ଯାତ୍ରା ପଡ଼ିଆରେ ପହଞ୍ଚିଲେ ସବୁ ମେଢ଼, ଆଜି ଭସାଣି

ଚୌଦ୍ବାର: ଚୌଦ୍ବାର ପ୍ରସିଦ୍ଧ ଐତିହାସିକ ରୂପଯାତ୍ରା ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମଣ୍ତପର କର୍ମକର୍ତ୍ତାମାନେ ମୃଣ୍ମୟୀ ମୂର୍ତ୍ତିଙ୍କୁ ଶୋଭାଯାତ୍ରାରେ ଆଣି ରାତ୍ର ୧୦ଟାରେ ଯାତ୍ରା ପଡ଼ିଆରେ ପହଞ୍ଚିଛନ୍ତି। ବ୍ରାହ୍ମଣସାହି, ଗାନ୍ଧୀଛକ, ଗଜଲକ୍ଷ୍ମୀ ସାହି, ବନିକା ଓ କଳିଙ୍ଗ ଛକ ଆଦି ସାହିରେ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥିବା ବେଳେ ଚୌଦ୍ବାର ସହରର ୩୭ଟି ପୂଜା ମଣ୍ତପରେ ମା’ଦୁର୍ଗା, ହର-ପାର୍ବତୀ, ରାଧାକୃଷ୍ଣ, ହନୁମାନ ଓ ଲକ୍ଷ୍ମୀନାରାୟଣ ମୂର୍ତ୍ତି ପୂଜା ପାଉଛନ୍ତି। ପ୍ରସିଦ୍ଧ ରୂପଯାତ୍ରା ପାଇଁ ସମଗ୍ର ଚୌଦ୍ବାର ଅଞ୍ଚଳକୁ ରଙ୍ଗୀନ୍‌ ଲାଇଟ୍‌ରେ ସଜାଯାଇଛି। ଓଟିଏମ୍‌ ବଜାର, ବିରାଟବଜାର, କପାଳେଶ୍ବର, ବଡ଼ବଜାର, କଳିଙ୍ଗ ଛକ ଆଦି ମଣ୍ତପରେ ୨ଦିନ ସାଂସ୍କୃତିକ ସନ୍ଧ୍ୟା ଆୟୋଜନ କରାଯାଇଥିବା ବେଳେ ପରମ୍ପରା ଅନୁଯାୟୀ ୪୩ଟି ମଣ୍ତପର ମେଢ଼ଗୁଡ଼ିକୁ ରୂପଯାତ୍ରାକୁ ଆଣି ମେଲାଣି ପର୍ବରେ ସାମିଲ କରାଯାଇଛି। ଏହି ପର୍ବରେ ବିଶେଷ ଭାବେ ଓଟିଏମ୍ ଦୁର୍ଗାବଜାର ପୂଜା କମିଟି ପକ୍ଷରୁ ପ୍ରଥମଥର ପାଇଁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ୧୧ ଓ ୧୨ନଂ ୱାର୍ଡରେ ପ୍ରବେଶ କରାଯାଇଥିଲା। ଦୁଇଦିନ ଧରି ଆୟୋଜିତ ହେଉଥିବା ଏହି ଯାତ୍ରାରେ ରାଜ୍ୟର କୋଣ ଅନୁକୋଣର ଅନେକ ବ୍ୟବସାୟୀ ପସରା ମେଲାଇଛନ୍ତି। ଯାତ୍ରାପଡ଼ିଆରେ ଦୋକାନ କରିବା ପାଇଁ ଟାଙ୍ଗୀ-ଚୌଦ୍ବାର ତହସିଲ୍‌ ପକ୍ଷରୁ ଜାଗା ଚିହ୍ନଟ କରାଯାଇଥିବା ବେଳେ ଚୌଦ୍ବାର ପୌରପାଳିକା, ବିଦ୍ୟୁତ୍ ବିଭାଗ, ଜନସ୍ବାସ୍ଥ୍ୟ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭସାଣି ଉତ୍ସବରେ ପାଗ ଅନୁକୁଳ ରହିବାରୁ ବେଶ୍ ସରଗରମ୍ କରିଛି।

ଯାତ୍ରାରେ ଅନେକ ବ୍ୟବସାୟୀ ଆସିଥିଲେ ମଧ୍ୟ ହରେକ୍ ମାଲ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବ୍ରହ୍ମପୁରର ପ୍ରସିଦ୍ଧ ଆଚାର, ଘରକରଣା ସାମଗ୍ରୀ ମଧ୍ୟରେ ଶିଳ, ଚକି, କୁଲା, ବିଭିନ୍ନପ୍ରକାର ଡାଲା, ଝାଡୁ, ଖେଳଣା ଓ ମନମୁତାବକ ଖାଦ୍ୟ ଷ୍ଟଲ୍‌ ସହ ବିଭିନ୍ନ ଦୋଳି ପଡ଼ିଥିବା ବେଳେ ଚୌଦ୍ବାର ଶାଖା ତରଫରୁ ପ୍ରଜାପତି ବ୍ରହ୍ମା କୁମାରୀ ପକ୍ଷରୁ କରାଯାଇଥିବା ଚୈତନ୍ୟ ଦେବୀ ମଣ୍ତପ ଜନସାଧାରଣଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିଛି। ପୁଲିସ୍‌ ପ୍ରଶାସନ ତରଫରୁ ୪ଟି ଅସ୍ଥାୟୀ କ୍ୟାମ୍ପ୍ ନିର୍ମାଣ କରାଯାଇଥିବା ବେଳେ ୧୬ ପ୍ଲାଟୁନ୍ ଫୋର୍ସ ସହିତ ସମସ୍ତ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ଗୋଟିଏ ଦମକଳ ଗାଡ଼ି, ଗୋଟିଏ ଅଗ୍ନି ନିର୍ବାପକ ଯନ୍ତ୍ର ଓ ୫ଜଣ ଅଗ୍ନିସେବା କର୍ମଚାରୀ ନିୟୋଜିତ ହୋଇଛନ୍ତି। କିନ୍ତୁ ଯାତ୍ରା ପଡ଼ିଆରେ କୌଣସି ସ୍ଥାନରେ ନିଆଁ ଲାଗିଲା ଭଳି ସମସ୍ୟା ଉପୁଜିଲେ ଅଗ୍ନିଶମ ଗାଡ଼ି ଉକ୍ତ ସ୍ଥାନକୁ ଯାଇପାରିବ ନାହିଁ ବୋଲି ଅଗ୍ନିଶମ ବିଭାଗ ଦାୟିତ୍ବରେ ଥିବା ରମେଶ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। ଚଳିତବର୍ଷ ଯାତ୍ରାରେ ପୌରପାଳିକା ତରଫରୁ ଏକ ପ୍ରଦର୍ଶନୀ ଷ୍ଟଲ୍‌ କରାଯାଇଅଛି। ଯେଉଁଥିରେ ପୌରପାଳିକାର ବିଗତ ଦିନରେ ହୋଇଥିବା ବିକାଶମୂଳକ କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ପ୍ରୋଜେକ୍ଟର୍‌ ମାଧ୍ୟମରେ ପ୍ରଦର୍ଶିତ କରାଯିବ। ଏହି ଷ୍ଟଲ୍‌କୁ ଚୌଦ୍ବାର-କଟକର ବିଧାୟକ ସୌଭିକ୍ ବିଶ୍ବାଳ ଉଦ୍‌ଘାଟନ କରିଥିବା ବେଳେ ପୌରାଧ୍ୟକ୍ଷା ମାନସୀ ସ୍ବର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସମସ୍ତ କାଉନ୍‌ସିଲରଙ୍କ ସହ ପୌର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର