ରବି ଋତୁରେ ୫ଟି ଫସଲକୁ ଏମ୍ଏସ୍ପି ଦିଆଯିବ
ହର଼ଡ, ମୁଗ, ବିରି, ଚିନାବାଦାନ, ସୂର୍ଯ୍ୟମୁଖୀ ମଞ୍ଜି କିଣିବେ ସରକାର
ମାର୍କଫେଡ୍ ପାଇଁ ପାକ୍ସ କିଣିବ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ପାଇଁ ଚଳିତବର୍ଷ ରବି ଋତୁରେ କୃଷକମାନଙ୍କୁ ୫ ପ୍ରକାର ଉତ୍ପାଦନରେ ବର୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଦିଆଯିବ। ସରକାର ମାର୍କଫେଡ୍ ମାଧ୍ୟମରେ ଅଧିକ ପରିମାଣର ରବି ଶସ୍ୟ କିଣିବେ। ଏ ବିଷୟରେ ଆଜି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି। କେବଳ ସେତିକି ନୁହେଁ, ତାଗିଦ୍ କରାଯାଇଛି ଯେ ରବି ଫସଲ କ୍ରୟ ବ୍ୟବସ୍ଥାରୁ ଅସାଧୁ ବ୍ୟବସାୟୀ ଯେପରି ମୁନାଫା ନ ଉଠାନ୍ତି, ସେଥିପ୍ରତି ଜିଲ୍ଲାପାଳ ଓ ଏସ୍ପି ସତର୍କ ରହିବେ। ସମବାୟ ଓ କୃଷି ବିଭାଗ ମଧ୍ୟ ଏ ନେଇ ଦୃଷ୍ଟିଦେବାକୁ କୁହାଯାଇଛି।
ରାଜ୍ୟ ସଚିବାଳୟରେ ଏକ ଭିଡିଓ କନ୍ଫରେନ୍ସିଂରେ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଜଣାଇଥିଲେ ଯେ ଚଳିତ ରବି ଋତୁରେ କୃଷକମାନଙ୍କ ଠାରୁ ହରଡ, ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ଫୁଲ ମଞ୍ଜି କିଣାଯିବ। ଏସବୁ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ ହୋଇଛି। ଏଣୁ ଚାଷୀ ଆଉ ଅଭାବୀ ବିକ୍ରିର ସମ୍ମୁଖୀନ ହେବ ନାହିଁ।
କୃଷି ବିଭାଗ ପକ୍ଷରୁ କୁହାଯାଇଥିଲା, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସମୁଦାୟ ୧୨ହଜାର ୫୨୦ ମେଟ୍ରିକ୍ ଟନ୍ ମୁଗ, ୪୯୦୦ ମେଟ୍ରିକ୍ ଟନ୍ ବିରି, ୪୪୦୦ ମେଟ୍ରିକ୍ ଟନ୍ ହରଡ, ୧୩ ହଜାର ୪୮୦ ମେଟ୍ରିକ୍ ଟନ୍ ଚିନାବାଦାମ ଓ ୧୫୦୦ ମେଟ୍ରିକ୍ ଟନ୍ ସୂର୍ଯ୍ୟମୁଖୀ ମଞ୍ଜି କିଣାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଯେଉଁ ସ୍ଥାନରେ ଏସବୁ ଫସଲ ବଳକା ଉତ୍ପାଦନ ହେଉଛି, ସେସବୁ ସ୍ଥାନ ଚିହ୍ନଟ କରି ବିଭାଗକୁ ଜଣାଇବାକୁ କୃଷି ବିଭାଗର ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଥିଲା।
ଚଳିତ ରବି ଋତୁରେ ମୁଗର ସର୍ବନିମ୍ନ ମୂଲ୍ୟ (ବୋନସ ମିଶାଇ) କ୍ୱିଣ୍ଟାଲ ପିଛା ୫୫୭୫ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ବିରି କ୍ୱିଣ୍ଟାଲ ପିଛା ୫୪୦୦ ଟଙ୍କା, ହର଼ଡ କ୍ୱିଣ୍ଟାଲ ପିଛା ୫୪୫୦ ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜି କ୍ୱିଣ୍ଟାଲ ପ୍ରତି ୪୧୦୦ ଟଙ୍କା ରଖାଯାଇଛି।
ସମବାୟ ବିଭାଗର ପ୍ରମୁଖ ସଚିବ ରଂଜନା ଚୋପ୍ରା କହିଥିଲେ, ମାର୍କଫେଡ୍ ମାଧ୍ୟମରେ ଏସବୁ ଫସଲ କିଣାଯିବ। ମାର୍କଫେଡ୍ ତରଫରୁ ପ୍ରାଥମିକ ସମବାୟ ସଂସ୍ଥା ବା ପାକ୍ସମାନେ ଏସବୁ କିଣିବେ। କୃଷକମାନେ ନିଜର ବଳକା ରବି ଉତ୍ପାଦ ବିକ୍ରି କରିବା ନିମନ୍ତେ ନିଜର ଚାଷ ଜମି ପଟ୍ଟା ଓ ପରିଚୟ ପତ୍ର ସମବାୟ ସମିତିରେ ପ୍ରମାଣ ସ୍ୱରୂପ ଦାଖଲ କରିବେ। କୃଷକ ପରିଚୟ ପତ୍ର, କିଷାନ୍ କ୍ରେଡିଟ୍ କାର୍ଡ, ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ, ଭୋଟର କାର୍ଡ ଆଦିକୁ ମଧ୍ୟ ପରିଚୟ ପତ୍ର ଭାବେ ବ୍ୟବହାର କରାଯାଇପାରିବ। କୃଷକମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ତୁରନ୍ତ ଅର୍ଥ ପ୍ରଦାନ କରାଯିବ।