ରାଜ୍ୟସ୍ତରୀୟ ହରେକୃଷ୍ଣ ମହତାବ ଜୟନ୍ତୀ: ପାଇକ ନୃତ୍ୟରେ ଦୁଲୁକିଲା ରାଜଧାନୀ

ପୁରୁଣା ଭୁବନେଶ୍ୱର: ରାଜ୍ୟସ୍ତରୀୟ ୧୨୩ତମ ଡ. ହରେକୃଷ୍ଣ ମହତାବ ଜୟନ୍ତୀ ରାଜଧାନୀରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନରେ ଜୟନ୍ତୀ କମିଟି ପକ୍ଷରୁ ପିଏମଜି ଛକଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ। ସେ କହିଲେ ଓଡ଼ିଶା ପ୍ରତି ମହତାବଙ୍କ ଅବଦାନ ଅତୁଳନୀୟ। ଭୁବନେଶ୍ୱରକୁ ରାଜଧାନୀ କରିବା ଓ ହୀରାକୁଦ ଡ୍ୟାମ୍ ହେବା ତାଙ୍କର ଅବଦାନ। ତାଙ୍କ ପରି ଚେତନା ଓ ଭାବନା ଜାଗ୍ରତ କରି ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ମହତାବଙ୍କ ବିନା ଓଡ଼ିଶା ଇତିହାସ ଲେଖାଯାଇନପାରେ ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଦିଲ୍ଲୀପ ଶ୍ରୀଚନ୍ଦନ, କ୍ୟାପଟେନ୍ ମନ୍ମଥ ରାଉତରାୟ, ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ରାଉତରାୟଙ୍କୁ କଳିଙ୍ଗ ବୀର ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ କଂଗ୍ରେସ ନେତା ଶିବାନନ୍ଦ ରାୟ ଧନ୍ୟବାଦ ଦେଇଥିଲେ। ଉଲ୍ଲେଖନୀୟ ଅବଦାନ ପାଇଁ ୧୫ଜଣଙ୍କୁ ଡ. ହରେକୃଷ୍ଣ ମହତାବ ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ପାଇକଦଳ ବନାଟି, କୁସ୍ତି, ପାରମ୍ପରିକ ଖଣ୍ଡା, ବାଡ଼ି ଖେଳ ପ୍ରଦର୍ଶନ କରି ରାମେଶ୍ୱର ପାଟଣାକୁ ଶୋଭାଯାତ୍ରାରେ ଯାଇଥିଲେ। ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବିଧାୟକ ଶ୍ରୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ବିଏମ୍‌ସି ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ଚନ୍ଦ୍ରଶେଖର ମଲିଆ, ସାମ୍ବାଦିକ ସନତ ମିଶ୍ର, କ୍ୟାପଟେନ୍ ମନ୍ମଥ ରାଉତରାୟ, ପ୍ରକାଶ ମହାନ୍ତି, ଜୟନ୍ତୀ କମିଟି ସଂଯୋଜକ ଜୟକୃଷ୍ଣ ମଲିଆ, ବିଷ୍ଣୁ ପ୍ରସାଦ ମୁଦୁଲି ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର