୨୦୩୬ ସୁଦ୍ଧା ‘ଶ୍ରେଷ୍ଠ ଓଡ଼ିଶା, ସଶକ୍ତ ଓଡ଼ିଶା’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଓଡ଼ିଶା ଅନେକ ରାଜ୍ୟଙ୍କ ପାଇଁ ଆଦର୍ଶ ସାଜିଛି। ଏହା ପ୍ରତିଟି ଓଡ଼ିଆ ପାଇଁ ଗର୍ବ ଓ ଗୌରବର ବିଷୟ। ଓଡ଼ିଶା ତା’ର ଗୌରବମୟ ଇତିହାସ, ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସାଥିରେ ଧରି ଆଗକୁ ବଢ଼ୁଛି। ଆଜିର ଓଡ଼ିଶା ଅନେକ କ୍ଷେତ୍ରରେ ଏକ ନମ୍ବର ହୋଇଛି ଏବଂ ସ୍ୱାଭିମାନକୁ ଏକ ନୂଆ ଉଚ୍ଚତାକୁ ନେଇଛି। ସାମାଜିକ କଲ୍ୟାଣ, ବିପର୍ଯ୍ୟୟ ମୁକାବିଲା ଓ କ୍ରୀଡ଼ାର ବିକାଶରେ ଓଡ଼ିଶା ଏକ ନମ୍ବର। ଅର୍ଥନୀତି, କୃଷି ଉତ୍ପାଦନ, ପୁଞ୍ଜି ବିନିଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ଅନେକ କ୍ଷେତ୍ରରେ ଓଡ଼ିଶା ଦେଶର ଆଗୁଆ ରାଜ୍ୟମାନଙ୍କ ସହ ସମାନ ହୋଇପାରିଛି। ଗତ ୨୩ ବର୍ଷ ମଧ୍ୟରେ ମୁଣ୍ଡ ପିଛା ଆୟ ପ୍ରାୟ ୧୦ ଗୁଣ ବୃଦ୍ଧି ପାଇଛି। ଏ ସବୁ ସଫଳତା ପଛରେ ସାଢ଼େ ୪ କୋଟି ଓଡ଼ିଆଙ୍କ ସାମୂହିକ ଉଦ୍ୟମ ରହିଛି। ଓଡ଼ିଶାର ସାମୂହିକ ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରତି ଓଡ଼ିଆ ଆଜି ବଦ୍ଧପରିକର। ଆଉ ୧୩ ବର୍ଷ ପରେ ସ୍ୱତନ୍ତ୍ର ଓଡ଼ିଶାର ଶହେ ବର୍ଷ ପାଳନ କରାଯିବ। ୧୦୦ ବର୍ଷର ସ୍ୱତନ୍ତ୍ର ଓଡ଼ିଶାରେ ଆମେ ଗଢ଼ିବା ‘ଶ୍ରେଷ୍ଠ ଓଡ଼ିଶା, ସଶକ୍ତ ଓଡ଼ିଶା’। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହକୁ ଭର୍ଚୁଆଲରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା କହିଛନ୍ତି।

ସଭାରେ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ସଭାପତିତ୍ୱ କରି ସଂଗ୍ରାମୀ, ତ୍ୟାଗୀ ଓ ବଳିଦାନୀ ପୂର୍ବସୁରୀମାନଙ୍କ ପଦାଙ୍କ ଅନୁସରଣ କରିବାକୁ ଯୁବପିଢ଼ିଙ୍କୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ମେୟର୍‌ ସୁଲୋଚନା ଦାସ ପ୍ରମୁଖ ଯୋଗଦେଇ ଓଡ଼ିଶାର ଗରିମାମୟ ଐତିହ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ ସିଂ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ବାର୍ତ୍ତା ପାଠ କରିଥିଲେ। ଉତ୍ସବ ପ୍ରାରମ୍ଭରେ ଉତ୍କଳ ଜନନୀଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ପରିବେଷଣ ହୋଇଥିଲା। ଏଥିରେ ପୁଲିସ ବ୍ୟାଣ୍ଡ୍‌ ଓଡ଼ିଆ ଦେଶାତ୍ମବୋଧ ସଂଗୀତ ଧୁନ୍‌ ପରିବେଷଣ କରାଯାଇଥିଲା।

ଏହି ଅବସରରେ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟାର ଉନ୍ମୋଚନ ସହ ନୃସିଂହ ଚରଣ ସାହୁଙ୍କ ଦ୍ୱାରା ଲିଖିତ ‘ଆମେ ଓଡ଼ିଆ’ ସ୍ମାରକୀ ଗ୍ରନ୍ଥର ଦଶମ ଭାଗ ଲୋକାର୍ପିତ ହୋଇଥିଲା। ସମସ୍ତ ଜିଲ୍ଲାରୁ ବିଦ୍ୟାଳୟସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ଚୟନ ହୋଇ ଆସିଥିବା ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ କୃତୀ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ରେଡ୍‌କ୍ରସ୍‌ ପୁରସ୍କାର ଏବଂ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୩ର ଶ୍ରେଷ୍ଠ ବିବେଚିତ ଦଳ ଓ ପ୍ରଜ୍ଞାପନ ମେଢ଼ଗୁଡ଼ିକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଧନ୍ୟବାଦ ଦେଇଥିଲେ।

ସଭା ପରେ ଓଡ଼ିଶା ସଂଗୀତ ନାଟକ ଏକାଡେମି ଆନୁକୂଲ୍ୟରେ ମୀରା ଦାସ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ସୁଦାମ ବରାଡ଼ ଓ ସାଥୀଙ୍କ ଦ୍ୱାରା ଆଦିବାସୀ ନୃତ୍ୟ, ହରପ୍ରିୟା ସ୍ୱାଇଁ, ଅଭିଜିତ୍‌ ମିଶ୍ର, କରୁଣାକର ସେଠୀ, ପ୍ରଦୀପ ପଲେଇ, ଅର୍ପିତା ଚୌଧୁରୀଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଏବଂ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର