ମେଳାରେ ହଜିଗଲା ନାତି, ବାହୁନି କାନ୍ଦୁଛି ଆଈ

ଯାଜପୁରସଦର: ଯାଜପୁରର ଗଣପର୍ବ କାଳୀପୂଜା ମେଳା ଦେଖିବାକୁ ଆଈ ସହିତ ଆସିଥିଲା ୯ ବର୍ଷୀୟ ନାତି। ଭିଡ଼ ଭିତରେ ହାତ ଖସିଗଲା। ତାକୁ ଖୋଜିଖୋଜି ପାଉନାହିଁ ଆଈ। ନିଖୋଜ ନାତିକୁ ଖୋଜି ଆଣିବାକୁ ସେ ଥାନା ପିଣ୍ଡାରେ ବସି କାନ୍ଦିକାନ୍ଦି ନେହୁରା ହେଉଥିବା ଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି।

ଯାଜପୁର ଟାଉନ ଥାନା ଗରିଆପୁର ଅଞ୍ଚଳର ମୀନ ବେହେରା। ନାତି ସାଇ ସହ ଗତକାଲି ରାତିରେ ମେଳା ବୁଲୁଥିଲେ। ସାଇ ଜନ୍ମ ହେବାର ୮ ଦିନ ପରେ ତାକୁ ଛାଡ଼ି ମା’ କେଉଁଆଡ଼େ ପଳାଇଥିଲା। ବାପା ମଧ୍ୟ ଅନ୍ୟତ୍ର ବିବାହ କରି  ସଂସାର ବସାଇଛନ୍ତି। ଏହି ଅସମୟରେ କୁନିପିଲାଟିକୁ ଲାଳନପାଳନ କରି ବଡ଼ କରିଛନ୍ତି ୫୦ ବର୍ଷୀୟ ଆଈମା’ ମୀନ ବେହେରା। ନିଜେ ବାପାମା’ର ସ୍ନେହ ଦେଇ ତାକୁ ଏତେ ବଡ଼ କରିଛନ୍ତି। କୁନି ବାଳକ ସାଇ ବ‌େହେରା ଆଈମା’ ପାଖରେ ମଧ୍ୟ ବେଶ୍‌ ଖୁସିରେ ରହିଥିଲା। ଗତକାଲି ସନ୍ଧ୍ୟା ପରଠାରୁ ତା’ର ସନ୍ଧାନ ମିଳିପାରୁନି। ଯାଜପୁର ସହରରେ କାଳୀପୂଜା ଧୁମ୍‌ଧାମ୍‌ରେ ଚାଲିଥିବା ବେଳେ ଗତକାଲି ରବିବାର ହୋଇଥିବାରୁ ୪୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା। ଏହି ଭିଡ଼ ଭିତରେ ନାତି ସାଇକୁ କିଏ ଅପହରଣ କରି ନେଇଥିବା ପରିବାର ଲୋକ ସନ୍ଦେହ କରୁଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିବା କହିଛି।

ସମ୍ବନ୍ଧିତ ଖବର