ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଦରକାର ୩୫ଲକ୍ଷ : ପୁଅକୁ ନୂଆ ଜୀବନ ପାଇଁ ସହାୟତା ମାଗିଲେ ବାପା

ଜୟପୁର: ଅସ୍ଥିମଜ୍ଜା ରୋଗରେ ପୀଡ଼ିତ ପୁଅର ଚିକିତ୍ସା ପାଇଁ ସହାୟତା ଲୋଢ଼ିଛନ୍ତି ଅସହାୟ ବାପା। ମୋ ପୁଅକୁ ନୂଆ ଜୀବନ ଦିଅନ୍ତୁ ଆଜ୍ଞା। ମୋତେ ସହଯୋଗର ହାତ ବଢ଼ାଇ ଦିଅନ୍ତୁ। ଏଭଳି ଆକୁଳ ନିବେଦନ କରିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ଢ଼େପସାହିର ଦୟାଧାନ ଧାନଫୁଲ। ତାଙ୍କ ୮ବର୍ଷର ପୁଅ ଜୟଲକୁ ଏବେ ଗୁରୁତର ଅବସ୍ଥାରେ ତାମିଲନାଡୁର ଘରୋଇ ଭେଲୋର ଡାକ୍ତରଖାନା‌ରେ ଭର୍ତ୍ତି କରାଇ ଚିକିତ୍ସାଧୀନ ରଖିଛନ୍ତି। ଏପର୍ଯ୍ୟନ୍ତ ସେ ପ୍ରାୟ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିବା ବେଳେ ଜୟଲର ଉନ୍ନତ ଚିକିତ୍ସା ପାଇଁ ୩୫ଲକ୍ଷ ଖର୍ଚ୍ଚ ହେବ ବୋଲି ଭେଲୋର ଡାକ୍ତରଖାନା ପକ୍ଷରୁ କୁହାଯିବା ପରେ ସେ ଏତେ ଟଙ୍କା ଯୋଗାଡ଼କୁ ନେଇ ଚିନ୍ତା‌ରେ ପଡ଼ିଛନ୍ତି। ସହଯୋଗର ହାତ ବଢ଼ାଇବା ପାଇଁ ଦୟାଧାନ ଅନୁରୋଧ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୪ମାସ ତଳେ ଅଚାନକ ଭାବେ ଗୁରୁତର ହୋଇପଡ଼ିଥିଲେ ଜୟଲ । କାନରୁ ରକ୍ତ ବୋହିବା ସହ ଦେହରେ ରକ୍ତ ବାହାରି ଚିହ୍ନ ଦିଶିଥିଲା। ଗୁରୁତର ଅବସ୍ଥାରେ ଦୟାଧାନ ଜୟପୁରଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇକି ଯାଇଥିଲେ। ସେଠାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ବଡ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ରକ୍ତରେ ଥିବା ପ୍ଲେଟଲେଟ୍ କମି କମି ଆସୁଥିବା କହିବା ପରେ ୪ୟୁନିଟ ରକ୍ତ ଦେଇଥିଲେ। ତା ପରେ ତାଙ୍କୁ ସେହି ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ବଡଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ବିଭିନ୍ନ ପରୀକ୍ଷା ପାଇଁ ତାଙ୍କୁ ଖର୍ଚ୍ଚାନ୍ତ ହୋଇଥିଲେ ହେଁ କାହିଁକି ଏଭଳି ହେଉଛି ଜାଣି ପାରି ନଥିଲେ ଦୟାଧାନ। ତୁରନ୍ତ ପୁଅକୁ ନେଇ ପୁଣି କୋରାପୁଟ ବଡଡାକ୍ତରଖାନାକୁ ଆଣି ଭର୍ତ୍ତି କରାଇଥିଲେ। ଆଉ ୪ୟୁନିଟ୍ ଏ ପଜିଟିଭ୍ ରକ୍ତ ଦେଇ ପ୍ଲେଟଲେଟ୍ ଚଢ଼ାଯାଇଥିଲା ଜୟଲଙ୍କୁ। ତା ପରେ ସେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ସେଠାରେ ଜୟଲର ଅସ୍ଥି ମଜ୍ଜା (ବୋନ ମେରୋ) କମି କମି ଆସୁଥିବା ଜଣା ପଡ଼ିଥିବା କହିଛନ୍ତି ଦୟାଦାନ।

ନିକଟରେ ଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଜରିଆରେ ସଂପ୍ରତି ଚିକିତ୍ସାଧୀନ ରହିଥିଲେ ଜୟଲ। ସେଠାରୁ ସେ ସଂପ୍ରତି ଭେଲୋରର ଖ୍ରୀଷ୍ଠୀୟାନ ମେଡିକାଲ କଲେଜରେ ତାଙ୍କୁ ଏହି  ଅସ୍ଥିମଜ୍ଜା ଚିକିତ୍ସା ଓ ଅସ୍ତ୍ରପ୍ରଚାର ପାଇଁ ୨୫ଲକ୍ଷ ଓ ଅନ୍ୟାନ୍ୟ ବାବଦକୁ ୧୦ଲକ୍ଷ ଏଭଳି ୩୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବଡଡାକ୍ତରଖାନା କର୍ତ୍ତୃପକ୍ଷ କହିବା ପରେ ଚିନ୍ତାରେ ପଡ଼ିଛନ୍ତି ଦୟାଦାନ। ସ୍ଥାନୀୟ ଢ଼େପଗୁଡାରେ ସେ ଗାଡ଼ି ଗୁଡିକର ସେଲଫ୍ ମୋଟର ଆଦି ସଜାଡ଼ିବା କାମ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ତାଙ୍କ ନିକଟରେ ଯାହା କିଛି ସଂଚୟ କରି ରଖିଥିଲେ ସଂପ୍ରତି ଜୟଲର ଚିକିତ୍ସା ଓ ଅନ୍ୟାନ୍ୟ ବାବଦରେ ପ୍ରାୟ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଗତ ୪ ମାସ ହେବ ପୁଅକୁ ବଂଚାଇବା ଉଦ୍ୟମରେ ଦୟାଦାନ ଲାଗି ପଡ଼ିଛନ୍ତି। ପୁଅକୁ ବଂଚାଇବା ପାଇଁ ୩୫ଲକ୍ଷ ଟଙ୍କାର ଖର୍ଚ୍ଚ କଥା ଶୁଣିବା ପରେ କିଭଳି ଏତେ ଟଙ୍କା ଯୋଗାଡ଼ କରିବେ ବୋଲି ଚିନ୍ତାରେ ପଡ଼ି ଯାଇଛନ୍ତି। ଜିଲ୍ଲାପ୍ରଶାସନ, ରାଜ୍ୟସରକାର ଓ ବଦାନ୍ୟ ବ୍ୟକ୍ତି ମାନେ ସହଯୋଗ କରି ତାଙ୍କ ପୁଅକୁ ବଂଚାଇବା ପାଇଁ ଦୟାଦାନ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର