ନକଲି ସାର୍ଟିଫିକେଟ ମାମଲା: ବିନୀତଙ୍କୁ ଜେଲ୍‌ ପରେ ତଦନ୍ତ ଶିଥିଳ!

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ନକଲି ଚାକିରିରୁ ନକଲି ସାର୍ଟିଫିକେଟ ପର୍ଯ୍ୟନ୍ତ ଚେର ଲମ୍ବିଥିବା ବେଳେ ଏହାର ତଦନ୍ତରେ ବିଳମ୍ବ ହେଉଥିବା ଯୋଗୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କଳାହାଣ୍ଡି ଜିଲ୍ଲାରେ ବିନୀତ ନାଏକଙ୍କ ଜରିଆରେ ନକଲି ଚାକିରି ଓ ନକଲି ସାର୍ଟିଫିକେଟର ଚେର ଲମ୍ବିବାରେ ଲାଗିଛି। ବଲାଙ୍ଗୀର ଘଟଣାର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସହଯୋଗୀ ହେଉଛନ୍ତି ବିନୀତ। ଏମ୍‌ସିଏଲ୍‌ରେ ଜାଲ ନିଯୁକ୍ତିପତ୍ର ଘଟଣାରେ ଗିରଫ ହେବାପରେ ସେ ଏବେ ଜେଲ୍‌ରେ ରହୁଛନ୍ତି। ୧୨ ଜଣଙ୍କଠାରୁ ୬୫ ଲକ୍ଷ ଟଙ୍କା ହଡ଼ପ କରି ଜେଲ୍‌ ଯାଇଥିବା ବେଳେ ବିନୀତଙ୍କ ନାମରେ ଏବେ ମଧ୍ୟ ଆହୁରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହେଉଛି। କେବଳ ଏମ୍‌ସିଏଲ୍‌ ଚାକିରି ନୁହେଁ; କଳାହାଣ୍ଡି ଜିଲ୍ଲାରେ ନକଲି ସାର୍ଟିଫିକେଟଧାରୀ ଶିକ୍ଷକମାନେ ଚାକିରି କରୁଥିଲେ ମଧ୍ୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ୨୦୧୦ ମସିହାରୁ ଏପର୍ଯ୍ୟନ୍ତ ପ୍ରାୟ ୫୦ ଜଣ ନକଲି ଶିକ୍ଷକ ଧରାପଡ଼ି ଚାକିରି ହରାଇଛନ୍ତି। ଏପରିକି ନୂଆ ନିଯୁକ୍ତି ପାଇଥିବା କିଛି ଶିକ୍ଷକ କାର୍ଯ୍ୟାନୁଷ୍ଠାନ ଭୟରେ ଯୋଗଦାନ ମଧ୍ୟ କରିନାହାନ୍ତି। ୩ ମାସ ତଳେ ୧୫ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ନକଲି ଥିବା ସନ୍ଦେହ କରି ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବୋର୍ଡକୁ ସାର୍ଟିଫିକେଟ ତନଖି ପାଇଁ ପଠାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ଡାକ ବିଭାଗରେ ମଧ୍ୟ ୭୮ ଜଣଙ୍କ ସାର୍ଟିଫିକେଟ ତନଖି ନିମନ୍ତେ ବିଭିନ୍ନ ବୋର୍ଡକୁ ଯାଇଥିବା ବେଳେ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ଆସିନାହିଁ। ସେହିଭଳି ଯାଞ୍ଚ ପାଇଁ ଆସି ନଥିବା ୨୭ ଜଣ ଆବେଦନକାରୀଙ୍କ ବିରୋଧରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ସେମାନଙ୍କ ସାର୍ଟିଫିକେଟ ମଧ୍ୟ ତନଖି ପାଇଁ ବିଭାଗ ଆଗ୍ରହ ପ୍ରକାଶ କରୁନାହିଁ। ବିଭାଗୀୟ କିଛି ଅଧିକାରୀଙ୍କ ସହ ନକଲି ସାର୍ଟିଫିକେଟ ରାକେଟର ସଲାସୁତୁରା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର