ଋଣ ଆଦାୟକୁ କେନ୍ଦ୍ର କରି ଗାଡ଼ି ମାଲିକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ

ଜୟପୁର: ଗତ ଅଗଷ୍ଠ ୧୨ତାରିଖ ଦିନ ଗାଡି କିସ୍ତି ଆଦାୟକୁ କେନ୍ଦ୍ର କରି ଗାଡ଼ି ମାଲିକ ବିପିନ ବାହାଦୁରଙ୍କ ଉପରେ ହୋଇଥିଲା ପ୍ରାଣାନ୍ତକ ଆକ୍ରମଣ। ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣାରେ ବିପିନ ପ୍ରାଣ ହରାଇଥିଲେ। କଂପାନୀର ପ୍ରାଧିକୃତ ଋଣ ଆଦାୟକାରୀ  ପ୍ରତ୍ୟୁଷ କାନ୍ତ ଦାସଙ୍କ ବି‌ରୋଧରେ ଏ ନେଇ ଟାଉନଥାନାରେ ଏତଲା ଦିଆଯାଇଥିଲା। ଘଟଣାର ୧୩ଦିନ ପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇ ନଥିବା ପ୍ରତିବାଦ କରି ୨୪ତାରିଖ ଦିନ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ନିଜ ସମର୍ଥକଙ୍କୁ ନେଇ ଟାଉନଥାନା ଘେରାଉ କରିଥିଲେ। ତୁରନ୍ତ ଅଭିଯୁକ୍ତ ଓ ସହଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ପୁଲିସକୁ ଏହା ଚ୍ୟାଲେଂଜ ସୃଷ୍ଟି କରିଥିଲା। ଅଭିଯୁକ୍ତ ଘଟଣା ପର ଠାରୁ ଫେରାର ରହିଥିଲା। ତେବେ ଆଜି ପୁଲିସକୁ ମିଳିଛି ସପଳତା। ଏହି ହତ୍ୟାକାଣ୍ଡ ମାମଲାର ମୁଖ୍ୟଅଭିଯୁକ୍ତ ପ୍ରତ୍ୟୁଷ ଦାଶଙ୍କୁ ଜୟପୁରଟାଉନଥାନା ପୁଲିସ  ବାମୁଣୀଗାଁରୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଛୁରୀକୁ ଜବତ କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର।

ସୂଚନା ଅନୁଯାୟୀ, ଜୟପୁର ଟାଉନଥାନା ଅର୍ନ୍ତଗତ ଭେଟନାରୀ କଲୋନୀର ବିପିନ ବାହାଦୁର ସ୍ଥାନୀୟ ‌‌ଲଙ୍କେଶ୍ବରୀ ମୋଟରର୍ସରୁ ଆଲଟ୍ରଜ କାର ଟାଟା ଫାଇନାନ୍ସରେ ଋଣରେ ମାସିକିଆ କିସ୍ତି ପୈଠ କରିବା ପ୍ରକ୍ରିୟାରେ ନେଇଥିଲେ। ସେ ଋଣ ପରି‌ଶୋଧ କରି ଆସୁଥିବା ବ‌େଳେ ୨ଟି କିସ୍ତି ଜମା କରି ନଥିଲେ। ଟାଟା ଫାଇନାନ୍ସ ଫରଚ୍ୟୁନ୍ ନାମକ କଂପାନୀକୁ କିସ୍ତି ଆଦାୟ କରିବାକୁ  ପ୍ରାଧିକୃତ କରିଛି। ଏହି ପରଚ୍ୟୁନ୍ ସଂସ୍ଥାର ପ୍ରାଧିକୃତ ଋଣ ଆଦାୟକାରୀ ପ୍ରତ୍ୟୁଷ କାନ୍ତ ଦାସଙ୍କ ସହ ଗତ ଅଗଷ୍ଠ ୧୨ତାରିଖ ଦିନ ରିଂରୋଡରେ ମୃତ ବିନୋଦଙ୍କ ଉଚ୍ଚବାଚ୍ଚ ହୋଇଥିଲା। ପରେ ବିନୋଦ ନିଜ ଭାଇଙ୍କୁ ଡାକିବା ପରେ ଉଭୟ ଅଭିଯୁକ୍ତ ପ୍ରତ୍ୟୁଷଙ୍କୁ ମାଡ଼ ମାରିଥିଲେ। ସଂଧ୍ୟା‌ରେ ବିନୋଦ ସୁରକ୍ଷା କର୍ମୀ ଭାବେ କାମ କରୁଥିବା  ସୁପ୍ରିମ ଇଷ୍ଟେଟକୁ ଯାଉଥିବା ବେଳେ ପାୱାରହାଉସ କଲୋନୀ ନିକଟରେ  ପ୍ରତ୍ୟୁଷ ସହ ପୁଣି ମୁହାଁ ମୁହିଁ ହୋଇଥିଲେ। ଏଥିରେ ପୂର୍ବରୁ ଉତ୍ତ୍ୟକ୍ତ ହୋଇ  ଥିବା  ଅଭିଯୁକ୍ତ ପ୍ରତ୍ୟୁଷ ବିନୋଦ ଜଣେ ଥିବା ଦେଖି ସେ ଧରିଥିବା ଛୁରୀରେ  ବ‌ିନୋଦଙ୍କ ଦେହର ବିଭିନ୍ନ ସ୍ଥାନରେ ଭୁସି ଦେଇଥିବା ସ୍ବୀକାର କରିଥିବା କହିଛନ୍ତି ଥାନା ଅଧିକାରୀ। ରକ୍ତାକ୍ତ ଅବସ୍ଥାରେ ବିପିନଙ୍କୁ ସେଠାରେ ଛାଡ଼ି ଘଟଣାସ୍ଥଳରୁ ପ୍ରତ୍ୟୁଷକାନ୍ତ ଫେରାର ହୋଇଯାଇଥିଲେ। ଏହା ପରେ  ରକ୍ତାକ୍ତ ଅବସ୍ଥାରେ ବିନୋଦ ତାଙ୍କ ଭାଇ ଟୁଟୁକୁ ଫୋନ କରିବା ପରେ ଟୁଟୁ ଆସି ବିନୋଦକୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇଥିଲେ।

ବିନୋଦର ଅବସ୍ଥା ସଂକଟାପନ୍ନ ରହିଥିବା ଏବଂ ବିଭିନ୍ନ ସ୍ଥାନରେ ଧାରୁଆ ଅସ୍ତ୍ରର ଚୋଟରେ କଟି ଯାଇଥିବାରୁ ଉଚ୍ଚ ଚିକିତ୍ସା ପାଇଁ ବାହାରକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାରବର୍ଗ ତୁରନ୍ତ ବିନୋଦକୁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଇଥିଲେ। ଦିନକ  ପରେ ବିନୋଦ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲେ ହେଁ ବାରମ୍ବାର ଫେଲ ମାରିଥିଲେ। ପୁଲିସ ଅଭିଯୁକ୍ତ ଓ ସମସ୍ତ ସହଯୋଗୀ ଆଦିଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକରେ ରଖିଥିଲେ। ଆଜି ଅଭିଯୁକ୍ତ ବାମୁଣିଗାଁ ଅଂଚଳରେ ଥିବା ସୁଚନା ପାଇବା ପରେ ଥାନାଅଧିକାରୀ ଶ୍ରୀ ପାତ୍ର, ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ସିଦ୍ଧାନ୍ତ ବେହେରା ଘଟଣାସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲେ। ଘଟଣା ହେବା ସ୍ଥାନରେ ହିଁ ଅଭିଯୁକ୍ତ ଧାରୁଆ ଛୁରୀ ପିଙ୍ଗି ଦେଇଥିବା ବେଳେ ସେଠାରୁ ପୁଲିସ ତାହାକୁ ଉଦ୍ଧାର କରିଥିଲେ। ପୁଲିସ ମୃତ ବ‌ିନୋଦ ଚିକିତ୍ସାଧୀନ ଥିବା ସମୟରେ ନିଆଯାଇଥିବା ବୟାନ ଅନୁଯାୟୀ, ଜଣେ ପ୍ରତ୍ୟୁଷକାନ୍ତ ହିଁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ, ଆଉ କେହି ଅଭିଯୁକ୍ତ ନାହାନ୍ତି ବୋଲି କହିଛନ୍ତି ଟାଉନଥାନା ଅଧିକାରୀ।

 

ସମ୍ବନ୍ଧିତ ଖବର