ଭିଜିଲାନ୍‌ସ ଜାଲରେ କୋଟିପତି ଯନ୍ତ୍ରୀ: ୪ କୋଠା ସାଙ୍ଗକୁ ୨୬ ପ୍ଲଟ୍‌

ଅନୁଗୁଳ: ଭିଜିଲାନ୍‌ସ ଜାଲରେ ଫସିଛନ୍ତି ପାଳଲହଡ଼ା ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପ୍ରସନ୍ନ କୁମାର ପାଣି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶ୍ରୀ ପାଣିଙ୍କ ଘର ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୧୧ ଟି ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ଭୁବନେଶ୍ବରରେ ୩ଟି ୩ ମହଲା କୋଠା ସମେତ ଗୋଟିଏ ଫ୍ଲାଟ୍‌ ଓ ୨୬ ଟି ପ୍ଲଟ୍‌ର ସନ୍ଧାନ ମିଳିଛି। ଏହାସହିତ ୬୪ ଲକ୍ଷର ଜମା ଟଙ୍କା, ୩.୩୩ ଲକ୍ଷ ନଗଦ ଟଙ୍କା ମିଳିଛି। ଭିଜିଲାନ୍ସ ଅଧିକାରୀମାନେ ଖୋଳତାଡ଼ ଜାରି ରଖିଥିବା ବେଳେ ଅଧିକ ସଂପତ୍ତି ମିଳିବାର ସମ୍ଭାବନା ରହିଛି।

ଭୁବନେଶ୍ୱରର ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୬ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ୧୧ଟି ଟିମ୍‌ରେ ଭାଗ ହୋଇ ଆଜି କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣିଙ୍କ ପାଳଲହଡ଼ାସ୍ଥିତ ବିଇଓ ଅଫିସ ଓ ଅନ୍ୟ ସ୍ଥାନରେ ଚଢ଼ଉ କରିଥିଲେ। ପାଳଲହଡ଼ାର ଉଦୟ ବିହାର ଭଡ଼ାଘର, ଭୁବନେଶ୍ବର ସୁନ୍ଦରପଦାରେ ୩୬୭ ଓ ୬୬୬ ନମ୍ବର ପ୍ଲଟ୍‌ରେ ଥିବା ଦୁଇଟି ତିନି ମହଲା କୋଠା ଘର, ସୁନ୍ଦରପଦାର ଫ୍ରେଣ୍ଡ୍‌ସ କ୍ଲବ୍ ନିକଟରେ ଥିବା ତିନି ମହଲା ଘର, ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ସୁନ୍ଦରପଦାରେ ଥିବା ଦୁଇ ସଂପର୍କୀୟଙ୍କ ଘର, ପୁରୀ ଜିଲ୍ଲା ନିମାପଡ଼ାର ଅମଲାପଡ଼ାରେ ଥିବା ତିନି ମହଲା କୋଠା ଘରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଏହି ସମୟ‌ରେ ଶ୍ରୀ ପାଣି ଓ ତାଙ୍କ ସଂପର୍କୀୟଙ୍କ ନାମରେ ଏହି ୪ଟି ୩ ମହଲା କୋଠା ସହ ଏକ ଫ୍ଲାଟ୍‌ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଏହାବାଦ୍‌ ଭୁବନେଶ୍ବର, କଟକ, ପିପିଲି, ନିମାପଡ଼ା, ଜଙ୍କିଆ ଓ ଜଟଣୀ ଅଞ୍ଚଳରେ ୨୬ ଟି ପ୍ଲଟ୍‌ର ସନ୍ଧାନ ମିଳିଛି। ନିମାପଡ଼ାରେ ଗୋଟିଏ ପ୍ଲଟ୍‌ କିଣାଯିବା ନେଇ ଚୁକ୍ତି ମଧ୍ୟ ହୋଇଛି। ଏହି ସବୁ ପ୍ଲଟର ଦର ୯୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। କିନ୍ତୁ ବଜାର ଦର ଏହାଠାରୁ ବହୁ ଅଧିକ। ଜମି କିଣିବା ପାଇଁ ବିଲଡରଙ୍କୁ ୪୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହପରି ତାଙ୍କ ପାଖରୁ ୩୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ମିଳିଛି। ସମସ୍ତ କୋଠା ଓ ପ୍ଲ‌ଟ୍‌ର ବଜାର ଦର ନେଇ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି। ଏହାର ବଜାର ମୂଲ୍ୟ କୋଟିଏରୁ ଅଧିକ ହେବା ନେଇ ସୂଚନା ମିଳିଛି। କନିଷ୍ଠ ଯନ୍ତ୍ରୀଙ୍କର ଗୋଟିଏ କାର୍‌ ଓ ଗୋଟିଏ ୩ ଚକିଆ ଗାଡ଼ି ମଧ୍ୟ ରହିଛି। ୬୪ ଲକ୍ଷ ଟଙ୍କାର ଜମା ଓ ବୀମା କାଗଜପତ୍ର ମିଳିଥିଲାବେଳେ ନଗଦ ୩ ଲକ୍ଷ ୩୩ ହଜାର ଟଙ୍କା ମିଳିଛି। ଏହା ବାଦ୍‌ ଆହୁରି ବହୁ ଅସ୍ଥାବର ସଂପତ୍ତି ଠୁଳ କରିଛନ୍ତି ଯନ୍ତ୍ରୀ। ଭିଜିଲାନ୍ସ ଏହାର ଛାନ୍‌ଭିନ୍‌ କରିବା ସହ ଆକଳନ ଜାରି ରଖିଛି। ତେଣୁ ଯନ୍ତ୍ରୀଙ୍କର ସଂପତ୍ତି ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର