜୁଲାଇ ୨୮ ତାରିଖରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ବକୁଳ ବନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ବକୁଳବନକୁ ସଜଡ଼ାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ତାହା ବି ପାଣିର ଗାର ପାଲଟିଛି।

ସମ୍ବନ୍ଧିତ ଖବର