ମହିଳା ବ୍ଲାକମେଲର୍‌ ଅର୍ଚ୍ଚନା ନାଗ ଗିରଫ ମାମଲା: ଏସ୍‌ଏଫ୍‌ଏସ୍‌ଏଲ୍‌ର ବିଶ୍ବସନୀୟତାକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ବର: ରାଣୀ ମହୁମାଛି ଅର୍ଚ୍ଚନା ନାଗଙ୍କ ଦେହ ବ୍ୟବସାୟର ସିଣ୍ଡିକେଟ୍ କେବଳ ବ୍ଲାକ୍‌ମେଲ୍‌ କରି ଟଙ୍କା ଆଦାୟ କରୁ ନଥିଲା। ଟେଣ୍ଡର୍ ଫିକ୍ସିଂଠାରୁ ଆରମ୍ଭ କରି ରାଜନୈତିକ ନିଷ୍ପତ୍ତିକୁ ପ୍ରଭାବିତ କରିବା ପର୍ଯ୍ୟନ୍ତ ସବୁ ପ୍ରକାରର ଦୁଃସାଧ୍ୟ କାମ ମଧ୍ୟ ସଂପନ୍ନ କରୁଥିଲା। ବଡ଼ କଥା ହେଉଛି, ରାଜ୍ୟର ଜଣେ ବରିଷ୍ଠ ନେତାଙ୍କ ସହାୟତାରେ ଅର୍ଚ୍ଚନା ଜାତୀୟ ସ୍ତରର ନେତାଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲେ। ଏପରିକି ଉକ୍ତ କେନ୍ଦ୍ରୀୟ ନେତାଙ୍କ ଜରିଆରେ ଅର୍ଚ୍ଚନା ଦିଲ୍ଲୀରୁ ଏକ ଫର୍ଣ୍ଣିଚର କମ୍ପାନି ଦ୍ବାରା ବିଭିନ୍ନ ଦାମୀ ସାମଗ୍ରୀ କିଣିଥିବା ଜଣାପଡ଼ିଛି। ଏହାରି ଭିତରେ ଡିସିପି ପ୍ରତୀକ ସିଂହ ଦେଇଥିବା ସୂଚନା ଅନୁସାରେ, ଅର୍ଚ୍ଚନାଙ୍କ ବାସଭବନରୁ ୪ଟି ମୋବାଇଲ୍, ୨ଟି ଟାବଲେଟ୍, ପେନ୍‌ଡ୍ରାଇଭ୍, ଲାପଟପ୍ ଓ ବ୍ୟାଙ୍କ୍ ପାସବୁକ୍ ଆଦି ଜବତ କରାଯାଇଛି। ସମସ୍ତ ଇଲୋକ୍ଟ୍ରୋନିକ୍ ସାମଗ୍ରୀକୁ ଯାଞ୍ଚ କରାଯାଇ ସେଥିରେ ଥିବା ଅଶ୍ଳୀଳ ଓ ଅନ୍ତରଙ୍ଗ ଦୃଶ୍ୟ ସମେତ ଗୁପ୍ତ ରହସ୍ୟ ବାହାର କରିବା ପାଇଁ ଉଦ୍ୟମ କରାଯାଉଛି। ମାତ୍ର ଏହା ବର୍ତ୍ତମାନ ଏସ୍‌ଏଫ୍ଏସ୍‌ଏଲ୍ ଅଧୀନରେ ଥିବାରୁ ବୁଦ୍ଧିଜୀବୀ ମହଲରେ ପୁଣି ପ୍ରଶ୍ନ ଉଙ୍କି ମାରିଛି।

ମାନସ ଓ ମମିତା ହତ୍ୟା ମାମଲାରେ ଯୌନ କେଳେଙ୍କାରୀ ରହସ୍ୟ ଖୋଲିନଥିଲା

ବଡ଼ବଡ଼ିଆ ଲିଙ୍କ୍ ରହସ୍ୟରେ ରହିଯିବନି ତ?

ଖବର ମୁତାବକ, ନିକଟରେ ବହୁଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ପଛରେ ଅଶ୍ଳୀଳ ଓ ଅନ୍ତରଙ୍ଗ ଦୃଶ୍ୟ କଏଦ୍‌ ହୋଇଥିବା ମେମୋରି ଚିପ୍ ହିଁ ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି। ଉକ୍ତ ମେମୋରି ଚିପ୍‌ର ରହସ୍ୟ ଖୋଲିବାକୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନେଇଥିଲା। ହେଲେ ତଦନ୍ତ ସେମିତି ଅଧପନ୍ତରିଆ ହୋଇ ରହିଥିଲା। କେବଳ ମାନସ ହତ୍ୟାକାଣ୍ଡ ନୁହେଁ ବରଂ ମମିତା ମେହେର ହତ୍ୟାକାଣ୍ଡରେ ମଧ୍ୟ ଯୌନ କେଳେଙ୍କାରୀର ମୂକସାକ୍ଷୀ ଥିଲା ମୋବାଇଲ୍ ଓ ପେନ୍‌ଡ୍ରାଇଭ୍। ଉକ୍ତ ଘଟଣାରେ ବି ପୁଲିସ ସେଭଳି କୌଣସି ରହସ୍ୟ ପର୍ଦ୍ଦାଫାସ୍ କରିପାରିନଥିଲା। ପୁଲିସର ଏହି ବିଫଳତା ପାଇଁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ବି ବିଭିନ୍ନ ମହଲାରେ ଦାୟୀ କରାଯାଇଥିଲା। ଏହାର ଠିକ୍ ୬ମାସ ବ୍ୟବଧାନରେ ଅର୍ଚ୍ଚନା ମାମଲାରେ ବି ଯୌନ କେଳେଙ୍କାରୀ ସମେତ ଦେହ ବ୍ୟବସାୟ ଓ ସେଗୁଡ଼ିକୁ କଏଦ୍‌ କରି ବ୍ଲାକ୍‌ମେଲ୍ କରିବାର ସମସ୍ତ ଗୁମର ପେଡ଼ି ଏସ୍‌ଏଫ୍‌ଏସ୍‌ଏଲ୍ ହାତକୁ ଯାଇଛି। ତାହା ମଧ୍ୟ ପୂର୍ବ ୨ଟି ହାଇପ୍ରୋଫାଇଲ୍ ମାମଲା ଭଳି ଚପିଯିବ ବୋଲି ଆଶଙ୍କା କରାଯାଉଛି।

ଅପରପଟେ ଏସ୍‌ଏଫ୍‌ଏସ୍‌ଏଲ୍‌ର ବିଶ୍ବସନୀୟତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ କଥା ବୋଲି ଜଣେ ବରିଷ୍ଠ ବୁଦ୍ଧିଜୀବୀ କହିଛନ୍ତି। ମମିତା ଓ ମାନସ ହତ୍ୟାକାଣ୍ଡ ଭଳି ଚର୍ଚ୍ଚିତ ଘଟଣା ବ୍ୟତୀତ ଏସ୍‌ଏଫ୍ଏସ୍‌ଏଲ୍‌ର ବାୟୋଲୋଜି ଡିଭିଜନ୍‌ରୁ ହତ୍ୟାକାଣ୍ଡ ଭଳି ସଙ୍ଗୀନ ମାମଲାର ଫାଇଲ୍ ହଜିଯାଇଥିବା ଗୁରୁତର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ତଥ୍ୟ ଅନୁସାରେ, ବାଲେଶ୍ବର ନୀଳଗିରିସ୍ଥିତ କଦମସାହିରେ ନନ୍ଦ କିଶୋର ମଲ୍ଲିକ ଓ ତାଙ୍କ ପତ୍ନୀ ଶାନ୍ତିଲତା ରୁହନ୍ତି। ୨୦୧୭ ନଭେମ୍ବର ୧୩ତାରିଖରେ ନନ୍ଦକିଶୋର ବ୍ୟାଙ୍କ୍‌ରୁ କାମ ସାରି ସନ୍ଧ୍ୟାରେ ଘରକୁ ଫେରିଥିଲେ। ସେଠାରେ ଦେଖିଥିଲେ ଯେ ତାଙ୍କ ପତ୍ନୀ ରକ୍ତାକ୍ତ ଅବସ୍ଥାରେ ଚଟାଣରେ ପଡ଼ିଛନ୍ତି। ତାଙ୍କ ମୁଣ୍ଡ ନିକଟରେ ଏକ ଲୁହାରଡ୍ ପଡ଼ିଛି ଏବଂ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ପରେ ସେ ୧୦୮ ଆମ୍ବୁଲାନ୍ସରେ ପତ୍ନୀଙ୍କୁ ନୀଳଗିରି ହସ୍ପିଟାଲକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହାକୁ ନେଇ ନନ୍ଦକିଶୋର ହତ୍ୟା ଅଭିଯୋଗ ଆଣିଥିଲେ ଏବଂ ଫୋରେନ୍ସିକ୍ ଟିମ୍ ଘଟଣା ସ୍ଥଳକୁ ଯାଇ ନମୁନା ସଂଗ୍ରହ କରିବାଠୁ ଆରମ୍ଭ କରି ମେଡିକାଲ୍ ରିପୋର୍ଟ ଗ୍ରହଣ କରିଥିଲା। ଏସ୍‌ଏଫ୍ଏସ୍‌ଏଲ୍‌ର ସାଇଣ୍ଟିଫିକ୍ ଅଫିସର ଇପ୍‌ସିତା ଦାସ ଏହି ରିପୋର୍ଟକୁ ଯାଞ୍ଚ୍ କରି ସମସ୍ତ ତଥ୍ୟ ପ୍ରମାଣ ଉଲ୍ଲେଖ କରି ଦେଇଥିଲେ। ମାତ୍ର ୨୦୨୧ ଅଗଷ୍ଟ ୮ତାରିଖରେ ଏହି ଫାଇଲ୍ ହଠାତ୍ ହଜିଯାଇଥିଲା। ଆଉ ଏ କଥାକୁ ଏସ୍‌ଏଫ୍‌ଏସ୍‌ଏଲ୍ ଖୋଜିବା ବାହାନାରେ ବର୍ଷେ କାଳ ଚପାଇ ରଖିଥିଲା ଏବଂ ୨୦୨୨ ଜୁଲାଇରେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲା।

ହତ୍ୟାକାଣ୍ଡ ଭଳି ମାମଲାର ଫାଇଲ୍ ଯଦି ଗାଏବ ହୋଇଯାଉଛି, ତେବେ ନେତା, ବ୍ୟବସାୟୀଙ୍କ ଠାରୁ ସବୁ ବଡ଼ବଡ଼ିଆଙ୍କ ଯୌନ କେଳେଙ୍କାରୀରର ଭିଡିଓ ଥିବା ପେନ୍‌ଡ୍ରାଇଭ୍, ମୋବାଇଲ୍ ଓ ଲାପଟପ୍ କେତେ ସୁରକ୍ଷିତ ତା’ ତଦନ୍ତ ସାପେକ୍ଷ। ଏହା ବ୍ୟତୀତ ଅର୍ଚ୍ଚନା ମାମଲାରେ କମିସନରେଟ୍ ପୁଲିସ ପ୍ରାରମ୍ଭରୁ ଗଣମାଧ୍ୟମକୁ ଏଡ଼ାଇ ନିଜର ଭୂମିକାକୁ ସନ୍ଦେହ ପରିଧିକୁ ଆଣିଛି। ଲୁଚାଛପାରେ ତଦନ୍ତ କରିବାଠୁ ଆରମ୍ଭ କରି ମାମଲାର ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ ନ କରିବା ନିଜର ତଦନ୍ତକୁ ଦ୍ବନ୍ଦ୍ବରେ ପକାଇଛି। ତେଣୁ ଅର୍ଚ୍ଚନାଙ୍କ ଲିଙ୍କ୍‌ରେ ବଡ଼ବଡ଼ିଆ ଥିବାରୁ ଚାପରେ ଜବତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀରୁ ତଥ୍ୟ ଡିଲିଟ୍ ହେବା କିଛି ଅସମ୍ଭବ ନୁହେଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର