ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରାଇରଙ୍ଗପୁର: ଜଙ୍ଗଲରୁ ଜନୈକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଜଟାପାଣି ଗ୍ରାମ ନିକଟସ୍ଥ ଏକ ଡୁଙ୍ଗୁରିରେ। ମୃତ ମହିଳା ହେଲେ ତୋପଇ ମହାନ୍ତ(୪୦)।
ସୂଚନା ଅନୁଯାୟୀ ଜାମଦା ଥାନା ଅନ୍ତର୍ଗତ ଜଟାପାଣି ଗ୍ରାମ ନିକଟସ୍ଥ ଡୁଙ୍ଗୁରିରେ ଦୁର୍ଗନ୍ଧ ଆସୁଥିବା ବେଳେ ଗାଇ ଗୋରୁ ଚରାଳିମାନେ ଦୁର୍ଗନ୍ଧ ହେଉଥିବା ସ୍ଥାନକୁ ଯାଇ ଦେଖିବାରୁ ସେଠାରେ ଏକ ଗଳିତ ମୃତଦେହ ପଡ଼ିଥିଲା। ଏହି ଖବର ଜାଣିବା ପରେ ସ୍ଥାନୀୟ ଲୋକେ ଜାମଦା ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ତଦନ୍ତ କରିଛନ୍ତି। ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ କରିଥିଲେ। ପରେ ମୃତ ଦେହର ଚିହ୍ନଟ କରାଯାଇଥିଲା।
ମୃତ ମହିଳା ଜଣକ ଜାମଦା ଥାନା ରୁମାପାହାଡି ଗ୍ରାମର ସ୍ବର୍ଗତ ଗଣେଶ୍ୱର ମହାନ୍ତଙ୍କ ସ୍ତ୍ରୀ ତୋପଇ ମହାନ୍ତ ବୋଲି ପରିଚୟ ମିଳି ପାରିଥିଲା। ତେବେ ମୃତକଙ୍କ ବଡ ପୁଅ ବାପୁନ ମହାନ୍ତ ମା’ ତୋପୋଇ ଗତ ଶୁକ୍ରବାର ଦିନ ଠାରୁ ନିଖୋଜ ହୋଇ ଯାଇଥିବା ନେଇ ଜାମଦା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଜାମଦା ଥାନାରେ କୁଦାହାନସା ଗ୍ରାମର ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୁଲିସ। ତେବେ କଣ ରହିଛି ଏହି ହତ୍ୟା ପଛର କାରଣ, ସେସବୁର ତଥ୍ୟ ପାଇଁ ପୁଲିସ ଛାନଭିନ ଜାରି ରଖିଛି। ମୃତକ ମହିଳା ହେଇଛନ୍ତି ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ବିକାଶ ମହାନ୍ତୁଙ୍କ ଭଉଣୀ ବୋଲି ସୂଚନା ମିଳିଛି।
ସମ୍ବନ୍ଧିତ ଖବର