ଭୁବନେଶ୍ବର : ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ କରିବେ। ଦେଶ, ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଏହା କାର୍ଯ୍ୟକ୍ଷମ ହେବ। ଆଜି ଡିଜିଟାଲ୍ ପ୍ଲାଟ୍ଫର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିଟାଲ୍ ପ୍ଲାଟ୍ଫର୍ମରେ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୋଟ୍ ୬ଟି ପ୍ରସ୍ତାବ ପାରିତ ହୋଇଛି। ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବହୁ ସଂଖ୍ୟାରେ ଓଡ଼ିଆ ଦେଶର ଅନ୍ୟ ରାଜ୍ୟରେ ବିଭିନ୍ନ ବୃତ୍ତିରେ କାର୍ଯ୍ୟ କରୁଛନ୍ତି ଓ ଓଡ଼ିଶାର ଅଭିବୃଦ୍ଧି କାହାଣୀର ଏକ ଭୂମିକା ନେବାକୁ ଚାହାନ୍ତି। ଦେଶ ତଥା ସାରା ବିଶ୍ବରେ ପ୍ରବାସୀ ଓଡ଼ିଶାବାସୀଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ଏହି ନିର୍ଦ୍ଦେଶାଳୟ ଗଠନ ହେବ। ପ୍ରବାସୀ ଓଡ଼ିଆଙ୍କ ଜ୍ଞାନ, କୌଶଳ ତଥା ବିଶ୍ବସ୍ତରୀୟ ଉପସ୍ଥିତିକୁ ଓଡ଼ିଶାର ଅଗ୍ରଗତିରେ ନିୟୋଜିତ କରିବା ସହ ସେମାନେ ସାମ୍ନା କରୁଥିବା ଅସୁବିଧାର ସମାଧାନ ପାଇଁ ନିର୍ଦ୍ଦେଶାଳୟ ଉଦ୍ୟମ କରିବ।
ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶଦାତା ପରିଷଦ ରହିବ। ଏହି ପରିଷଦର ସଦସ୍ୟମାନେ ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ହେବେ। ସଦସ୍ୟମାନଙ୍କ ସଂଖ୍ୟା, କାର୍ଯ୍ୟ ଅବଧି ଓ ସଦସ୍ୟତା ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ପରିଷଦର ସ୍ଥାୟୀ ସଦସ୍ୟ ରହିବେ ଓ ବିଭାଗୀୟ ସଚିବ ଏହାର ଆବାହକ ସଦସ୍ୟ ରହିବେ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟନିର୍ବାହୀ କମିଟି ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବ। ଉନ୍ନୟନ କମିସନର୍, ଗୃହ, ଶ୍ରମ, ଅର୍ଥ, ଶିଳ୍ପ, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ନଗର ଉନ୍ନୟନ, ରାଜସ୍ବ, ଗଣଶିକ୍ଷା, ପର୍ଯ୍ୟଟନ, କ୍ରୀଡ଼ା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବମାନେ ଏହି କମିଟିର ସଦସ୍ୟ ରହିବେ। ରାଜ୍ୟ ସରକାର ସ୍ଥଳ ବିଶେଷରେ କାର୍ଯ୍ୟନିର୍ବାହୀ କମିଟିରେ ପରିବର୍ତ୍ତନ କରିପାରିବେ।
ନିର୍ଦ୍ଦେଶାଳୟ କାମ କ’ଣ କ’ଣ ହେବ, ତାହାର ମଧ୍ୟ ଏକ ସମ୍ଭାବ୍ୟ ତାଲିକା କ୍ୟାବିନେଟ୍ର ମଞ୍ଜୁରି ପାଇଛି। ସାଂସ୍କୃତିକ ପ୍ରସାର, କର୍ମଜୀବୀ, ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ଭାରତରେ ଓ ବିଦେଶରେ ଥବା ଓଡ଼ିଆ ସଂଗଠନଗୁଡ଼ିକୁ ତାଲିକାଭୁକ୍ତ କରାଯିବ। ବ୍ୟକ୍ତିଗତ, ଆନୁଷ୍ଠାନିକ ତଥା ନାଗରିକ ସମାଜ ସ୍ତରରେ ପ୍ରବାସୀ ଓଡ଼ିଆଙ୍କ ସହଭାଗିତାରେ ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନ, ହସ୍ତତନ୍ତ ଓ କ୍ରୀଡ଼ାର ଉନ୍ନତି କରାଯିବ। ଭାରତରେ ଓ ବିଦେଶରେ ବିଭିନ୍ନ ପ୍ରାନ୍ତରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକର ତାଲିକାଭୁକ୍ତ କରାଯିବ। ବିଶ୍ବର ବିଭିନ୍ନ ପ୍ରାନ୍ତରେ ନିୟମିତ ବ୍ୟବଧାନରେ ଓଡ଼ିଆ ସମ୍ମିଳନୀର ଆୟୋଜନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟରେ ଉତ୍କର୍ଷ ଲାଭ କରିଥିବା କୃତୀଗୁଡ଼ିକୁ ବିଭିନ୍ନ ଭାରତୀୟ ଓ ଆନ୍ତର୍ଜାତୀୟ ଭାଷାରେ ଅନୁବାଦ କରିବାକୁ ନିର୍ଦ୍ଦେଶାଳୟ ପଦକ୍ଷେପ ନେବ। ପ୍ରବାସୀ ଓଡ଼ିଆଙ୍କ ଅସୁବିଧା ସମୟରେ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବ। ଏସବୁ କାର୍ଯ୍ୟ ପାଇଁ ଏକ ଉତ୍ସର୍ଗୀକୃତ ପୋର୍ଟାଲ୍ର ବିକାଶ କରାଯିବ।