ସାମାଜିକ ବାସନ୍ଦ: ୨୦ ଘଣ୍ଟା ପରେ ସତ୍କାର କଲେ ସ୍ବେଚ୍ଛାସେବୀ, କେହି ଛୁଇଁଲେନି ଶବ

ବେଲପଡ଼ା/ମଣ୍ଡଳ: ସାମାଜିକ ବାସନ୍ଦ ଯୋଗୁଁ ଅଛୁଆଁ ହେଲା ଶବ । ପାଖ ମାଡ଼ିଲେନି ଜାତିଭାଇ କି ଗାଁ ଲୋକେ। ଶେଷରେ ସ୍ବେଚ୍ଛାସେବୀମାନେ ପହଞ୍ଚି ଦୀର୍ଘ ୨୦ ଘଣ୍ଟା ପରେ ଶବସତ୍କାର କରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ସଦର ମହାକୁମାରୁ ମାତ୍ର ୨ କିମି ଦୂରରେ ଥିବା ମାଲିମୁଣ୍ଡା ଗାଁରେ। ପ୍ରାପ୍ତ ସୂଚନା ଅନୁସାରେ ଗାଁରେ ବିଭୀଷଣ ବାଗ (୪୨) ଓ ପତ୍ନୀ ଶଙ୍ଖ ବାଗ (୪୦) ତାଙ୍କ ଝିଅ ସହ ରହୁଥିଲେ। ବିଗତ ଦିନରେ ତାଙ୍କ ଝିଅର ଅନ୍ୟ ଜାତିର ପୁଅ ସହ ପ୍ରେମ ସମ୍ପର୍କ ଥିବା ଜାଣି ଜାତି ସମାଜ ଲୋକେ ବିଭୀଷଣଙ୍କ ପରିବାରକୁ ଜାତିରୁ ବାସନ୍ଦ କରିଦେଇଥିଲେ। କିଛି ଦିନ ତଳେ ଶଙ୍ଖ ଜ୍ୱରରେ ପୀଡ଼ିତ ହୋଇ ରୋଗାକ୍ରାନ୍ତ ହୋଇଥିଲେ ଓ ମଙ୍ଗଳବାର ସନ୍ଧ୍ୟା ୫ରେ ତାଙ୍କର ମୃତ୍ୟୁ ଘଟିଲା। ତେବେ ପରିବାର ଜାତିରୁ ବାସନ୍ଦ ହୋଇଥିବାରୁ କେହି ବି ଜାତିଭାଇ ଶବ ସତ୍କାର ତ ଦୂରର କଥା ଦେଖିବାକୁ ବି ପାଖ ମାଡ଼ିନଥିଲେ। ଅନୁରୂପ ଭାବେ ପଡ଼ୋଶୀ କି ଗ୍ରାମବାସୀ ବି ଆସି ନଥିଲେ। ଫଳରେ ଦୀର୍ଘ ୨୦ ଘଣ୍ଟା ଧରି ଶବ ସତ୍କାର ହୋଇ ନପାରି ପଡ଼ିରହିଲା।

ଖବର ପାଇ ବେଲପଡ଼ାସ୍ଥିତ ଜନ କଲ୍ୟାଣ ଟ୍ରଷ୍ଟର ସଭାପତି କାନ୍ତ ରଣା, ସଂପାଦକ କେଦାରନାଥ ଦଣ୍ଡସେନା, ସହସଂପାଦକ ଦୈତାରୀ ପଶାୟତ, ପାଟଣାଗଡ଼ସ୍ଥିତ ସେବା ଚାରିଟେବଲ୍‌ ଟ୍ରଷ୍ଟ ସଭାପତି ସୁନୀଲ ସିଂହ, ଉପସଭାପତି ଗିରିରାଜ ଭୋଇ, ସିପୁନ ଖମାରୀ, ରଞ୍ଜିତ ସାହୁ, ସର୍ଜନ ସାହୁ ପ୍ରମୁଖ ମାଲିମୁଣ୍ଡା ଗାଁରେ ପହଞ୍ଚି ବିଧି ଅନୁସାରେ କୋକେଇରେ ଶବ କାନ୍ଧେଇ ଗାଁଠୁ ୪ କିମି ଦୂର ଆଦର୍ଶ ବିଦ୍ୟାଳୟ ସମ୍ମୁଖ ଜଙ୍ଗଲରେ ଶେଷକୃତ୍ୟ କରିଥିଲେ। ଅନ୍ୟପଟେ ସୂଚନା ପାଇ ବେଲପଡ଼ା ତହସିଲଦାର୍‌ ପ୍ରଶାନ୍ତି ପ୍ରଧାନ ବି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏଭଳି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର