ବାଟବଣା ଭୀମଭୋଇ ସାମର୍ଥ୍ୟ ଯୋଜନା: ପାଣ୍ଠି ପଡିଛି, ଦିବ୍ୟାଙ୍ଗଙ୍କୁ ମିଳୁନି ସହାୟତା ଉପକରଣ

ଶ୍ରବଣଯନ୍ତ୍ର ଅପେକ୍ଷାରେ ୩,୦୦୦ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ

ରାଉରକେଲା: ଜିଲ୍ଲାରେ ଦିବ୍ୟାଙ୍ଗମାନଙ୍କୁ ଭଣ୍ଡାଯାଉଛି। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ଦିବ୍ୟାଙ୍ଗଙ୍କୁ ମିଳୁନି ସହାୟତା ଉପକରଣ। ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ, ପୌରାଞ୍ଚଳରେ ନିୟମିତ ବ୍ୟବଧାନରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରମାନ ଆୟୋଜନ ହେଉଛି। ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଆଖି, କାନ ଆଦି ପରୀକ୍ଷା କରାଯାଉଛି। ସହାୟତା ଉପକରଣ ମିଳିବାକୁ ଦିବ୍ୟାଙ୍କମାନଙ୍କ ତାଲିକା ପ୍ରସ୍ତୁତ ହେଉଛି। ପରବର୍ତ୍ତୀ ସମୟରେ ତାଲିକାରେ ଯେତିକି ଦିବ୍ୟାଙ୍ଗଙ୍କ ନାମ ରହୁଛି, ତା’ର ୩୦%ଙ୍କୁ ମିଳୁଛି। ଅବଶିଷ୍ଟଙ୍କୁ ଆଜି କାଲି କାଲି ମାସ ମାସ ଗଡାଯାଉଛି। ଅନ୍ୟ କିଛିଙ୍କୁ ବର୍ଷ ବର୍ଷ ପରେ ମଧ୍ୟ ମିଳୁନି।

କେବଳ ଏତିକି ନୁହେଁ ଆଜି ପ୍ରାୟ ୫ ବର୍ଷ ଧରି ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକଙ୍କୁ ଶ୍ରବଣ ଯନ୍ତ୍ର ମିଳୁନି। ଓଲଟା ବିଭାଗୀୟ ଅଧିକାରୀ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌ ) ଓ ସୁନ୍ଦରଗଡ଼ ସିଡିଏମ୍‌ଓ ଅଫିସ୍‌ରେ ମିଳୁଛି ବୋଲି ସଫେଇ ଦେଉଛନ୍ତି। ଯଦି ଏହି ଦୁଇଟି ସ୍ଥାନରେ ଦିଆଯାଉଛି, ତା’ ହେଲେ ବ୍ଲକ ଓ ପୌରାଞ୍ଚଳରେ ଶିବିରମାନ କାହିଁକି ଆୟୋଜନ କରାଯାଉଛି ? ଭୀମଭୋଇ ସାମର୍ଥ୍ୟ ଯୋଜନାରୁ ମିଳୁଥିବା ପାଣ୍ଠି କୁଆଡେ ଯାଉଛି ? ଏମିତି ଅଭିଯୋଗ କରିଛନ୍ତି ସହାୟତା ଉପରକରଣରୁ ବଞ୍ଚିତ ଜିଲ୍ଲାର ଅନେକ ଦିବ୍ୟାଙ୍ଗମାନେ।

ସୁନ୍ଦରଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୧୯ରେ ଜିଲ୍ଲାକୁ ପାଖାପାଖି ୪ ଲକ୍ଷ ସହୟତା ଉପକରଣ ଆସିଥିଲା। ଏଥି ମଧ୍ୟରେ ରହିଥିଲା ଶ୍ରବଣ ଯନ୍ତ୍ର, ଆଶା ବାଡି, ଟ୍ରାଇ ସାଇକେଲ, ହ୍ବିଲ୍‌ ଚେୟାର ଆଦି ଉପକରଣ। କରୋନା ଯୋଗୁ ଗତ ୨୦୨୦ ଓ ୨୦୨୧ରେ ଜିଲ୍ଲାକୁ କୌଣସି ସହାୟତା ଉପକରଣ ଆସି ନାହିଁ। ୨୦୨୨ରେ ଆଜି ପର୍ଯ୍ୟନ୍ତ ଜିଲ୍ଲାକୁ କେତେ ସହାୟତା ଉପକରଣ ଆସିଛି, ତାହା ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ଠିକ୍‌ ଭାବେ ଜଣାଯାଇ ନାହିଁ। ଏଥିରୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଭୀମଭୋଇ ସାମର୍ଥ ଯୋଜନାରୁ ଦିବ୍ୟାଙ୍ଗମାନେ କେତେ ଉପକୃତ ହେଉଛି ସହଜେ ଅନୁମାନ କରାଯାଇପାରେ। ସେପଟେ ଗତ ପ୍ରାୟ ୫ ବର୍ଷ ଧରି ଜିଲ୍ଲାରେ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକଙ୍କୁ ଯେତିକି ଶ୍ରବଣଯନ୍ତ୍ର ମିଳିବା କଥା, ତା’ ମଧ୍ୟ ମିଳିନାହିଁ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପାଖାପାଖି ୩ ହଜାର ଶ୍ରବଣଯନ୍ତ୍ର ପାଇବାକୁ ଅପେକ୍ଷାରେ ରହିଛନ୍ତି।

ଗୋଟିଏ ଶ୍ରବଣଯନ୍ତ୍ରଙ୍କୁ ୬ ହଜାର କରି ୩ ହଜାର ପାଇଁ ୧ କୋଟି ୮୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ଏତେ ପାଣ୍ଠି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଅଛି କି ? ଯଦି ନାହିଁ, ତେବେ ବିଭାଗୀୟ ଅଧିକାରୀ ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ ଅଧିକାରୀ ଓ ଜିଲ୍ଲାପାଳଙ୍କୁ କାହିଁକି ଜଣାଉ ନାହାନ୍ତି ବୋଲି ଦିବ୍ୟାଙ୍ଗମାନେ ପ୍ରଶ୍ନ କରିଛନ୍ତି। କାରଣ ରାଜ୍ୟରେ ଏମିତି ଅନେକ ଜିଲ୍ଲା ରହିଛି, ଯେଉଁମାନେ ବର୍ଷକୁ ଦିବ୍ୟାଙ୍ଗମାନଙ୍କୁ ସହାୟତା ଉପକରଣ ବଣ୍ଟନ ଓ ଶିବିରମାନେ ଆୟୋଜନ କରି ୧ରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ପାରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ବିଭାଗର ଅବହେଳା ପାଇଁ ଏଭଳି ସ୍ଥିତି ଉପୁଜୁଥିବା କୁହାଯାଉଛି ।ଏ ସଂକ୍ରାନ୍ତରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ହାବଡାସିଂହଙ୍କୁ ପଚାରିବାର ସେ କହିଛନ୍ତି, ଜିଲ୍ଲାରେ ପାଖାପାଖି ୩ ହଜାର ଶ୍ରବଣ ଜନିତ ସମସ୍ୟା ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇଛି। ଉଭୟ ଆର୍‌ଜିଏଚ୍‌ ଓ ସିଡିଏମ୍‌ଓ ଅଫିସ୍‌ରେ ପରୀକ୍ଷା କରି ଶ୍ରବଣଯନ୍ତ୍ର ପ୍ରଦାନ କରାଯାଉଛି। ପ୍ରତିବର୍ଷ ଭିନ୍ନକ୍ଷମ ସାମର୍ଥ୍ୟ ଯୋଜନାରେ ଜିଲ୍ଲାକୁ ୨୦ରୁ ୩୦ ଲକ୍ଷ ପାଣ୍ଠି ଆସୁଛି। ବର୍ତ୍ତମାନ ସୁଦ୍ଧା ଭିନ୍ନକ୍ଷମଙ୍କ ବାବଦରେ ଖର୍ଚ୍ଚ କରିବାକୁ କେତେ ପାଣ୍ଠି ରହିଛି, ସଠିକ୍‌ ଭାବେ କହି ହେବ ନାହିଁ ବୋଲି କହିଛନ୍ତି। ତେବେ ଜିଲ୍ଲାରେ ବାଟମଣା ହେଉଥିବା ଭୀମଭୋଇ ସାମର୍ଥ୍ୟ ଯୋଜନାକୁ ବିଭାଗୀୟ ଉଚ୍ଚ ଅଧିକାରୀ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର