ମାଲଗାଡ଼ି ଦୁର୍ଘଟଣା: ମୃତକଙ୍କ ପରିବାରକୁ କେନ୍ଦ୍ର ଦେବ ୫ଲକ୍ଷ, ରାଜ୍ୟ ଦେବ ୨ଲକ୍ଷ

ସମବେଦନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ, ୧୦ଲକ୍ଷ ସହାୟତା ରାଶି ଦାବି କଲେ ଶରତ

ଭୁବନେଶ୍ବର : ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନରେ ପଣ୍ୟବାହୀ ଟ୍ରେନ୍ ଲାଇନଚ୍ୟୁତ ଯୋଗୁଁ ହୋଇଥିବା ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି। ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାନୁଭୂତି ଜଣାଇବା ସହ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାସହ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଏବଂ ଆହତଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାକୁ କହିଛନ୍ତି।

ସେହିପରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଦୁର୍ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୫ଲକ୍ଷ, ଗୁରୁତର ଆହତଙ୍କୁ ୧ଲକ୍ଷ ଏବଂ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ୨୫ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି।
କୋରେଇ ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହେବା ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ ଟୁଇଟ୍ କରିଛନ୍ତି ଯେ ଲୋକଙ୍କ ପ୍ରାଣହାନୀ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।

ରେଳ ଦୁର୍ଘଟଣାରେ ପିସିସି ସଭାପତି ଶରତ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ ଅମର ଆତ୍ମାର ସଦଗତି କାମନା କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ସରକାର ତୁରନ୍ତ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତ ରାଶି ପ୍ରଦାନ ଦିଆଯାଉ। ଏହାସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ ସରକାର ବହନ କରନ୍ତୁ। କେଉଁ ପରିସ୍ଥିତିରେ ଏପରି ଏକ ଅଭାବନୀୟ ଦୁର୍ଘଟଣା ଘଟିଲା ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ଲାଗି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର