ମ୍ୟାଲେରିଆପ୍ରବଣ ଡିମିରିପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡ଼ି, ହଟହଟା ହେଉଛନ୍ତି ରୋଗୀ 

ନୂଆଗାଁ : ମ୍ୟାଲେରିଆପ୍ରବଣ ଡିମିରିପଲ୍ଲୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ଡାକ୍ତର ମରୁଡ଼ି ଦେଖିବାକୁ ମିଳିଛି। ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି କରାଯାଇଥିଲେ ମଧ୍ୟ ତାଙ୍କୁ ଏଠାରୁ ଡେପୁଟେସନରେ ଅନ୍ୟତ୍ର ନିଆଯାଇଛି। ଏହାକୁ ନେଇ ଆଦିବାସୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହିତ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।

ଖବରରୁ ପ୍ରକାଶ, ନୟାଗଡ଼ ଜିଲ୍ଲା ନୂଆଗାଁରେ ସ୍ବାସ୍ଥ୍ୟସେବା ଦିନକୁ ଦିନ ଭୁଶୁଡ଼ିବାରେ ଲାଗିଛି। ବ୍ଲକ୍‌ର ଡିମିରିପଲ୍ଲୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୩୦ ଖଣ୍ତ ଗାଁ ଅତ୍ୟନ୍ତ ମ୍ୟାଲେରିଆପ୍ରବଣ ଅଂଚଳ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ରୋଗୀଙ୍କୁ ସଂପୂର୍ଣ୍ଣ ଅଣଦେଖା କରିଛି। ଏଠାରେ ବର୍ଷରେ ଅନେକ ଥର ଲୋକେ ଜ୍ବର ପୀଡ଼ିତ ହୋଇଥାନ୍ତି। ଗାଁ ପାଖରେ ସ୍ବାସ୍ଥ୍ୟକେନ୍ଦ୍ରଟି ଥିବାରୁ ଲୋକମାନେ ଏଠାକୁ ଧାଇଁ ଆସନ୍ତି। କିଛିଦିନ ତଳେ ଡାକ୍ତର ସମସ୍ୟାକୁ ନେଇ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇବା ସହିତ ତୁରନ୍ତ ଡାକ୍ତର ନିଯୁକ୍ତି କରିବାକୁ ଦାବି କରିଥିଲେ। ଏହା ପରେ ଗାଁ କଲ୍ୟାଣ ସମିତି ବୈଠକରେ ଡାକ୍ତର ପ୍ରସଙ୍ଗ ଉଠିଥିଲା। ବାହାଡ଼ାଝୋଲା କଷ୍ଟି ଡାକୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ମନୋଜ କୁମାର ସାହୁ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଥିଲେ ମଧ୍ୟ ସେ ଅନ୍ୟସବୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବ ବୁଝୁଥିବାରୁ ସେ ବାହାଡ଼ାଝୋଲାରେ ରହି ପାରୁନଥିବା ଦର୍ଶାଇଥିଲେ। ତେବେ ଏଠି ପ୍ରଶ୍ନ ଉଠିଛି ଜଣେ ସିନିୟର ଡାକ୍ତରଙ୍କୁ ରୋଗୀ ସେବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିବା ଜରୁରୀ କି ଅନ୍ୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ଜରୁରୀ? ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ଶହଶହ ରୋଗୀ ଆସୁଥିଲା ବେଳେ ଭଲ ସ୍ବାସ୍ଥ୍ୟସେବା ନ ପାଇ ହଟହଟା ହେବା ସହିତ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଧାଉଁଛନ୍ତି। ନୟାଗଡ଼ରେ ରୋଗୀ ଠିକ୍ ସ୍ବାସ୍ଥ୍ୟସେବା ନ ପାଇ ବାରଣ୍ତାରେ ପଡ଼ି ଛଟପଟ ହେଉଛନ୍ତି।

ଏଭଳି ଘଟଣା ନିତିଦିନ ଘଟୁଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଜାଣିଶୁଣି ଜଣେ ସିନିୟର ଡାକ୍ତରଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିବା ପରିବର୍ତ୍ତେ ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ଡେପୁଟେସନରେ ଆଣିବା କେତେ ଯୁକ୍ତିଯୁକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡିମିରିପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ଚକ୍ରାନ୍ତ କରି ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ଡିମିରିପଲ୍ଲୀ ଅଂଚଳର ଆଦିବାସୀମାନେ ଅଭିଯୋଗ କରିଛନ୍ତି। ଏବେ ଆଦିବାସୀମାନେ ମେଳି ବାନ୍ଧି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ଭେଟିଥିବା ପ୍ରକାଶ କରିଛନ୍ତି। କିନ୍ତୁ ଡାକ୍ତର ସମସ୍ୟା ଥିବାରୁ ତାଙ୍କୁ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ଏବେ ଡିମିରିପଲ୍ଲୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଦିଆନଗଲେ ଏକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଆଦିବାସୀମାନେ ଚେତାବନୀ ଦେଇଛନ୍ତି। ଘଟଣାରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଶ୍ବେତ ମହାପାତ୍ର ଡେପୁଟେସନରେ ଡିମିରିପଲ୍ଲୀ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ଅଣାଯାଇଥିବା କଥାକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଥିବା ଡାକ୍ତର ମନୋଜ କୁମାର ସାହୁ ଅନ୍ୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରୁଥିବାରୁ ସେ ସମୟ ଦେଇ ପାରୁନାହାନ୍ତି। ତେଣୁ ଆମେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ଦୁଇଦିନ ଡିମିରିପଲ୍ଲୀ ଏବଂ ଚାରିଦିନ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଦେଇଛୁ।

ସମ୍ବନ୍ଧିତ ଖବର