ଅଧ୍ୟାପକମାନେ ସମାଜର ତୃତୀୟ ନୟନ ହୁଅନ୍ତୁ: ସୌମ୍ୟ

ଓଡ଼ିଶା ଅବସରପ୍ରାପ୍ତ ସରକାରୀ ମହାବିଦ୍ୟାଳୟ ଅଧ୍ୟାପକ ସଂଘର ଆଲୋଚନାଚକ୍ର

ଭୁବନେଶ୍ୱର: ଅବସରପ୍ରାପ୍ତ ଅଧ୍ୟାପକ ଓ ଶିକ୍ଷକମାନେ ସମାଜର ତୃତୀୟ ନୟନ ହୁଅନ୍ତୁ। ଏଥିସହ ସରକାରୀ ନୀତି ନିର୍ଦ୍ଧାରଣରେ ସହାୟକ ହେବାକୁ ଅବସରପ୍ରାପ୍ତ ଅଧ୍ୟାପକ ଓ ଶିକ୍ଷକମାନଙ୍କୁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଆଜି ପୂର୍ବାହ୍ନରେ ବୁଦ୍ଧ ମନ୍ଦିର ପରିସରରେ ଓଡ଼ିଶା ଅବସରପ୍ରାପ୍ତ ସରକାରୀ ମହାବିଦ୍ୟାଳୟ ଅଧ୍ୟାପକ ସଂଘ (ଓଜିସିଆରଟିଏ) ପକ୍ଷରୁ ଆୟୋଜିତ ‘ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକମାନ ଓ ଓଜିସିଆରଟିଏର ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।

ସଂଘର ସଭାପତି ମିହିର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ହେଲେ ପ୍ରାଥମିକ ବିଦ୍ୟାଳୟସ୍ତରରୁ ସୁଧାର ଆବଶ୍ୟକ। ତା’ହେଲେ ଯାଇ ଉଚ୍ଚ ଶିକ୍ଷାସ୍ତରରେ ସୁଧାର ସମ୍ଭବ ହୋଇପାରିବ। ସେଥିପାଇଁ ପ୍ରାଥମିକ ଶିକ୍ଷାକୁ ଜାତୀୟକରଣ କରାଯିବାର ଆବଶ୍ୟକତା ରହିଛି। ସେହିପରି ବର୍ତ୍ତମାନ ସମୟରେ ଶିକ୍ଷାର ଉନ୍ନତି ପାଇଁ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ହେବା ଆବଶ୍ୟକ। ଶିକ୍ଷକମାନେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ନ ହୋଇ ନିଜ ମଧ୍ୟରେ ଏକତା ଭିତ୍ତିରେ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବିକାଶ କରିପାରିବେ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ପୂର୍ବତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ସତ୍ୟକାମ ମିଶ୍ର ଯୋଗଦେଇ କହିଲେ, ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବିକାଶ ପାଇଁ ନିଯୁକ୍ତି, ମୂଲ୍ୟାୟନ ପ୍ରକ୍ରିୟାରେ ପରିବର୍ତ୍ତନ ଆବଶ୍ୟକ। ଏହାସହ ଉଚ୍ଚଶିକ୍ଷା କ୍ଷେତ୍ରରେ ଯୋଜନା ଓ ଗବେଷଣାର ଆବଶ୍ୟକତା ରହିଛି। ଗୁଣାତ୍ମକ ଶିକ୍ଷାଦାନ ପାଇଁ ସମୟ ଓ ସମାଜ ସହ ତାଳ ଦେଇ ଚାଲିଆସୁଥିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ଉପରେ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂଘର ପରାମର୍ଶଦାତା ପ୍ରଫେସର ସନତ ଦାଶ ପଟ୍ଟନାୟକ କହିଲେ, ଶିକ୍ଷାକ୍ଷେତ୍ରର ମୂଲ୍ୟବୋଧ ବୃଦ୍ଧି ହେବା ଉଚିତ। ଉଚ୍ଚଶିକ୍ଷା ହିଁ ଛାତ୍ରକୁ ଭବିଷ୍ୟତରେ ବୈଜ୍ଞାନିକ, ଗବେଷକ, ଦାର୍ଶନିକ ହେବାକୁ ବାଟ ଦେଖାଇଥାଏ। ଦେଶ ଓ ଜାତିର ସଂଜ୍ଞା ନିରୂପଣ ଉଚ୍ଚଶିକ୍ଷା ଦ୍ୱାରା ସମ୍ଭବପର ହୋଇଥାଏ। ତେଣୁ ଉଚ୍ଚଶିକ୍ଷା କେବଳ ଶ୍ରେଣୀ ମଧ୍ୟରେ ସୀମିତ ହୋଇ ରହିବା ଉଚିତ୍ ନୁହେଁ। ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ହୋଇ ନ ପାରିଲେ ଏହାକୁ ଶିକ୍ଷା କୁହାଯିବ ନାହିଁ। ଜଣେ ଶିକ୍ଷକର ଦାୟିତ୍ୱ ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ବୋଲି କହିଥିଲେ।

ଏହି ଆଲୋଚନାଚକ୍ରରେ ଧନେଶ୍ବର ସାହୁ, ପ୍ରବୀଣ ତ୍ରିପାଠୀ, ଅମୀୟ କୁମାର ମହାନ୍ତି ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକମାନ ଓ ଓଜିସିଆର୍‌ଟିଏର ଭୂମିକା ଉପରେ ମତ ଉପସ୍ଥାପନ କରିଥିଲେ। ପରେ ଉପସ୍ଥିତ ଅଧ୍ୟାପକଙ୍କ ମଧ୍ୟରେ ବିଷୟବସ୍ତୁର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଆଲୋଚନାଚକ୍ରକୁ ନଟବର ଶତପଥୀ ପରିଚାଳନା କରିଥିବ‌ା ବେଳେ ଅମୀୟ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। କୋଷାଧ୍ୟକ୍ଷ ଅଭୟ କୁମାର ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର