ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା : ଗୋଲକଙ୍କୁ ତିନି ଘଣ୍ଟା ଜେରା, ବୟାନ ରେକର୍ଡ

ବ୍ରହ୍ମପୁର/ଛତ୍ରପୁର : ଛତ୍ରପୁର ଏନ୍‌ଏସି କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ହାଜର ଲାଗି ପୁଲିସ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ସିଆର୍‌ପିସିର ଧାରା ୧୬୦ରେ ନୋଟିସ୍‌ ଜାରି କରିଥିଲା। ଆଜି ଅପରାହ୍ନରେ ବିଜେପି ରାଜ୍ୟ ନେତୃମଣ୍ଡଳୀ ଓ ନିଜ ଓକିଲଙ୍କ ଗହଣରେ ଗୋଲକ ଛତ୍ରପୁର ଥାନାରେ ହାଜର ହୋଇଥିଲେ। ଗୋଲକଙ୍କୁ ଦୁଇଟି ପର୍ଯ୍ୟାୟରେ ବରିଷ୍ଠ ପୁଲିସ ଅଧିକାରୀମାନେ ୩ ଘଣ୍ଟା ୧୩ ମିନିଟ୍‌ ଜେରା କରିଥିଲେ। ଏଥିସହ ସିଆରପିସି ଧାରା ୧୬୧ରେ ତାଙ୍କ ବୟାନ ରେକର୍ଡ କରାଯାଇଛି।

ଅନ୍ୟପଟେ ଗୋଲକ ଛତ୍ରପୁରରେ ପହଞ୍ଚିବା ପୂର୍ବରୁ ଛତ୍ରପୁର ବିଜେଡି ପକ୍ଷରୁ ଗୋଲକଙ୍କ ଗିରଫ ଦାବିରେ ଗଂଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ଏସ୍‌ପି ଅଫିସ ସମ୍ମୁଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖପାତ୍ର ଗୋଲକ ମହାପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ସେହିପରି ଜିଲ୍ଲା ଓ ଜିଲ୍ଲା ବାହାରୁ ଶତାଧିକ ବିଜେପି କର୍ମୀ ଆଜି ଗୋଲକଙ୍କ ସମର୍ଥନରେ ଛତ୍ରପୁରରେ ଠୁଳ ହୋଇଥିଲେ। ଏହାକୁ ନେଇ ଆଜି ଛତ୍ରପୁରରେ ଦିନ ତମାମ ରାଜନୈତିକ ତାତି ଲାଗି ରହିଥିଲା। ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା କରା ଯାଇଥିଲା।

ଲକ୍ଷ୍ମୀଦତ୍ତ ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ବିଜେପି ଜିଲ୍ଲା ସଂପାଦକ କୃଷ୍ଣ ନାୟକ ଓ ତାଙ୍କ ସହଯୋଗୀଙ୍କୁ ଫେରାର ଥିବା ସମୟରେ ସହାୟତା କରିଥିବା ଅଭିଯୋଗରେ ଗତକାଲି ବିଜେପି ମୁଖପାତ୍ର ଶ୍ରୀ ମହାପାତ୍ରଙ୍କୁ ଛତ୍ରପୁର ଥାନାରେ ହାଜର ହେବା ପାଇଁ ପୁଲିସ ପକ୍ଷରୁ ନୋଟିସ୍‌ ଯାଇଥିଲାା ପୁଲିସ ନୋଟିସକୁ ଗୁରୁତ୍ୱ ଦେଇ ଆଜି ଶ୍ରୀ ମହାପାତ୍ର ବିଜେପିର ଏକ ପ୍ରତିନିଧି ମଣ୍ଡଳୀଙ୍କ ସହିତ ଛତ୍ରପୁରରେ ପହଞ୍ଚିଥିଲେ। ଛତ୍ରପୁରରେ ତାଙ୍କୁ ଅପେକ୍ଷା କରିଥିବା ଜିଲ୍ଲାର ବରିଷ୍ଠ ନେତୃବର୍ଗ ଓ କର୍ମୀ ଏକ ପଦଯାତ୍ରାରେ ତାଙ୍କୁ ଛତ୍ରପୁର ଥାନା ପର୍ଯ୍ୟନ୍ତ ନେଇଥିଲେ। ଦିନ ୧ଟା ୧୦ ମିନିଟରେ ଶ୍ରୀ ମହାପାତ୍ର ଛତ୍ରପୁର ଥାନାରେ ପହଞ୍ଚିଥିଲେ । ଶ୍ରୀ ମହାପାତ୍ରଙ୍କ ସହିତ ତାଙ୍କର ଦୁଇଜଣ ଓକିଲ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଥାନା ଭିତରକୁ ଯାଇଥିଲେ। ତେବେ ମାମଲାର ତଦନ୍ତକାରୀ ଅଫିସର ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ୱାଇଁ, ପ୍ରଦୀପ କୁମାର ମହାପାତ୍ର ଶ୍ରୀ ମହାପାତ୍ରଙ୍କୁ ଏକୁଟିଆ ଜେରା କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଏକ ଘଣ୍ଟା ଜେରା କରାଯାଇଥିଲା । ତେବେ ମଧ୍ୟାହ୍ନ ଭୋଜନ ପାଇଁ ଦୁଇ ଘଣ୍ଟାର ବିରତି ଦିଆଯାଇଥିଲା। ଏହା ପରେ ଶ୍ରୀ ମହାପାତ୍ର ଅପରାହ୍ନ ପ୍ରାୟ ୨ଟା ୧୦ ମିନିଟରେ ଥାନାରୁ ବାହାରିଥିଲେ। ମଧ୍ୟାହ୍ନଭୋଜନ ପରେ ପୁନର୍ବାର ଶ୍ରୀ ମହାପାତ୍ର ଅପରାହ୍ନ ୫ଟା ୫ ମିନିଟ୍‌ରେ ଥାନାରେ ହାଜର ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ତଦନ୍ତକାରୀ ଅଧିକାରୀ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ। ଶ୍ରୀ ମହାପାତ୍ର ସନ୍ଧ୍ୟା ୭ଟା ୧୩ରେ ଥାନାରୁ ବାହାରିଥିଲେ। ତେବେ ଜେରା ବେଳେ କେଉଁ କେଉଁ ପ୍ରସଙ୍ଗରେ ତାଙ୍କୁ ପୁଲିସ ପଚରାଉଚରା କରିଥିଲା ଏବଂ ତାଙ୍କ ଉତ୍ତର କ’ଣ ଥିଲା ସେ ସଂପର୍କରେ ଶ୍ରୀ ମହାପାତ୍ରଙ୍କୁ ସାମ୍ବାଦିକମାନେ ପଚାରିବାରେ, ପୁଲିସ ତାଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲେ ସେ ତା’ର ସନ୍ତୋଷଜନକ ଉତ୍ତର ଦେଇଛନ୍ତି ବୋଲି କେବଳ କହିଥିଲେ। ପୁଲିସ ପକ୍ଷରୁ ଯେତେବେଳେ ତାଙ୍କୁ ଡକାଯିବ ସେ ସବୁ ପ୍ରକାର ସହଯୋଗ କରିବେ ବୋଲି କହିିଛନ୍ତି। ଗୋଲକଙ୍କ ସହିତ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ, ମନମୋହନ ସାମଲ, ସୁରମା ପାଢୀ, ବିଜେପି ନେତା ଅଶୋକ ମିଶ୍ର, ଜିଲ୍ଲା ସଭାପତି କାହ୍ନ ଚରଣ ପତି, ଦିଲ୍ଲୀପ ମଲ୍ଲିକ, ବିରଂଚି ତ୍ରିପାଠୀ, ସୁରଥ ବିଶ୍ୱାଳ, ସୁଧୀର ରାଓ, ବରିଷ୍ଠ ଆଇନଜୀବୀ ଶିଶିର ପାଢୀ, ଦେବାନନ୍ଦ ମହାପାତ୍ର, ପ୍ରଶାନ୍ତ ନାୟକ, ପିଙ୍କି ପ୍ରଧାନ, ବିଭୁତି ଜେନା ଓ ଆଇନଜୀବୀ ପାର୍ଥସାରଥୀ ନାୟକ ପ୍ରମୁଖ ଛତ୍ରପୁର ବିଜେପି କାର୍ଯ୍ୟାଳୟରୁ ପଦଯାତ୍ରାରେ ଆସିଥିଲେ।

ସମ୍ବନ୍ଧିତ ଖବର