ପ୍ରେମିକକୁ ନିର୍ମମ ହତ୍ୟା: ପ୍ରେମିକାକୁ ୧୦ ବର୍ଷ ଜେଲ୍, ୫ ହଜାର ଜରିମାନା

ସୁନ୍ଦରଗଡ଼: ବର୍ଷକର ପ୍ରେମ ଓ ଶାରୀରିକ ସମ୍ପର୍କ ପରେ ବିବାହକୁ ନା କରିବାରୁ ପ୍ରେମିକକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ପ୍ରେମିକା। ୨୦୧୭ରେ ସୁନ୍ଦରଗଡ଼ ଟାଉନଥାନା ଭବାନୀପୁର ଅଞ୍ଚଳରେ ଘଟିଥିଲା ଏହି ଘଟଣା। ମାମଲାର ବିଚାର କରି ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲା ଜଜ୍ ଶୁଭଦର୍ଶୀ ପଟ୍ଟନାୟକ ଅଭିଯୁକ୍ତ ପ୍ରେମିକା କୁନି ବାର୍ଲିଆ (୩୦)କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଓ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟରେ ଜେଲ୍‌ ଦଣ୍ଡ ଅଧିକ ୨ ମାସ ବୃଦ୍ଧି ହେବ ବୋଲି ରାୟରେ ଉଲ୍ଲେଖ ରହିଛି।

ମାମଲାର ବିବରଣୀ ଅନୁସାରେ, ଧରୁଆଡିହି ଥାନା ଜରମାଲର କୁନି ବାର୍ଲିଆ ଓ ସଦରଥାନା ବନ୍ଧପାଲିର ସଂଜୀବ ଦଣ୍ତସେନାଙ୍କ ମଧ୍ୟରେ ୨୦୧୬ରୁ ପ୍ରେମ ସମ୍ପର୍କ ଥିଲା। ସଂଜୀବ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଅନ୍ୟ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲା। ଏ ସମ୍ପର୍କରେ କୁନି ଜାଣିବା ପରେ ବିବାହ ପାଇଁ ଜିଦ୍ କରିଥିଲା। କିନ୍ତୁ ସଂଜୀବ ସିଧାସିଧା ବିବାହକୁ ନା କରି ଦେଇଥିଲା। ଏପରିକି ଅନ୍ୟ ଝିଅ ସହ ବିବାହ ତାରିଖ ମଧ୍ୟ ଧାର୍ଯ୍ୟ କରି ଦେଇଥିଲା। ଏହା ପରେ ପ୍ରତାରଣାରେ ଜ୍ବଳାରେ ଜଳୁଥିବା କୁନି ସଂଜୀବକୁ ଶେଷ କରିଦେବାକୁ ଷଡ଼ଯନ୍ତ୍ର ରଚିଥିଲା। ୨୦୧୭ ଜୁନ୍‌ ୬ ତାରିଖରେ ସେ ସଂଜୀବକୁ କଲ୍ କରି ସୁନ୍ଦରଗଡ଼ ଡାକିଥିଲା। ଦୁହେଁ ସୁନ୍ଦରଗଡ଼ ହସ୍ପିଟାଲ ଛକରେ ଭେଟିଥିଲେ। ପରେ ସେଠାରୁ ଭବାନୀପୁର ରଜାମୁଣ୍ଡା ଆଡ଼କୁ ଯାଇଥିଲେ। ଶାରୀରିକ ସମ୍ପର୍କ ରଖିବାକୁ କହିଥିଲା କୁନି। ରାଜି ହୋଇଥିଲା ସଂଜୀବ। ଦୁହେଁ ଘଞ୍ଚ ଲଟାବୁଦା ଭିତରେ ଥିବା ବିଲ ମଝିରେ ବସିଥିଲେ। ପ୍ରେମାଳାପ କଲା ବେଳେ କୁନି ହାତଗୋଡ଼ ବାନ୍ଧି କିପରି ଦୁଷ୍କର୍ମ କରାଯାଏ, ସେ ଦୃଶ୍ୟ ଦେଖିବାକୁ ଇଚ୍ଛା ଥିବା କହି ସେ ଧରିଥିବା ଚୁନରିରେ ସଂଜୀବଙ୍କ ହାତଗୋଡ଼ ବାନ୍ଧି ଦେଇଥିଲେ। ଏହା ପରେ ବିବାହ କଥା ପୁଣି ପଚାରିବାରୁ ଯୁବକ ମନା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କୁନି ଲୁଚାଇ ଆଣିଥିବା ଛୁରିରେ ସଂଜୀବଙ୍କ ତଣ୍ଟି କାଟି ଦେବା ସହ ପଥରରେ ମୁଣ୍ଡକୁ ଛେଚି ଦେଇଥିଲେ। ହାତଗୋଡ଼ ବନ୍ଧା ଥିବାରୁ ସଂଜୀବ ପ୍ରତିରୋଧ କରି ପାରି ନଥିଲେ। ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ତା ପରଦିନ ସକାଳେ ବିଲରେ ଅଜଣା ଶବ ପଡ଼ିଥିବା ନେଇ କିରେଇ ସରପଞ୍ଚ ଝରଣା ବାଘୁଆର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଶବ ଉଦ୍ଧାର କରି ତଦନ୍ତ କରିଥିଲେ। ମୃତକଙ୍କ ପରିବାର ଲୋକେ ଶବ ଚିହ୍ନଟ କରିବା ପରେ ତତ୍କାଳୀନ ଥାନା ଅଧିକାରୀ ଠାକୁରଦାସ ମୁର୍ମୁଙ୍କ ନେତୃତ୍ବରେ ପୁଲିସ ତନାଘନା ଚଲାଇ ହତ୍ୟାକାରୀ କୁନି ପାଖରେ ପହଞ୍ଚିଥିଲା। ପୁଲିସର ଚୂଡ଼ାନ୍ତ ରିପୋର୍ଟ, ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ରାୟ ପ୍ରକାଶ କରିଥିଲେ। ମାମଲାକୁ ପିପି ଦିଲୀପ କୁମାର ମୁର୍ମୁ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର